ସମ୍ବଲପୁର: ଆସନ୍ତା ୧୫ ତାରିଖ ଶନିବାର ଦିନ ସମ୍ବଲପୁର ସହରରେ ୮ ଘଣ୍ଟା ଧରି ବିଦ୍ୟୁତ୍କାଟ ହେବ। ଶନିବାର ସକାଳ ୮ଟାରୁ ସଂଧ୍ୟା ୪ଟା ଯାଏ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବିଜୁଳି ବିଛିନ୍ନ ରହିବ। ଟିପିଡବ୍ଲୁଓଡିଏଲ୍ ତରଫରୁ ଏକ ପ୍ରେସ୍ ବିବୃତିରେ କହାଯାଇଛି ଯେ, ଉକ୍ତ ଦିନ ଓପିଟିସିଏଲ୍ର ୧୩୨/୧୩୩ କେଭି ଗଣେଶନଗର ଗ୍ରିଡ୍ ସବ୍ଷ୍ଟେସନ୍ର ବାର୍ଷିକ ରକ୍ଷଣାବେକ୍ଷଣ କରାଯିବ।
ଉକ୍ତ ସମୟରେ ସମ୍ବଲପୁର ବିଦ୍ୟୁତ୍ ଡିଭିଜନ୍ ଓ ସମ୍ବଲପୁର ପୂର୍ବ ବିଦ୍ୟୁତ୍ ଡିଭିଜନ୍ ଅଧିନସ୍ଥ ଅଇଁଠାପାଲି, ବରେଇପାଲି, ରେମେଡ୍, ଯୋଗୀପାଲି, କ୍ଷେତରାଜପୁର, ଧନୁପାଲି, ମାନେଶ୍ବର, ସିନ୍ଦୁରପଙ୍କ, କମିସନର କଲୋନି, ସିଟି ଷ୍ଟେସନ୍ ଆଦି ଅଞ୍ଚଳ ସହିତ ସମଗ୍ର ସହରରେ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ କହାଯାଇଛି।