ଭୁବନେଶ୍ବର : ରାଜ୍ୟ ସରକାରଙ୍କ କୃଷିମାରଣ ନୀତି ବିରୋଧରେ ଲୋୟର୍‌ ପିଏମ୍‌ଜିରେ ବିଜେପି ପକ୍ଷରୁ ଦିଆଯାଇଥିବା ସତ୍ୟାଗ୍ରହ ଶୁକ୍ରବାର ଦିନ ୮ମ ଦିନରେ ପହଞ୍ଚିଛି। ଆଜି ବିଜେପି ବିଧାୟକମାନେ ବିଧାନସଭାରୁ ଚାଲିଚାଲି ସିଧାସଳଖ ସତ୍ୟାଗ୍ରହ ସ୍ଥଳରେ ପହଞ୍ଚି ସତ୍ୟାଗ୍ରହୀମାନଙ୍କୁ ଉତ୍ସାହିତ କରିଥିଲେ। ମଣ୍ଡି ସମସ୍ୟା, ବିହନ ଓ ସାର ଅଭାବ, ଅବ୍ୟବସ୍ଥିତ ଟୋକନ୍‌ ବ୍ୟବସ୍ଥା, କଟ୍‌ନି, ବେପାରୀ-ମିଲର୍‌-ରାଜ୍ୟ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ଚାଷୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି ବୋଲି ବିଜେପି ଅଭିଯୋଗ କରିଛି।

Advertisment

ଶୁକ୍ରବାର ଦିନ ସତ୍ୟାଗ୍ରହରେ ସାମିଲ୍‌ ହୋଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ଯୋଗୁ ଚାଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ୨୨ବର୍ଷର ବିଜେଡି ଶାସନରେ ଚାଷୀ ଆତ୍ମହତ୍ୟା ଓ ଚାଷୀ ଅନାହାର ଶୀର୍ଷରେ ପହଞ୍ଚିଛି। ଚାଷୀଙ୍କୁ ଜଳସେଚନ, ସାର, ବିହନ ଆଦି ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ କୃଷିକଲ୍ୟାଣ ଯୋଜନାର ସୁଫଳରୁ ଚାଷୀମାନଙ୍କୁ ବଞ୍ଚିତ କରିରଖୁଛନ୍ତି ରାଜ୍ୟ ସରକାର। ଶ୍ରୀ ଷଡ଼ଙ୍ଗୀ ଆହୁରି କହିଛନ୍ତି, କାଳିଆ ଯୋଜନାରେ ରାଜ୍ୟ ସରକାର ଘୋଷଣା କରିଥିବା ୧୦ହଜାର ଟଙ୍କା ନଦେଇ ମାତ୍ର ୪ହଜାର ଟଙ୍କା ଦେଉଛନ୍ତି। ଏହି ଯୋଜନାରେ ଚାଷୀମାନଙ୍କ ଅପେକ୍ଷା ବିଜେଡି ନେତାମାନେ ଲାଭବାନ ହେଉଛନ୍ତି। ଦୀର୍ଘ ୨୨ବର୍ଷ ଶାସନର ଚାଷୀଙ୍କ ଅଭିବୃଦ୍ଧି ପାଇଁ ଗୋଟିଏ ହେଲେ ପକ୍କା ଯୋଜନା କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାର, ଗୋଟିଏ ହେଲେ ନୂତନ ଶୀତଳ ଭଣ୍ଡାର ମଧ୍ୟ ଖୋଲିନାହାଁନ୍ତି।

ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ କହିଲେ ଦାବି ପୂରଣ ନହେଲେ ବ୍ଲକ ସ୍ତରରେ ଆନ୍ଦୋଳନକୁ ଜୋର୍‌ଦାର କରାଯିବ। ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ଭାସ୍କର ମଢ଼େଇ, ସୁକାନ୍ତ ନାୟକ, ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ଜୟନ୍ତ ଷଡ଼ଙ୍ଗୀ, ନବଚରଣ ମାଝୀ ଓ ସନାତନ ବିଜୁଳି ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୃଥ୍ବୀରାଜ ହରିଚନ୍ଦନ, ନୟନ ମହାନ୍ତି, ଦିଲୀପ ମହାନ୍ତି, ସୁରଥ ବିଶ୍ବାଳ, ଭୁବନ ମୋହନ ଜେନା, ଅଲେଖ ଜେନା, କିଶୋର ପଣ୍ଡା, ଦୁର୍ଯ୍ୟୋଧନ ସାହୁ, ଶାରଦା ପ୍ରଧାନ, ବାବୁ ସିଂ, ଆଶ୍ରିତ ପଟ୍ଟନାୟକ, ସୁଜିତ୍‌ କୁମାର ଦାସ, ସୁଶାନ୍ତ, ମଲ୍ଲିକ, ମହେଶ ମହାନ୍ତି, ପ୍ରଦୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ସତ୍ୟାଗ୍ରହରେ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗର ନିର୍ବାଚନମଣ୍ଡଳୀର ଚାଷୀମାନେ ସାମିଲ ହୋଇଥିଲେ।