ଶତ୍ରୁଘ୍ନ ପାଣ୍ଡବଙ୍କୁ ଶାରଳା ପୁରସ୍କାର : ସାହିତ୍ୟରୁ ସମ୍ବେଦନଶୀଳତା ହଜିଯାଉଛି

ଭୁବନେଶ୍ବର : ଆଧୁନିକ ଓଡ଼ିଆ କବିତା ସଂରଚନାରେ ପ୍ରସିଦ୍ଧି ଅର୍ଜନ କରିଥିବା ଯଶସ୍ବୀ କବି ଶତ୍ରୁଘ୍ନ ପାଣ୍ଡବଙ୍କୁ ‘ମିଶ୍ର ଧ୍ରୁପଦ’ କବିତା ସଂକଳନ ପାଇଁ ୩୯ତମ ଶାରଳା ପୁରସ୍କାର ପ୍ରଦାନ କରାଯାଇଛି। ୫ଲକ୍ଷ ଟଙ୍କାର ଅର୍ଥରାଶି ସହ ତାମ୍ରଫଳକ ଦେଇ ତାଙ୍କୁ ସମ୍ବର୍ଧିତ କରାଯାଇଛି। ଏଥିସହ ବିିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କୁ ‘ଇଲା ପଣ୍ଡା ସଂଗୀତ ସମ୍ମାନ’ ଏବଂ ବିନୋଦ ମହାରଣାଙ୍କୁ ‘ଇଲା ପଣ୍ଡା ଚିତ୍ରକଳା ସମ୍ମାନ’ରେ ସମ୍ମାନିତ କରାଯାଇଛି। ଉଭୟଙ୍କୁ ‌୧ଲକ୍ଷ ୫୦ ହଜାର ଟଙ୍କାର ଅର୍ଥରାଶି ସହ ତାମ୍ରଫଳକ ଦେଇ ପୁରସ୍କୃତ କରାଯାଇଛି। ବିଶିଷ୍ଟ ହିନ୍ଦୀ ସାହିତ୍ୟିକ ଗୋବିନ୍ଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ୩ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ବର୍ଧିତ କରିଛନ୍ତି। ଇଣ୍ଡିଆନ୍ ମେଟାଲ୍‌ସ ପବ୍ଲିକ୍‌ ଚାରିଟେବୁଲ୍‌ ଟ୍ରଷ୍ଟ୍‌ (ଇମ୍ପାକ୍ଟ) ପକ୍ଷରୁ ମେ ଫେୟାରରେ ଅନୁଷ୍ଠିତ ବିଶେଷ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ପୁରସ୍କାର ପ୍ରଦାନ ସହ ଶ୍ରୀ ମିଶ୍ର ଅଭିଭାଷଣରେ କହିଲେ, ସବୁ ଲେଖା ସାହିତ୍ୟ ନୁହେଁ। କିଛି ସ୍ବତନ୍ତ୍ର ରଚନା ହିଁ ସାହିତ୍ୟ। ସ୍ବତନ୍ତ୍ରତା, ସମାନତା, ସମ୍ବେଦନଶୀଳତା ଓ ଭ୍ରାତୃତ୍ବ ହିଁ ସାହିତ୍ୟର ମୂଳାଧାର। ମାତ୍ର ଏହା ସାହିତ୍ୟରୁ ହଜିଯାଉଛି। ଗପଟିଏ ସେତେବେଳେ ରହସ୍ୟରେ ବାନ୍ଧିପାରିବ, ଯେବେ ତାହା ଲେଖକରୁ ଅନ୍ତରରୁ ଆସିବ। ‘ମି ଠୁ’ ସମ୍ପର୍କରେ ମତ ଦେଇ ‌ସେ କହିଲେ, ଏବେ ଉଠାଯାଉଥିବା ପ୍ରତିବାଦର ଆବଶ୍ୟକତା ଥିଲା। ମାତ୍ର ସୁନ୍ଦର ଦିଶୁଥିବା ମହିଳାଙ୍କୁ ସୁନ୍ଦର ବୋଲି‌ ବି କହିଲେ ଏହାକୁ ଭିନ୍ନ ଅର୍ଥରେ ଉପସ୍ଥାପନ କରି ଦୋଷାରୋପ କରିବା ଠିକ୍‌ ନୁହେଁ। ସେ ଏକଥା ବି କହିଲେ, ଜଣେ ଲେଖିବା ପାଇଁ ପ୍ରକୃତି ସହ ସଂଶ୍ଳିଷ୍ଟ ନହେଲେ ଭଲ ସାହିତ୍ୟ ସୃଷ୍ଟି କରିପାରିବ ନାହିଁ। ପ୍ରେମ, କରୁଣା ଓ ଯୋଡ଼ିବାରେ ସାହିତ୍ୟ ମୁଖ୍ୟ ଭୂମିକା ନେବା ଉଚିତ୍‌ ବୋଲି ସେ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଇମ୍ପାକ୍ଟର କାର୍ଯ୍ୟକାରୀ ସଭାପତି ମାଳବିକା ରାୟ, ସମ୍ପାଦକ ରାଜକିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଟ୍ରଷ୍ଟି ପାରମିତା ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ଦେବପ୍ରସାଦ ଦାଶ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଏହି ଅବସରରେ ଗୋବିନ୍ଦ ମିଶ୍ର, ଲେଖିକା ପାରମିତା ଶତପଥୀ, ମାଳବିକା ରାୟ ଏବଂ ଶତ୍ରୁଘ୍ନ ପାଣ୍ଡବଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର