ସାତକୋଶିଆବାସୀଙ୍କୁ ମହଙ୍ଗା ପଡ଼ିବ ଲଙ୍କାକାଣ୍ଡ

ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ସୁନ୍ଦରୀ ମଣିଷ ମାରିବା ପରେ ସୃଷ୍ଟି ହୋଇଥିବା ଲଙ୍କାକାଣ୍ଡ ଏବେ ସାତକୋଶିଆବାସୀଙ୍କୁ ମହଙ୍ଗା ପଡ଼ିବାକୁ ଯାଉଛି। ବାଘୁଣୀ ସୁନ୍ଦରୀର ଆକ୍ରମଣ ପରେ ଉତ୍ତ୍ୟକ୍ତ ଲୋକେ ବନବିଭାଗର ଅଫିସ୍‌ରେ ପଶି ଭଙ୍ଗାରୁଜା କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ। ଏହାକୁ ନେଇ ବନ ବିଭାଗ ପକ୍ଷରୁ ପୁରୁଣାକୋଟ ଥାନାରେ ୩ଟି ମାମଲା ରୁଜୁ କରାଯାଇଛି। ବନ ବିଭାଗର ଅଭିଯୋଗ ପରେ ଅନୁଗୁଳ ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ତନାଘନା ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ବାଘୁଣୀ ସୁନ୍ଦରୀକୁ ନେଇ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଦେଖାଦେଇଥିବା ଭୟ ଶେଷରେ ଟିକରପଡା ପଞ୍ଚାୟତ ହାତୀବାରି ଗାଁର ଜଣଙ୍କୁ ମାରିବା ପରେ ଆହୁରି ଚରମସୀମାରେ ପହଞ୍ଚି ଯାଇଥିଲା। ଉତ୍ତ୍ୟକ୍ତ ଲୋକେ ମଝିପଡା ଓ ହାତୀବାରୀ ବିଟ୍‌ ହାଉସ୍‌ରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଟିକରପଡ଼ାରେ ଥିବା ବନ ବିଭାଗର ବୋଟ୍‌ଗୁଡିକୁ ପୋଡ଼ି ଦେଇଥିଲେ। ଏହି ଲଙ୍କାକାଣ୍ଡ ଯୋଗୁଁ ବନ ବିଭାଗର ପ୍ରାୟ ୪ କୋଟିରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଛି। ଏ ନେଇ ବନ ବିଭାଗ ଅନୁଗୁଳ ପୁଲିସରେ ଲୋକଙ୍କ ବିରୋଧରେ ୩ଟି ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର