ପଦ୍ମପୁର ଉପନିର୍ବାଚନ ପାଇଁ ସତ୍ୟ ଭୂଷଣ ସାହୁଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପରେ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି। ସତ୍ୟ ଭୂଷଣ ସାହୁଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ କରିଛି। ସତ୍ୟ ଭୂଷଣ ସାହୁଙ୍କ ନାମକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଅନୁମୋଦନ କରିଛନ୍ତି।

 

ସୂଚନାଯୋଗ୍ୟ, ସତ୍ୟ ଭୂଷଣ ସାହୁ ବିଗତ ଦିନରେ ତିନି ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ  ୧୯୮୦, ୧୯୮୫ ଓ ୨୦୦୪ରେ ନିର୍ବାଚନ ଜିତି ବିଧାୟକ ହୋଇଥିଲେ। ଚଳିତ ଥର କଂଗ୍ରେସ ପାଇଁ ସେ ହିଁ ଏକମାତ୍ର ବିକଳ୍ପ ଥିଲେ। ତେଣୁ କଂଗ୍ରେସ ସତ୍ୟ ଭୂଷଣଙ୍କୁ ଟିକେଟ ଦେଇଛି। ୨୦୧୯ ସାଧାରଣ ନିର୍ବାଚନରେ ସ୍ବର୍ଗତ ବିଜୟ ରଂଜନ ସିଂହ ବରିହା ବିଜୟୀ ହୋଇଥିଲା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୨ୟ ଓ ସତ୍ୟ ଭୂଷଣ ସାହୁ ୩ୟ ସ୍ଥାନରେ ଥିଲେ। ସତ୍ୟଭୂଷଣଙ୍କୁ ୨୦୧୪ରେ କ‌ଂଗ୍ରେସରୁ ଟିକେଟ ମିଳି ନ ଥିଲା। ଏହା ପୂର୍ବରୁ ୨୦୦୯ରେ ହୋଇଥିବା ସାଧାରଣ ନିର୍ବାଚନରେ ସତ୍ୟ ଭୂଷଣ ୨ୟ ସ୍ଥାନରେ ଥିଲେ।

ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ହେବେ ବିଜେପି ପ୍ରାର୍ଥୀ। ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବିଧିବଦ୍ଧ ଘୋଷଣା କରିଛି। ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବେ ବୋଲି ଆପାତତଃ ସ୍ଥିର ହୋଇଥିବା କିଛି ଦିନ ଆଗରୁ ଜଣାଯାଇଥିଲ। ଦଳ ପକ୍ଷରୁ କେବଳ ତାଙ୍କ ନାଁ କେନ୍ଦ୍ରୀୟ ସଂସଦୀୟ ବୋର୍ଡକୁ ସୁପାରିଶ କରାଯାଇଥିଲା। ଆଜି ବିଜେପି ପଦ୍ମପୁର ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ।

ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ ତାରିଖରେ ପରଲୋକ ହେବା ପରେ ଓଡ଼ିଶା ବିଧାନସଭାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବା ସଂକ୍ରାନ୍ତରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ବିଜ୍ଞପ୍ତି ଜାରି କରିଥିଲେ। ଏହା ଓଡ଼ିଶା ଗେଜେଟରେ ପ୍ରକାଶ ପାଇଥିଲା ପଦ୍ମପୁର ବିଧାନସଭାର ଉପନିର୍ବାଚନ ପାଇଁ ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ତ୍ରିଲୋଚନ ପାତ୍ର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ୧୦ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ଦିନ ୧୧ରୁ ୩ ଟା ରେ ମନୋନୟ ଦାଖଲ ପ୍ରକ୍ରିୟା ଜାରି ରହିବ। ୧୮ ତାରିଖରେ ମନୋନୟନ ପତ୍ର ଯାଞ୍ଚ କରାଯିବ ଏବଂ ୨୧ ତାରିଖ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ରହିଛି ବୋଲି ରିଟର୍ଣ୍ଣିଂ ଅଫିସର କହିଛନ୍ତି। ସେହିପରି ଆସନ୍ତା ୫ ତାରିଖରେ ସକାଳ ୭ ଟାରୁ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଭୋଟଦାନ କରାଯିବ।

ସମ୍ବନ୍ଧିତ ଖବର