ଭୁବନେଶ୍ବର: ଆମ୍ଭମାନଙ୍କ ଭିତରେ ପ୍ରଶ୍ନ ପଚାରିବାର ଅଭ୍ୟାସ କମିଯାଉଛି। ପୂର୍ବଭଳି କେହି ପ୍ରଶ୍ନ ପଚାରୁନାହାନ୍ତି। ଯିଏ ପ୍ରଶ୍ନ କରୁଛନ୍ତି, ତାଙ୍କୁ ଉତ୍ତର ମିଳୁନାହିଁ। ସତ ଲୁଚାଇବାକୁ ସବୁ ସ୍ତରରେ ସମସ୍ତେ ଲାଗିପଡ଼ିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ଗାଁ କଥା କହିବାକୁ ଆଉ କେହି ପ୍ରସ୍ତୁତ ନୁହନ୍ତି। ଏବେ ସମୟ ଆସିଛି ଆମେ ବିଜ୍ଞାନ ଓ କାରିଗରୀ କୌଶଳ ପ୍ରୟୋଗ କରି ପ୍ରଶ୍ନ ପଚାରିବାର ଅଭ୍ୟାସକୁ ଉତ୍ସାହରେ ପରିଣତ କରିବାକୁ ପଡ଼ିବ ବୋଲି ‘ସତ୍ୟାଗ୍ରହ’ ପୋର୍ଟାଲ୍ର ଲୋକାର୍ପଣ କରି ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।
ରେଳ ପ୍ରେକ୍ଷାଳୟରେ ଆୟୋଜିତ ଉତ୍ସବରେ ଶ୍ରୀ ପଟ୍ଟନାୟକ କହିଲେ, ମହାତ୍ମା ଗାନ୍ଧୀଙ୍କ ଦ୍ବାରା କରାଯାଇଥିବା ସତ୍ୟାଗ୍ରହ ବେଶ ପ୍ରଭାବଶାଳୀ ଅସ୍ତ୍ର ଥିଲା। ବର୍ତ୍ତମାନ ସେଭଳି ଏକ ‘ସତ୍ୟାଗ୍ରହ’ ସୃଷ୍ଟି ହେବାର ଆବଶ୍ୟକତା ରହିଛି। ଯେଉଁଥିରେ ସତ୍ୟାଗ୍ରହ ପୋର୍ଟାଲ୍ ପ୍ରମୁଖ ଭୂମିକା ନିର୍ବାହ କରିବ। ଆଜି ୪୦୦ ଲୋକଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ‘ସତ୍ୟାଗ୍ରହ’ ଆଗାମୀ ଦିନରେ ବ୍ୟାପକ ରୂପ ନେବ ଓ ଏହା ମାଧ୍ୟମରେ ଗାଁ ଗାଁରେ ସତ୍ୟାଗ୍ରହୀ ସୃଷ୍ଟି ହେବେ। ଯେଉଁମାନେ କି ମା’, ମାଟି, ମାତୃଭାଷା, ମୋବାଇଲ୍ ଓ ମଦମୁକ୍ତ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନେବେ। ଏହି ଅଭିଯାନକୁ ଅକ୍ଟୋବର ୨ ସୁଦ୍ଧା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ। ପ୍ରତ୍ୟେକ ସତ୍ୟାଗ୍ରହୀ ୧୦ ଜଣଙ୍କୁ ‘ସତ୍ୟାଗ୍ରହ’ରେ ଯୋଡ଼ିବାକୁ ସେ ଆହ୍ବାନ ଦେଇଥିଲେ।
ଆଇଆଇଟି ଭୁବନେଶ୍ବର ଇନ୍କ୍ୟୁଭେସନ ସେଣ୍ଟରରେ ଗବେଷଣା କରୁଥିବା ଅମ୍ଳାନ ବିଶ୍ବାଳ ଯୋଗଦେଇ ପୋର୍ଟାଲ୍ର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଲେ, ଲୋକଙ୍କ ସମସ୍ୟା, ଅସୁବିଧା ପ୍ରଶାସନ ନିକଟରେ ପହଞ୍ଚାଇବାକୁ ଏଭଳି ପ୍ରୟାସ କରାଯାଇଛି। ରାଜ୍ୟରେ ଏମିତି ବହୁ ଲୋକ ରହିଛନ୍ତି ଯେଉଁମାନେ ସମସ୍ୟା ଭିତରେ ବୁଡ଼ି ରହୁଛନ୍ତି। ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ‘ସତ୍ୟାଗ୍ରହ’ ପୋର୍ଟାଲ ସହାୟକ ହେବ। ଅଡିଓ, ଭିଡିଓ, ଡକ୍ୟୁମେଣ୍ଟ ମାଧ୍ୟମରେ ସାଧାରଣ ଜନତା ଏହି ପୋର୍ଟାଲ୍ରେ ପ୍ରଶାସନକୁ ପ୍ରଶ୍ନ ପଚାରିବେ ଏବଂ ଉତ୍ତର ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ସେ କହିଥିଲେ।