ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ଦାବିରେ ସବୁ ଜିଲ୍ଲାରେ ସତ୍ୟାଗ୍ରହ

ଭୁବନେଶ୍ୱର : ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚର ଗଣସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୧ ଟା ୩୦ ରୁ ମଞ୍ଚର ବ୍ୟାନର, ପ୍ଲାକାର୍ଡ ଓ ସ୍ଲୋଗାନ ସହ ଭର୍ଚୁଆଲ୍ ମୋଡରେ ଜମାକାରୀ ଏଥିରେ ସାମିଲ ହୋଇଥିଲେ। ଯାଞ୍ଚ ସରିଥିବା ସମସ୍ତ ଜମାକାରୀଙ୍କୁ ଅବିଳମ୍ବେ ଟଙ୍କା ଫେରସ୍ତ, ବାକି ସମସ୍ତ ଜମାକାରୀଙ୍କୁ ତହସିଲ୍ ଜରିଆରେ ଚିହ୍ନଟ ଓ ଯାଞ୍ଚ ସହ ଟଙ୍କା ଫେରସ୍ତ, ସାହାରା ଭଳି ଅନ୍ୟାନ୍ୟ ସଂସ୍ଥା ଯେଉଁମାନେ ଟଙ୍କା ନେଉଛନ୍ତି, ମାତ୍ର ପରିପକ୍ୱ ରାଶି ଫେରାଉ ନାହାନ୍ତି, ସେହି ସମସ୍ତ ଜମାକାରୀଙ୍କୁ ପରିପକ୍ୱ ରାଶି ଫେରସ୍ତ ପର୍ଯ୍ୟନ୍ତ ଜମାରାଶି ଆଦାୟ ବନ୍ଦ ରଖିବା ପାଇଁ ଏହି ଅବସରରେ ଦାବି କରାଯାଇଛି। କୋଭିଡ୍ ସତର୍କତା ମଧ୍ୟରେ ଆଜିର ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା।

ମଞ୍ଚର ଅଭିଯୋଗ ହେଲା, ତଦନ୍ତ କମିସନଙ୍କ ସପ୍ତମ ପର୍ଯ୍ୟାୟ ସୁପାରିସ କ୍ରମେ ତହସିଲ୍ ଜରିଆରେ ଯାଞ୍ଚ ଶେଷ ହୋଇଥିବା ସମସ୍ତ ଜମାକାରୀଙ୍କୁ ସରକାର ଏ ପର୍ଯ୍ୟନ୍ତ ଟଙ୍କା ଫେରାଇ ନାହାନ୍ତି। ଅଳ୍ପ କିଛି କ୍ଷୁଦ୍ର ଜମାକାରୀଙ୍କୁ ୨୦୧୯ ମସିହା ନିର୍ବାଚନ ପୂର୍ବରୁ ଟଙ୍କା ଫେରସ୍ତ ପରେ ବାକି ଟଙ୍କା ସରକାର ଖାଇଯାଇଛନ୍ତି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ସରକାର ୩୦୦ କୋଟି ଟଙ୍କାର କର୍ପସ୍ ପାଣ୍ଠି ଗଠନ କରି ଟଙ୍କା ଫେରସ୍ତ ପ୍ରତିଶ୍ରୁତି ଦେଲେ। ତଦନ୍ତ କମିସନ ୭ଟି ପର୍ଯ୍ୟାୟରେ ୪ ଲକ୍ଷ ୯୭ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ ସୁପାରିସ କରିଥିଲେ। ମାତ୍ର ସେଥି ମଧ୍ୟରୁ ସ୍ୱଳ୍ପ କିଛି ଜମାକାରୀଙ୍କୁ ସରକାର ୨୦୧୯ ନିର୍ବାଚନ ପୂର୍ବରୁ ଟଙ୍କା ଫେରସ୍ତ ଦେଇ ବାକି ଜମାକାରୀଙ୍କୁ ଟଙ୍କା ଫେରାଉ ନାହାନ୍ତି। ୨୦୧୮-୧୯ ମସିହାରେ ନେଇଥିବା ଲକ୍ଷଲକ୍ଷ ସତ୍ୟପାଠର ଲଫାପା ଖୋଲିବା ପୂର୍ବରୁ ସରକାର ତଦନ୍ତ କମିସନ ବନ୍ଦ କରିଦେଲେ।

ଅନ୍ୟ ପଟେ କମ୍ପାନିମାନଙ୍କ ଜବତ ବ୍ୟାଙ୍କ ଆକାଉଣ୍ଟ, କୋଠାବାଡ଼ି ଓ ସମ୍ପତ୍ତି ବିକ୍ରି ଲବ୍ଧ ଅର୍ଥକୁ ସରକାର ଜମାକାରୀଙ୍କୁ ଫେରାଉ ନାହାନ୍ତି। ସଂକ୍ରମଣ ତଳମୁହାଁ ହେବା ପରେ ଟଙ୍କା ଫେରସ୍ତ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣସତ୍ୟାଗ୍ରହ ଚାଲିବ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ଏହି ଡିଜିଟାଲ ଗଣସତ୍ୟାଗ୍ରହରେ ବାଲେଶ୍ୱରରେ ମଞ୍ଚ ସଭାପତି ଜୟନ୍ତ ଦାସ ଓ ଦୀପକ ସାମଲ ସାମିଲ ହୋଇଥିଲେ। ସେହି ଭଳି ଖୋର୍ଦ୍ଧାରେ ମଞ୍ଚ ସମ୍ପାଦକ ମଧୁସୂଦନ ବିଶ୍ୱାଳ ଓ ଅନୁରାଧା ସୁବୁଦ୍ଧି, ବରଗଡ଼ରେ ସୁଶାନ୍ତ ମହାପାତ୍ର, ଭଦ୍ରକରେ ଉମେଶ ଚନ୍ଦ୍ର ନାୟକ, ନୂଆପଡ଼ାରେ ଅମର ସାହୁ, ନୟାଗଡ଼ରେ ଚଣ୍ଡାଳ ପ୍ରଧାନ ଓ ସଂଜୟ ମହାପାତ୍ର, କଳାହାଣ୍ଡିରେ ହେମନ୍ତ ନାୟକ, ସୁନ୍ଦରଗଡ଼ରେ ରମେଶ ମହାନନ୍ଦିଆ ଓ ସନ୍ତୋଷିନୀ ପଣ୍ଡା, ଦେବଗଡ଼ରେ ସୋମନାଥ ପ୍ରଧାନ ଓ ସୁବାସିନୀ ବେହେରା, କେନ୍ଦୁଝରରେ ଡାକ୍ତର ମହନ୍ତ ଓ ଜ୍ୱାଳା ବାରିକ, ବଲାଙ୍ଗୀରରେ ଲଳିତ ଦୀପ, ଗଞ୍ଜାମରେ ଭଞ୍ଜକିଶୋର ପ୍ରଧାନ, ଅନୁଗୁଳରେ ଦିଗମ୍ବର ବାରିକ, କେନ୍ଦ୍ରାପଡ଼ାରେ ବନ୍ଦିତା ବେହେରା, ଝାରସୁଗୁଡ଼ାରେ ତେଜସ୍ବିନୀ ପଟେଲ, ସୁବର୍ଣ୍ଣପୁରରେ କୁଶଲେଶ୍ୱର ନାୟକ, ପୁରୀରେ ପୀତାମ୍ବର ମାଣିକ ଓ ଆଦିକନ୍ଦ ପ୍ରମୁଖଙ୍କ ନେତୃତ୍ୱରେ ଗଣସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା। ମଞ୍ଚର ଡିଜିଟାଲ୍ ମିଡିଆ ମୁଖ୍ୟ ସଂଯୋଜକ ତ୍ରିନାଥ ପଣ୍ଡା ଏହାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର