ସାତକୋଶିଆରେ ଘଡ଼ିଆଳ ବିକାଶ ଯୋଜନା, ନନ୍ଦନକାନନରୁ ନୂଆ କସରତ

ଅନୁଗୁଳ : ଏକଦା ମହାନଦୀର ବିସ୍ତୀର୍ଣ୍ଣ ଓ ଶାନ୍ତ ସାତକୋଶିଆ ଗଣ୍ଡ ଥିଲା ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀରଙ୍କ ପାଇଁ ଗୌରବ। ଭାରତର ହାତ ଗଣତି ଯେଉଁ କେତୋଟି ଇଲାକା ଘଡ଼ିଆଳଙ୍କ ରହଣି ପାଇଁ ପ୍ରଯୁଜ୍ୟ ବୋଲି କୁହାଯାଉଥିଲା ସେଥିରୁ ଏହି ସାତକୋଶିଆ ଗଣ୍ଡ ଏକ ଓ ଅନ୍ୟନ୍ୟ। ସେଇଥିପାଇଁ ଏଠାରେ ଅଣ୍ଡା ଫୁଟାଇ କରାଯାଇଥିଲା ଘଡ଼ିଆଳ ଛୁଆ ପ୍ରଜନନ। ଶହ ଶହ ସଂଖ୍ୟାରେ ଛୁଆ ଘଡ଼ିଆଳ ବିସ୍ତୀର୍ଣ୍ଣ ମହାନଦୀ ଶଯ୍ୟା‌େର କେବଳ ଘୁରି ବୁଲୁ ନ ଥିଲେ, ବରଂ ସାତକୋଶିଆ ନାଁକୁ ବି ସବୁଆଡ଼େ ପରିଚିତ କରାଇ ଦେଇଥିଲେ। କିନ୍ତୁ, ସମୟ କ୍ରମେ ସେ ଗୌରବ ଆଜି ଧୂଳିସାତ୍‌ ହୋଇଯାଇଛି। ମହାନଦୀ ଶଯ୍ୟାରେ ମାତ୍ର ଗୋଟିଏ ବୁଢ଼ା ଘଡ଼ିଆଳକୁ ଛାଡ଼ି ଦେଲେ ପୂର୍ବ ଦିନର ମୂକସାକ୍ଷୀ କହିଲେ ଆଉ କେହି ନାହାନ୍ତି। ଯଦିଓ କିଛି ବର୍ଷ ତଳେ ନନ୍ଦନକାନନରୁ ଘଡ଼ିଆଳ ଛୁଆ ଆଣି ଛଡ଼ାଯାଇଛି, ତଥାପି ସେମାନଙ୍କଠାରୁ ପ୍ରଜନନ ଶୂନ। ଏଭଳି ପରିସ୍ଥିତିରେ ଘଡ଼ିଆଳର ପୂର୍ବ ଗୌରବ ଫେରାଇ ଆଣିବା ପାଇଁ ନନ୍ଦନକାନନରୁ ବଡ଼ ପ୍ଲାନ୍‌ କରାଯାଇଛି। ଯୋଜନା ମୁତାବକ, ଆସନ୍ତା କେଇଟା ବର୍ଷ ମଧ୍ୟରେ ଏଠାରୁ ପ୍ରାୟ ୩୦ଟି ଘଡ଼ିଆଳ ଛୁଆ ପଠାଯିବ। ସେମାନଙ୍କ ଔରସରୁ ଯେପରି ନୂଆ ବଂଶ ବଢ଼ିବ ସେଥିପାଇଁ ଯୋଜନା ହୋଇଛି। ସାତକୋଶିଆ ଏବଂ ନନ୍ଦନକାନନ କର୍ତୃପକ୍ଷ ମିଳିତ ସହଯୋଗରେ ଏମିତି ଯୋଜନା ହୋଇଥିବା ଜଣାପଡ଼ିଛି।

ନନ୍ଦନକାନନ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସାତକୋଶିଆରେ ଅତୀତରେ ଯେମିତି ଅଣ୍ଡାରୁ ଛୁଆ ଫୁଟାଇ ଶାବକ ଜନ୍ମ କରାଯାଉଥିଲା, ଠିକ୍‌ ସେମିତି ନନ୍ଦନକାନନରେ ମଧ୍ୟ କରାଯାଇଛି। କିନ୍ତୁ, ସାତକୋଶିଆରେ ଏବେ ଘଡ଼ିଆଳ ଶାବକଟିଏ ଦେଖିବା ସ୍ବପ୍ନ ହୋଇଥିବା ବେଳେ ନନ୍ଦନକାନନରେ ଭରପୂର ହୋଇ ରହିଛି। ସେଥିପାଇଁ ୨୦୧୫ମସିହାରୁ ନନ୍ଦନକାନନରେ କୃତ୍ରିମ ପ୍ରଜନନ କରାଯାଉ ନାହିଁ। ବରଂ ଶାବକମାନଙ୍କୁ କେମିତି ଏଠାରୁ ସ୍ଥାନାନ୍ତର କରାଯିବ ସେଥିପାଇଁ ଦୀର୍ଘମିଆଦି ଯୋଜନା କରାଯାଇଛି। ତତ୍ ମୁତାବକ, ଅନୁଗୁଳ ଜିଲ୍ଲାର ପୁରୁଣା ଘଡ଼ିଆଳ ବାସସ୍ଥଳୀ ସାତକୋଶିଆକୁ ସରକାର ଚିହ୍ନଟ କରିଛନ୍ତି। ଏକାବେଳେ ନୁହେଁ, ବରଂ ପର୍ଯ୍ୟାୟ କ୍ରମେ ସେଠାକୁ ୩୦ଟି ଘଡ଼ିଆଳ ସାତକୋଶିଆରେ ଛଡ଼ାଯିବ ବୋଲି ନନ୍ଦନକାନନର ଡେପୁଟି ଡାଇରେକ୍ଟର ଜୟନ୍ତ ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯୋଜନା କେବେଠୁ ହୋଇଛି। ପର୍ଯ୍ୟାୟ କ୍ରମେ ନନ୍ଦନକାନନରୁ ସାତକୋଶିଆ ଅଭିମୁଖେ ଘଡ଼ିଆଳ ଛୁଆଙ୍କୁ ଛଡ଼ାଯିବ। ସେଠାରେ ପୁଣି ଥରେ ବଂଶ ବୃଦ୍ଧିରେ ଏହି ଛୁଆ ସହାୟକ ହେ‌େବ। ମହାନଦୀ ଶଯ୍ୟା ଯଦିଓ ଘଡ଼ିଆଳଙ୍କ ପାଇଁ ଭାରି ଅନୁକୂଳ କିନ୍ତୁ, ତାହା ଏବେ ମଗରଙ୍କ କବ୍‌ଜାରେ। ତେଣୁ ନନ୍ଦନକାନନରୁ ଆସିବାକୁ ଥିବା ନବାଗତ ନିଜ ବଂଶ ବଢ଼ାଇବାରେ କେତେ ଦୂର ସଫଳ ହେବେ ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର