ଜଗତସିଂହପୁର: ଜଗତସିଂହପୁର ନିର୍ବାଚନମଣ୍ଡଳୀର ବିଜେପି ଟିକେଟ ଘୋଷଣା ହୋଇ ନ ଥିବାବେଳେ ଏବେ ତାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ପୂର୍ବତନ ବିଜେଡି ସଭାପତି ଅମରେନ୍ଦ୍ର ଦାସ ବିଜେପିରେ ମିଶିବାପରେ ଦଳ ତାଙ୍କୁ ପ୍ରାର୍ଥୀ କରିବ ବୋଲି ଆଲୋଚନା ହେଉଥିବା ବେଳେ କିଛିଦିନ ଚୁପ୍ ରହିଥିବା ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ଆଜି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।
ସୂଚନା ଅନୁସାରେ, ସତ୍ୟବ୍ରତ ଆଜି ଶତାଧିକ ସମର୍ଥକଙ୍କୁ ସହ ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସଭାପତି ମନମୋହନ ସାମଲଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ସେ ରାଜ୍ୟ ସଭାପତିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ଯେ ଜିଲ୍ଲାର ସବୁ ନିର୍ବାଚନମଣ୍ଡଳୀରେ ଦଳର ସାଂଗଠନିକ ଶକ୍ତି ସହିତ ଭୋଟ୍ହାର ମଧ୍ୟ ବଢ଼ିଚାଲିଛି। ପଞ୍ଚାୟତ ନିର୍ବାଚନରେ ସରପଞ୍ଚ, ସମିତି ସଭ୍ୟ ଓ ପୌର ନିର୍ବାଚନରେ କାଉନସିଲର ଜିତି ପାରିଛନ୍ତି। ଜଗତସିଂହପୁର ପୌର ପରିଷଦରେ ବିଜେପି ଉପାଧ୍ୟକ୍ଷ ଆସନ ହାତେଇଛି। ପ୍ରାର୍ଥୀ ଘୋଷଣା ବିଳମ୍ବ ହେଉଥିବାରୁ ସାଧାରଣରେ ଚର୍ଚ୍ଚା ହେବା ସହ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ଭାଙ୍ଗିବାରେ ଲାଗିଛି। ତେଣୁ ତାଙ୍କର ପ୍ରାର୍ଥିତ୍ବକୁ ବିଚାର କରି ଦଳୀୟ ସ୍ବୀକୃତି ପ୍ରଦାନ ସହ ନାମ ଘୋଷଣା କରାଗଲେ ସେ ଓ ବିଜେପି କର୍ମୀମାନେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବେ ବୋଲି ସତ୍ୟବ୍ରତ ଦର୍ଶାଇଛନ୍ତି।
ଜିଲ୍ଲା ଉପସଭାପତି ସୌଭାଗ୍ୟ ମହାନ୍ତି, ଜଗତସିଂହପୁର ପୌର ପରିଷଦ ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଷୋଇ, ମିଡ଼ିଆ ସେଲ ଅଧ୍ୟକ୍ଷ ଗଣେଶ ପ୍ରସାଦ ମହାନ୍ତି, ମହିଳା ମୋର୍ଚ୍ଚ ସଭାପତି କ୍ରିଷ୍ଣା ମହାନ୍ତି, ଜିଲ୍ଲା ଯୁବ ମୋର୍ଚା ସଭାପତି ସୁଧୀର ମଲ୍ଲିକ, ନଗର ଯୁବ ସଭାପତି ରାଜ ନାରାୟଣ ସାହୁ, ରାଜ୍ୟ ଯୁବ ମୋର୍ଚ୍ଚା ସଦସ୍ୟ କାଳୀକିଙ୍କର ମହାନ୍ତି, ମଣ୍ଡଳ ସଭାପତି ଅକ୍ଷୟ କୁମାର ପାତ୍ର, ଚିତ୍ତରଞ୍ଜନ ପଣ୍ଡା, ଧନେଶ୍ୱର ରାୟ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଶିଶିର ପାତ୍ର, ତାପସୀ ମଲ୍ଲିକ, କାଉନସିଲର ସବିତା ପ୍ରଧାନ, ଦିଲ୍ଲୀପ କୁମାର ବେହେରା, ସତ୍ୟଜିତ ମହାନ୍ତି, ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର କର୍ମକର୍ତ୍ତାମାନେ ଏହି ଶକ୍ତି ପ୍ରଦର୍ଶନରେ ସାମିଲ୍ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/sfhsfhhfhf.jpg)