ସୁରତ ପୁଲିସ ମାଡ଼ରେ ସତ୍ୟ ସ୍ବାଇଁଙ୍କ ମୃତ୍ୟୁ ଘଟଣା : ଗୁଜରାଟ ଡିଜି, ସୁରତ ଜିଲ୍ଲାପାଳ ଓ ପୁଲିସକୁ ଏନ୍‌ଏଚ୍‌ଆରସିଙ୍କ ଜବାବ ତଲବ

ବ୍ରହ୍ମପୁର : ସୁରତ ଆମ୍ରୋଲି ଥାନା ପୁଲିସ ମାଡ଼ରେ ସୂତାକଳ ଶ୍ରମିକ ଗଞ୍ଜାମର ସତ୍ୟବାନ ସ୍ବାଇଁଙ୍କ ମୃତ୍ୟୁ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ଜାତୀୟ ମାନବାଧିକାର କମିସନ। ଗୁଜରାଟ ଡିଜି, ସୁରତ କମିସନରେଟ୍‌ ପୁଲିସ ଓ ସୁରତ ଜିଲ୍ଲାପାଳଙ୍କୁ ଏନ୍‌ଏଚ୍‌ଆରସି ଜବାବ ତଲବ୍‌ କରିଛନ୍ତି। ଶବ ବ୍ୟବଚ୍ଛେଦର ଭିଡିଓ ସିଡି, ଶବ ବ୍ୟବଚ୍ଛେଦ ରିପୋର୍ଟ, ଭିସେରା ରିପୋର୍ଟ, ଫରେନ୍‌ସିକ ରିପୋର୍ଟ, ମୃତକଙ୍କ ଚିକିତ୍ସା ରିପୋର୍ଟ, ପଞ୍ଚନାମା ରିପୋର୍ଟ, ମାଜ୍ରିଷ୍ଟ୍ରେଟ୍‌ ତଦନ୍ତ ରିପାର୍ଟ, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ, ସମ୍ପୃକ୍ତ ବିଭାଗୀୟ କର୍ମଚାରୀଙ୍କ ବିରୋଧରେ ନିଆ ଯାଇଥିବା ପଦ‌େକ୍ଷେପ, ସିବି ସିଆଇଡିର ତଦନ୍ତ, ଏଫଆଇଆର, ଘଟଣାସ୍ଥଳର ସମ୍ପୂର୍ଣ୍ଣ ବିବରଣୀ ଓ ମ୍ୟାପ୍‌ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୮ତାରିଖରେ ଥିବା ବେଳେ ୮ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା କୁଲାଡ଼ ନିକଟ ବାରୁଡ଼ା ଗ୍ରାମର ସତ୍ୟବାନ ସ୍ବାଇଁ (୩୫) ସୁରତ ସୂତାକଳ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଲକ୍‌ଡାଉନ୍‌ ପରେ ସୂତାକଳରେ ତାଲା ଝୁଲିବା ପରେ ସୁରତର ଓଡ଼ିଆ ଶ୍ରମିକମାନେ ଜୀବିକା ଦୁର୍ଦ୍ଦିନରେ ଦିନ କାଟୁଥିଲେ। ଲକ୍‌ଡାଉନ୍‌ କଟକଣା କୋହଳ ପରେ ଶ୍ରମିକମାନେ ଘରକୁ ଫେରୁଥିଲେ। ଟ୍ରେନ ଟି‌କେଟ୍‌ ମିଳୁ ନଥିବାରୁ ଗତ ୧୪ତାରିଖରେ ସୁରତ ଆମ୍ରୋଲି ଥାନାରେ ଶ୍ରମିକ ଭିଡ଼ ଜମାଇଥିଲେ। ଏହି ଘଟଣା ପରେ କେତେ ଜଣ ପୁଲିସ ଅଧିକାରୀ ଆମ୍ରୋଲି ଥାନା ଅନ୍ତର୍ଗତ ଅଂଜନୀ ଇଣ୍ଡଷ୍ଟ୍ରିଆଲ୍‌ ଇଷ୍ଟେଟ୍‌ରେ ପଶି ଶ୍ରମିକଙ୍କୁ ମାଡ଼ ମାରିଥିଲା। ଶ୍ରମିକ ରହୁଥିବା କମ୍ପାନି ଘରର ତାଲା ଭାଙ୍ଗି ଭିତରେ ପଶି ପୁଲିସ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲା। କମ୍ପାନି ପରିସରରେ ସତ୍ୟବାନଙ୍କୁ ନିସ୍ତୁକ ମାଡ଼ ମାରିଥି‌ଲା। ପୁଲିସ ମାଡ଼ରେ ସତ୍ୟଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଜାତୀୟ ମାନବାଧିକାର କମିସନ(ଏନ୍‌ଏଚ୍‌ଆରସି)ଙ୍କ ନିକଟକୁ ଅଭିଯୋଗର ସୁଅ ଛୁଟିଥିଲା। ଏନ୍‌ଏଚ୍‌ଆରସିଙ୍କ ପାଖରେ ଅଦ୍ୟାବଧି ଏ ନେଇ ୧୪ଟି ପିଟିସନ୍‌ ହୋଇଛି। ଏଥିରୁ ୩ଟିକୁ ଗ୍ରହଣ କରି ୩ଟି ମାମଲା ରୁଜୁ କରିଛନ୍ତି। ଏଥି ମଧ୍ୟରୁ ପୁରୀର ସୂଚନା ଅଧିକାର କର୍ମୀ ଜୟନ୍ତ କୁମା‌ର ଦାସଙ୍କ ଅଭିଯୋଗ କ୍ରମେ ଏନ୍‌ଏଚ୍‌ଆରସି୍‌ ୩୫୦ ନମ୍ବର କେସ୍‌ ରୁଜୁ କରି ଉପରୋକ୍ତ ନିର୍ଦ୍ଦେଶ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର