କଳ୍ପନା କରାଯାଉ କି, ଜୀବନ ହେଉଛି ପ୍ରେମ ଓ ଉଲ୍ଲାସ ଏବଂ ଭୋକ ଓ ଭୟର ଏକ ମହାସାଗର; ଆଉ ଆମେ ସମସ୍ତେ ସେଥିରେ ଭାସୁଛନ୍ତି। ଏହାର ସୁନ୍ଦର ଓ ଭୟଙ୍କର, ଶକ୍ତିଶାଳୀ ଓ ସର୍ବଦା ବଦଳୁଥିବା ତରଙ୍ଗ ମଧ୍ୟରେ ଆମେ ବଞ୍ଚିବାକୁ ପ୍ରୟାସ ଚଳାଇଛନ୍ତି। ଏହି ସମୁଦ୍ରରେ ଯେଉଁଠି ପ୍ରେମ, ଆନନ୍ଦ ଓ ଅପାର ସୁଖ ରହିଛି, ସେଠି ଭୟ ମଧ୍ୟ ବି ରହିଛି। ସେହି ଭୟ ହେଉଛି- ମୃତ୍ୟୁର ଭୟ, ଭୋକର ଭୟ, ଲାଭକ୍ଷତିର ଭୟ, ଭିଡ଼ ଭିତରେ ହଜିଯିବାର ଭୟ ଏବଂ ଅସଫଳ ରହିଯିବାର ଭୟ। ଏହି ସମୁଦ୍ରରେ ସାମୂହିକ ଏବଂ ନିରନ୍ତର ଯାତ୍ରାର ନାମ ଜୀବନ, ଯାହାର ଭୟାନକ ଗଭୀରତାରେ ଆମ ସମସ୍ତଙ୍କୁ ପହଁରିବାକୁ ପଡ଼ିବ। ଏହା ଏଥିପାଇଁ ଭୟାବହ ଯେ, ଏ ପର୍ଯ୍ୟନ୍ତ କେହି ଏହି ମହାସାଗରରୁ ରକ୍ଷା ପାଇବାକୁ ସକ୍ଷମ ହୋଇନାହାନ୍ତି କିମ୍ବା କେହି ରକ୍ଷା ପାଇପାରିବେ ନାହିଁ।
ଯେଉଁ ବ୍ୟକ୍ତି ନିଜର ଭୟର ଗଭୀରତାରେ ପଶିବାର କ୍ଷମତା ରଖିଛନ୍ତି ଏବଂ ଏହି ମହାସାଗରକୁ ସତ୍ୟନିଷ୍ଠାର ସହ ଦେଖିବାର ସାହସ ରଖିଛନ୍ତି, ସେ ହେଉଛନ୍ତି ହିନ୍ଦୁ। ହିନ୍ଦୁ ଧର୍ମ କେବଳ କିଛି ସାଂସ୍କୃତିକ ମାନ୍ୟତାରେ ସୀମିତ ବୋଲି କହିବା ତାହା ବାବଦରେ ଅଳ୍ପ ପାଠ ହେବ। ତାହାକୁ ଏକ ନିର୍ଦ୍ଦିଷ୍ଟ ରାଷ୍ଟ୍ର କିମ୍ବା ଭୂଭାଗ ବିଶେଷରେ ବାନ୍ଧି ରଖିବା ମଧ୍ୟ ତାହାର ଅବମାନନା ହେବ। ଭୟ ସହିତ ନିଜର ଆତ୍ମାର ସମ୍ବନ୍ଧକୁ ବୁଝିବା ଲାଗି ହିନ୍ଦୁ ଧର୍ମ ହେଉଛି ମନୁଷ୍ୟ ଦ୍ବାରା ଆବିଷ୍କୃତ ଏକ ପଦ୍ଧତି। ସତ୍ୟକୁ ଅଙ୍ଗୀକାର କରିବାର ଏହା ହେଉଛି ଏକ ମାର୍ଗ। ସେହି ମାର୍ଗ କୌଣସି ଜଣେ ବ୍ୟକ୍ତିଙ୍କର ନୁହେଁ, ବରଂ ଏହାକୁ ଆଧାର କରି ଚାଲିବାକୁ ଚାହୁଁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏହା ଉଦ୍ଦିଷ୍ଟ।

Advertisment

ଜଣେ ହିନ୍ଦୁ ନିଜର ଜୀବନ କାଳ ଭିତରେ ସମସ୍ତ ପ୍ରାଣୀଙ୍କ ପ୍ରତି କରୁଣା ଓ ଗରିମାର ସହିତ ଉଦାରପୂର୍ବକ ବ୍ୟବହାର ପ୍ରଦର୍ଶନ କରିଥାଏ। କାରଣ ସେ ଜାଣିଛି ଯେ, ଜୀବନରୂପୀ ଏହି ମହାସାଗରରେ ଆମେ ସମସ୍ତେ ଡୁବିବାରେ ଲାଗିଛନ୍ତି। ବଞ୍ଚିବା ଲାଗି ସଂଘର୍ଷ କରୁଥିବା ସମସ୍ତ ପ୍ରାଣୀଙ୍କୁ ରକ୍ଷା କରିବା ଲାଗି ସେ ଆଗେଇ ଆସିଥାଏ। ସବୁଠୁ ନିର୍ବଳ ଚିନ୍ତା ଓ ନିଶବ୍ଦ ଚିତ୍କାର ପ୍ରତି ମଧ୍ୟ ସେ ସଚେତନ ଥାଏ। ନିର୍ବଳମାନଙ୍କୁ ସୁରକ୍ଷା ଦେବାର କର୍ତ୍ତବ୍ୟ ହେଉଛି ତାହାର ଧର୍ମ। ସତ୍ୟ ଓ ଅହିଂସା ଶକ୍ତି ଦ୍ବାରା ଦୁନିଆର ସବୁଠୁ ଅସହାୟ ଡାକରାକୁ ଶୁଣିବା ଏବଂ ତାହାର ସମାଧାନ ଖୋଜି ବାହାର କରିବା ମଧ୍ୟ ହେଉଛି ତାହାର ଧର୍ମ।
ଜଣେ ହିନ୍ଦୁ ପାଖରେ ଭୟକୁ ଗଭୀର ଭାବରେ ଦେଖିବା ଏବଂ ତାହାକୁ ସ୍ବୀକାର କରିବାର ସାହସ ରହିଛି। ଜୀବନର ଯାତ୍ରାପଥରେ ସେ ଭୟ ରୂପୀ ଶତ୍ରୁକୁ ମିତ୍ରରେ ବଦଳାଇଦେବା ଶିଖିଥାଏ। ଭୟ କେବେ ତା’ ଉପରେ ପ୍ରଭାବ ବିସ୍ତାର କରେନାହିଁ, ବରଂ ଜଣେ ଘନିଷ୍ଠ ସଖା ହୋଇ ତା’କୁ ଆଗକୁ ଯିବାର ବାଟ ଦେଖାଇଥାଏ। ଜଣେ ହିନ୍ଦୁର ଆତ୍ମା ଏତେ ଦୁର୍ବଳ ନୁହେଁ ଯେ ସେ ନିଜ ଭୟର ନିୟନ୍ତ୍ରଣରେ ଆସି କୌଣସି ପ୍ରକାର କ୍ରୋଧ, ଘୃଣା ବା ପ୍ରତିହିଂସାର ମାଧ୍ୟମ ପାଲଟିଯିବ।

ହିନ୍ଦୁ ଜାଣିଥାଏ କି, ସଂସାରର ସମସ୍ତ ଜ୍ଞାନରାଶି ହେଉଛି ସାମୂହିକ ଏବଂ ସବୁ ଲୋକଙ୍କର ଇଚ୍ଛାଶକ୍ତି ଓ ପ୍ରୟାସରେ ତାହା ଉତ୍ପନ୍ନ ହୋଇଛି। ଏହା କେବଳ କାହା ଜଣଙ୍କର ସମ୍ପତ୍ତି ନୁହେଁ। ଏଥିରେ ସମସ୍ତଙ୍କର କିଛି ନା କିଛି ଅବଦାନ ରହିଛି। ସେ ଜାଣିଥାଏ କି, କିଛି ବି ସ୍ଥାୟୀ ନୁହେଁ ଏବଂ ସଂସାରରୂପୀ ମହାସାଗରର ଏହି ଧାରାରେ ଜୀବନ ଲଗାତାର ପରିବର୍ତ୍ତନଶୀଳ। ଜ୍ଞାନ ପ୍ରତି ଉତ୍କଟ ଜିଜ୍ଞାସାର ଭାବନା ଦ୍ବାରା ସଂଚାଳିତ ହିନ୍ଦୁର ବିବେକ ସର୍ବଦା ଖୋଲା ରହିଥାଏ। ସେ ବିନମ୍ର ହୋଇଥାଏ ଏବଂ ଏହି ଭବସାଗରରେ ବିଚରଣ କରୁଥିବା ଯେ କୌଣସି ବ୍ୟକ୍ତିଠାରୁ ବି ଶୁଣିବାକୁ ଓ ଶିଖିବାକୁ ସେ ପ୍ରସ୍ତୁତ ଥାଏ।
ହିନ୍ଦୁ ସମସ୍ତ ପ୍ରାଣୀଙ୍କୁ ଶ୍ରଦ୍ଧା କରିଥାଏ। ସେ ଜାଣିଥାଏ କି, ଏହି ମହାସାଗରରେ ପହଁରିବା ପାଇଁ ସମସ୍ତଙ୍କର ନିଜସ୍ବ ପଥ ଓ ପଦ୍ଧତି ରହିଛି। ନିଜ ରାସ୍ତାରେ ଚାଲିବାର ଅଧିକାର ସମସ୍ତଙ୍କର ରହିଛି। ସେ ସବୁ ରାସ୍ତାକୁ ଶ୍ରଦ୍ଧା କରେ, ସମସ୍ତଙ୍କୁ ଆଦର କରେ ଏବଂ ସେମାନଙ୍କର ଉପସ୍ଥିତିକୁ ସଂପୂର୍ଣ୍ଣ ନିଜର ଭାବି ସ୍ବୀକାର କରେ।

- ଲୋକସଭା ସଭ୍ୟ