ଭୁବନେଶ୍ବର : ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ, ବୌଦ୍ଧ, ଜୈନ, ଶିଖ ଆଦି ଧର୍ମାବଲମ୍ବୀଙ୍କୁ ଏକତ୍ର କରି ମହାତ୍ମା ଗାନ୍ଧୀଙ୍କ ସଂଗ୍ରାମର ଫଳ ସ୍ବରୂପ ଭାରତ ସ୍ୱାଧୀନତା ପାଇଥିଲା। ହେଲେ ମହାତ୍ମା ଗାନ୍ଧୀଙ୍କୁ ଭାରତରେ ଖଳନାୟକ ସଜାଇବା ପାଇଁ ଏକ ଯୋଜନାବଦ୍ଧ ଷଡ଼୍‌ଯନ୍ତ୍ର ଚାଲିଛି। କିଛି ସାଂପ୍ରଦାୟିକ ଶକ୍ତି ଏହି ଅପଚେଷ୍ଟା ଚଳାଇଛନ୍ତି। କିନ୍ତୁ ସେମାନେ ବୁଝିବା ଜରୁରୀ ଯେ, ଯେଉଁ ଗାନ୍ଧୀଙ୍କୁ ସେମାନଙ୍କ ଗୁଳି ଖତମ କରିପାରିନାହିଁ, ଗାଳିରେ ସେ କେମିତି ଖତମ ହେବେ? ମହାତ୍ମାଙ୍କ ପ୍ରତି ସାମ୍ପ୍ରଦାୟିକ ଶକ୍ତିଙ୍କର ଏଭଳି ଅଶୋଭନୀୟ ଆଚରଣ ଯୋଗୁଁ ବିଶ୍ବରେ ଭାରତର ଛବି ମଳିନ ହେଉଛି। ତେଣୁ ଏଭଳି ଏକ ସଂକଟମୟ ପରିସ୍ଥିତିରେ ଭାରତର ଜନଗଣଙ୍କୁ ଜାଗ୍ରତ କରାଇବା ଲକ୍ଷ୍ୟରେ ଏକ ରାଷ୍ଟ୍ରୀୟ ଅଭିଯାନ, ‘ରାଷ୍ଟ୍ରପିତାଙ୍କ ଅପମାନ- ସହିବ ନାହିଁ ହିନ୍ଦୁସ୍ତାନ’ ଆରମ୍ଭ ହୋଇଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଗାନ୍ଧୀଜୀଙ୍କ ବଳିଦାନ ଦିବସରେ ଶେଷ ହେବ।

Advertisment

ଏହି ଅବସରରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଓ ରାଷ୍ଟ୍ରୀୟ ଯୁବା ସଂଗଠନ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିବାଦ ସଭାରେ ଡ. ବିଶ୍ବଜିତ୍, ରାମ ଶଙ୍କର ଦାସ, ରବି ଦାସ, ଜନାର୍ଦ୍ଦନ ପତି, ବିଜୟ ମହାନ୍ତି, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡ଼ା, ଜୟନ୍ତ କୁମାର ଦାସ, ଅଶୋକ କୁମାର ସାହୁ, ସୁରେଶ ପାଣିଗ୍ରାହୀ, ବୀରେନ୍ଦ୍ର ପ୍ରତାପ ଦାସ, ଅମୀୟ ପାଣ୍ଡବ, ଦେବ ପ୍ରସାଦ ପରିଜା, କଲ୍ୟାଣ ଆନନ୍ଦ, ଅରୁଣ ଜେନା, ସତୀଶ ମିଶ୍ର, ବିନୋଦ ସାହୁ, ବିଶ୍ବପ୍ରିୟ କାନୁନଗୋ, ବିଜୟ ପରିଡ଼ା, ମଧୁସୂଦନ ବିଶ୍ବାଳ, ଡଲି ଅପା, ଅନୁରାଧା ସୁବୁଦ୍ଧି, କିଶୋର ନାୟକ, ଲଳିତ ମହାପାତ୍ର, ରକ୍ଷାକର ଅନୁପମ, ମୀର ଅହମ୍ମଦ ଅଲ୍ଲୀ, ଅଲିଭା ଦାଶ, ଅଂଶୁମାନ, ମାୟାଧର ନାୟକ, ପ୍ରିୟା ଗରାବଡୁ, ମିହିର ଜେନା, ମାନସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଦିଲ୍ଲୀ, ହରିଦ୍ବାର ଓ ରାୟପୁର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଧର୍ମସଭା ନାଁରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦିଆଯାଇଥିଲା। ଏହା ସହ ରାଷ୍ଟ୍ରପିତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରାଯାଇଥିଲା। ଏପରିକି ସଂଖ୍ୟାଲଘୁଙ୍କ ବିରୋଧରେ ମଧ୍ୟ ବିଷୋଦଗାରର କରାଯାଇଥିଲା। ଏହାକୁ ନେଇ ଦେଶବ୍ୟାପୀ ଗାନ୍ଧୀପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।