ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ବାତିଲ୍‌, ସାତକୋଶିଆରୁ ଫେରିଯିବ ‘ସୁନ୍ଦରୀ’

‘ମହାବୀର’କୁ ମାରିଥି‌ଲେ ଶିକାରୀ, ଅସନ୍ତୋଷ ଝାଡ଼ିଲା ଏନ୍‌ଟିସିଏ, ବାଘ ରଖିବାକୁ ଅଯୋଗ୍ୟ!

ଭୁବନେଶ୍ବର/ ଅନୁଗୁଳ : ଦେଶର ପ୍ରଥମ ଆନ୍ତଃରାଜ୍ୟ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପକୁ ଜବରଦସ୍ତ ଧକ୍କା ଲାଗିଛି। ସାତକୋଶିଆ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପକୁ ଅନିର୍ଦିଷ୍ଟକାଳ ପର୍ଯ୍ୟନ୍ତ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ(ଏନ୍‌ଟିସିଏ) କର୍ତୃପକ୍ଷ ବାତିଲ୍‌ କରିଛନ୍ତି। ଏନ୍‌ଟିସିଏ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଯେ ପର୍ଯ୍ୟନ୍ତ ସାତକୋଶିଆ ସ୍ଥିତିରେ ସୁଧାର ନ ଆସିଛି, ସେ ଯାଏ କ୍ଷେତ୍ରରେ ଆଉ ପଦକ୍ଷେପ ନିଆଯିବ ନାହିଁ। ଏଥିସହ ପାଖାପାଖି ୧୩ ମାସ ହେଲା ସାତକୋଶିଆର ରାୟଗଡ଼ ଏନ୍‌କ୍ଲୋଜରରେ ବନ୍ଦୀ ଜୀବନ କାଟୁଥିବା ମଧ୍ୟପ୍ରଦେଶ ବାନ୍ଧବଗଡ଼ର ବ୍ୟାଘ୍ରୁଣୀ ‘ସୁନ୍ଦରୀ’କୁ ଫେରାଇ ନେବାଭଳି କଠୋର ନିଷ୍ପତ୍ତି ନେଇଛି ଏନ୍‌ଟିସିଏ। ଅସନ୍ତୋଷ ବ୍ୟକ୍ତ କରି କହିଛି, ବହୁ ଦିନ ହେଲା ବନ୍ଦୀ ଜୀବନ କାଟୁଥିବାରୁ ‘ସୁନ୍ଦରୀ’ର ଜଙ୍ଗଲୀ ସ୍ବଭାବ ନଷ୍ଟ ହେବାରେ ଲାଗିଛି। ତେଣୁ ତାହାକୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରାଇ ନିଆଯିବ। ସେଠାରେ ତାର ସ୍ବଭାବରେ ପରିବର୍ତନ ପରେ ପୁଣିଥରେ ଜଙ୍ଗଲରେ ଛଡ଼ାଯିବ ବୋଲି ଏନ୍‌ଟିସିଏ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି।

ଓଡ଼ିଶାରେ ବ୍ୟାଘ୍ର ସମ୍ପ୍ରସାରଣ ତଥା ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଛି ଏନ୍‌ଟିସିଏ। ମୁଖ୍ୟ ଶାସନ ସଚିବଙ୍କୁ ଲେଖାଯାଇଥିବା ଚିଠିରେ ଏନ୍‌ଟିସିଏ ପକ୍ଷରୁ କୁହାଯାଇଛି ଯେ ମଧ୍ୟପ୍ରଦେଶରୁ ସାତକୋଶିଆକୁ ଆସିଥିବା ବ୍ୟାଘ୍ର(ଟି-୧ ତଥା ମହାବୀର) ଓ ବ୍ୟାଘ୍ରୁଣୀ(ଟି-୨ ତଥା ସୁନ୍ଦରୀ)ଙ୍କ ପରିଚାଳନା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇ ନଥିଲା। ଏପରିକି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସ୍‌ଓପି) ପାଳନ କରାଯାଇ ନଥିଲା। ଏନେଇ ଏନ୍‌ଟିସିଏ ପକ୍ଷରୁ ବାରମ୍ବାର ରାଜ୍ୟ ଜଙ୍ଗଲ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ବିହୀତ ପଦକ୍ଷେପ ନିଆଗଲା ନାହିଁ। ବ୍ୟାଘ୍ରୁଣୀ ‘ସୁନ୍ଦରୀ’କୁ ବାନ୍ଧବଗଡ଼ରୁ ସାତକୋଶିଆକୁ ଆଣିବା ସମୟରେ ଏନ୍‌ଟିସିଏ ପକ୍ଷରୁ ଦିଆଯାଇଥିବା ପ୍ରକ୍ରିୟା ତଥା ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨କୁ ପାଳନ କରାଯାଇ ନାହିଁ। ପାଖାପାଖି ବର୍ଷେ ହେଲା ବ୍ୟାଘ୍ରୁଣୀକୁ ଏକ ଛୋଟିଆ ଏନ୍‌କ୍ଲୋଜରରେ ରଖାଯାଇଛି। ତାହାର ଜଙ୍ଗଲ ପ୍ରକୃତି ପୁଣିଥରେ ଫେରାଇ ଆଣିବା ଦିଗରେ ବି ‌କୌଣସି ପଦକ୍ଷେପ ନିଆଯାଇ ନ ଥିବା ସ୍ପଷ୍ଟ ଭାବେ କୁହାଯାଇଛି।

ସବୁଠାରୁ ବଡ଼ କଥା ହେଲା ‘ମହାବୀର’ର ମୃତ୍ୟୁକୁ ନେଇ ଜଙ୍ଗଲ ବିଭାଗ ବାରମ୍ବାର କଥା ବଦଳାଉଥିଲା। କେତେବେଳେ ହତ୍ୟା କରାଯାଇଥିବା କୁହାଯାଉଥିବା ବେଳେ ଆଉ କେତେବେଳେ ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଥିବା ବରିଷ୍ଠ ଅଧିକାରୀମାନେ କହୁଥିଲେ। ତେବେ ଏନ୍‌ଟିସିଏ ଚିଠିରେ ବ୍ୟାଘ୍ର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ କରାଯାଇଛି। କୁହାଯାଇଛି ଯେ ‘ମହାବୀର’କୁ ଶିକାର କରାଯାଇଛି। ଏନ୍‌ଟିସିଏର ବରିଷ୍ଠ ଅଧିକାରୀମାନେ ଯାଞ୍ଚ କରିବା‌ ସମୟରେ ଅପ୍ରାକୃତିକ ପରିସ୍ଥିତିରେ ବ୍ୟାଘ୍ରର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ପ୍ରାଥମିକ ତଦନ୍ତ ବେଳେ ବ୍ୟାଘ୍ରକୁ ଶିକାର କରାଯାଇଥିବା ଜଣାପଡ଼ିଥିଲା। ସେହିପରି ବ୍ୟାଘ୍ରୁଣୀ ‘ସୁନ୍ଦରୀ’କୁ ବାନ୍ଧବଗଡ଼ରୁ ସାତକୋଶିଆରେ ଆଣି ଛଡ଼ାଯିବା ସମୟରେ ଏସ୍‌ଓପି ପାଳନ କରାଯାଇ ନଥିଲା। ‘ସୁନ୍ଦରୀ’କୁ ଜଙ୍ଗଲରେ ଛାଡ଼ିବା ପୂର୍ବରୁ ବିହିତ ପଦକ୍ଷେପ ନେବାକୁ ଏନ୍‌ଟିସିଏ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ତା’ପରେ ବି ଗାଇଡ୍‌ଲାଇନ୍‌ ପାଳନ ହୋଇ ନଥିଲା। ଯେଉଁଥିପାଇଁ ସମସ୍ୟା ସୃଷ୍ଟି ହେଲା। ଏନ୍‌ଟିସିଏର ବରିଷ୍ଠ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ ଓ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ପୂର୍ବତନ କ୍ଷେତ୍ର ଅଧିକାରୀ ତଥା ଅବସରପ୍ରାପ୍ତ ସିସିଏଫ୍‌ ଖଗେଶ୍ବର ନା‌ୟକଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ରିପୋର୍ଟକୁ ସମୀକ୍ଷା କରାଯିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା‌ ଏନ୍‌ଟିସିଏ ପକ୍ଷରୁ କୁହାଯାଇଛି।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଯେ ଏହି ପ୍ରକଳ୍ପ ଲାଗି ବରାଦ ହୋଇଥିବା ଟଙ୍କାକୁ ବି ଠିକ୍‌ ଭାବେ ଖର୍ଚ୍ଚ କରାଯାଇ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକଳ୍ପ ଲାଗି ଯେତିକି ଟଙ୍କା ଦିଆଯାଇଥିଲା ସେହି ଅନୁଯାୟୀ ସଫଳତା ମିଳିଲା ନାହିଁ। ପର୍ଯ୍ୟାପ୍ତ ଫଣ୍ଡ୍‌ ଓ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରାଯିବା‌ ପରେ ମଧ୍ୟ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ପୁଣିଥରେ ପ୍ରକଳ୍ପ ଆରମ୍ଭ କରିବା, କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଦିଗରେ ପଦକ୍ଷେପ ନିଆଗଲା ନାହିଁ। ତେଣୁ ବ୍ୟାଘ୍ରୁଣୀ ‘ସୁନ୍ଦରୀ’କୁ ଆଉ ବେଶି ଦିନ ଛୋଟିଆ ଏନ୍‌କ୍ଲୋଜରରେ ରଖିବା ସମ୍ଭବ ନୁହେଁ। ବ୍ୟାଘ୍ର ସଂରକ୍ଷଣକୁ ଗୁରୁତ୍ବ ଦେଇ ବ୍ୟାଘ୍ରୁଣୀ ‘ସୁନ୍ଦରୀ’କୁ ମଧ୍ୟପ୍ରଦେଶର କାହ୍ନା ଟାଇଗର ରିଜର୍ଭରେ ଥିବା ଘୋରେଲା କେନ୍ଦ୍ରକୁ ପ୍ରତ୍ୟାହାର କରି ନିଆଯିବ।

ସମ୍ବନ୍ଧିତ ଖବର