ଅନୁଗୁଳ : ଜାତିର ପିତା ମହାତ୍ମା ଅନୁଗୁଳକୁ ଆସିଥିଲେ ବୋଲି ସାରା ଜିଲ୍ଲା ଗର୍ବ କରୁଛି। ସ୍ବାଧୀନତାର ଅମୃତ ମହୋତ୍ସବ ପାଳିବା ପରେ ଗାନ୍ଧୀଜୀଙ୍କ ସ୍ମୃତିଚାରଣ କରି ଏ ମାଟି ନିଜକୁ ଭାଗ୍ୟବାନ ମନେକରୁଛି। କିନ୍ତୁ ଏହି ଗାନ୍ଧୀଙ୍କ ସ୍ମୃତିରକ୍ଷା ପାଇଁ ଏଠାରେ ଚାଖଣ୍ଡେ ଜାଗା ମିଳୁନି। ବରଂ ଯେତିକି ମିଳିଥିଲା, ପ୍ରଶାସନିକ ଅଧିକାରୀମାନେ ନିଜ କ୍ଷମତା ଦେଖାଇ ଛଡ଼ାଇ ନେଇଛନ୍ତି। ପ୍ରସ୍ତାବିତ ଗାନ୍ଧୀଭବନ ଜାଗାରେ ତିଆରି କରୁଛନ୍ତି ଅଙ୍ଗନବାଡ଼ି କେନ୍ଦ୍ର। ଏହା ବିରୋଧରେ ଆଜି ସତ୍ୟାଗ୍ରହରେ ବସିଛନ୍ତି ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି। ତେବେ ଏହି ବସିବା ଆଗରୁ ଦିନ ସାରା ତାଙ୍କୁ ମିଛ କହି ଭଣ୍ଡେଇବାକୁ ପ୍ରୟାସ କରିଛନ୍ତି ପ୍ରଶାସନିକ ଅଧିକାରୀ।

Advertisment

ଏହାକୁ ନେଇ ଗାନ୍ଧୀପ୍ରେମୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲାବେଳେ ପୌର ଓ ଜିଲ୍ଲା ପ୍ରଶାସନର ଏମିତି ମନମାନି ବିରୋଧରେ ଉଠିଛି ପ୍ରତିବାଦର ସ୍ବର।

ମହାତ୍ମା ଗାନ୍ଧୀ ୧୯୩୪ ମସିହା ମେ ୬ ଓ ୭ ତାରିଖରେ ଦୁଇ ଦିନ ପାଇଁ ଅନୁଗୁଳରେ ରହିଥିଲେ। ମହାତ୍ମାଙ୍କ ସ୍ମୃତିରକ୍ଷା ପାଇଁ ଅନୁଗୁଳରେ କୌଣସି ପଦକ୍ଷେପ ନିଆ ଯାଇ ନ ଥିବାରୁ ପୂର୍ବରୁ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ ଓ ଗାନ୍ଧୀବାଦୀ ନେତ୍ରୀ କୃଷ୍ଣା ମହାନ୍ତି ତତ୍କାଳୀନ ନଗରପାଳ ଅକ୍ଷୟ ସାମନ୍ତଙ୍କୁ ଭେଟି ଗାନ୍ଧୀଜୀଙ୍କ ସ୍ମୃତିରକ୍ଷା ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଥିଲେ। ପୌରପାଳିକା ପକ୍ଷରୁ ଗାନ୍ଧୀମାର୍ଗ ସ୍ଥିତ ଏକ ସ୍ଥାନ ଚିହ୍ନଟ କରି ସେହି ସ୍ଥାନରେ ଗାନ୍ଧୀଭବନ ନିର୍ମାଣ ପାଇଁ ଉଦ୍ଦିଷ୍ଟ ସ୍ଥାନ ବୋଲି ଫଳକ ଲଗା ହୋଇଥିଲା। ଶ୍ରୀମତୀ ମହାନ୍ତି ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଦାୟିତ୍ଵ ନେବାପରେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଭେଟି ଗାନ୍ଧୀଭବନ କାମ ତ୍ବରାନ୍ବିତ କରିବା ନେଇ ଆଲୋଚନା କରିଥିଲେ। କିନ୍ତୁ ଏହି ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି ପୌରପାଳିକା। କେବଳ ନିଷ୍ପତ୍ତି ନେଇନି, ଫଳକ ଭାଙ୍ଗି କାମ ଆରମ୍ଭ କରି ଦେଇଛି। ଏଥିନେଇ ପ୍ରଶାସନକୁ ଜଣାଇବା ପରେ କୌଣସି ସୁଫଳ ନ ମିଳିବାରୁ ଆଜି ସକାଳୁ ସତ୍ୟାଗ୍ରହରେ ବସିବାକୁ ନିଷ୍ପତ୍ତି ନେଇଥିଲେ କୃଷ୍ଣା ମହାନ୍ତି ଓ ଶହ ଶହ ଗାନ୍ଧୀପ୍ରେମୀ।

ଗାନ୍ଧୀ ଜୟନ୍ତୀରେ ଆଜି ଶ୍ରୀମତୀ ମହାନ୍ତି ସତ୍ୟାଗ୍ରହ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ତପନ ଶତପଥୀ, ଉପଜିଲ୍ଲାପାଳ ବାସୁଦେବ ଶତପଥୀ, ଡେପୁଟି କଲେକ୍ଟର ବଇତୁରା ଦୀପ ଓ ତହସିଲଦାର ନିର୍ମଳ ଚନ୍ଦ୍ର ଲେଙ୍କା ବାଜି ରାଉତ ଛାତ୍ରାବାସରେ ପହଞ୍ଚି ସତ୍ୟାଗ୍ରହ ନକରିବାକୁ ଅନୁରୋଧ କରିଥିଲେ। କୃଷ୍ଣା ଦେବୀ ଏଥିରେ ରାଜି ନହୋଇ ସତ୍ୟାଗ୍ରହ ସ୍ଥଳକୁ ଆସିବାପରେ ଅଧିକାରୀମାନେ ତାଙ୍କୁ ଭଣ୍ଡେଇବାକୁ ଚେଷ୍ଟା କରିଥିଲେ। ଅପରାହ୍ଣ ୪ଟା ସୁଦ୍ଧା ଗାନ୍ଧୀମାର୍ଗରେ ଗାନ୍ଧୀଭବନ ନିର୍ମାଣ ପାଇଁ ବିକଳ୍ପ ଜମି ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ସତ୍ୟାଗ୍ରହ ସ୍ଥଗିତ ରହିଥିଲା। ହେଲେ ଅପରାହ୍ଣରେ ଅତିରିକ୍ତ ଜିଲ୍ଲାପାଳ ଶତପଥୀ ଗାନ୍ଧୀ ସ୍ମାରକ ନିଧି ପକ୍ଷରୁ ଲିଜ୍ ଆବେଦନ କଲେ ଉଚିତ ମୂଲ୍ୟରେ ଜାଗା ଯୋଗାଇ ଦିଆଯିବ ବୋଲି ଶ୍ରୀମତୀ ମହାନ୍ତିଙ୍କୁ ଜଣାଇ ଦିଆଯାଇଥିଲା।

ପ୍ରଶାସନର ଜମି ଲିଜ୍ ପାଇଁ ଆବେଦନ ପ୍ରସ୍ତାବକୁ ନିନ୍ଦା କରି କୃଷ୍ଣା ମହାନ୍ତି କହିଛନ୍ତି ଯେ ଗାନ୍ଧୀ ସ୍ମାରକ ନିଧି ସମେତ ବିଭିନ୍ନ ଗାନ୍ଧୀବାଦୀ ସଙ୍ଗଠନମାନେ ନିଜ ନିଜ ସ୍ତରରେ ଗାନ୍ଧୀଜୀଙ୍କ ସ୍ମୃତିରକ୍ଷା କରୁଛନ୍ତି।

ମହାତ୍ମା ଅନୁଗୁଳକୁ ଆସିଥିବାରୁ ଅନୁଗୁଳ ଜିଲ୍ଲାରେ ତାଙ୍କ ସ୍ମୃତିରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଦାୟିତ୍ବ ନେବା କଥା। ହେଲେ ସ୍ମାରକ ନିଧି ଜମି ଲିଜ୍‌ରେ ନେଇ ସ୍ମାରକ ଗଢୁ ବୋଲି ଯାହା ପ୍ରଶାସନ କହୁଛି, ସେଥିରୁ ରାଜ୍ୟ ସରକାର ଓ ତାଙ୍କର ଜିଲ୍ଲା ପ୍ରଶାସନ ଗାନ୍ଧୀଜୀଙ୍କ ସ୍ମୃତିରକ୍ଷା ପାଇଁ କେତେ ଆଗ୍ରହୀ ତାହା ବୁଝାପଡ଼ୁଛି। ତେଣୁ ଦାବି ପୂରଣ ନ ହେବାଯାଏ ସେ ସତ୍ୟାଗ୍ରହ ଚାଲୁ ରଖିବେ ବୋଲି ପ୍ରେସ୍ ବାର୍ତ୍ତାରେ କହିଛନ୍ତି। ଏହା ସହିତ ଆଜି ସନ୍ଧ୍ୟାରେ ସେ ସତ୍ୟାଗ୍ରହରେ କିଛି ସମର୍ଥକଙ୍କ ସହ ବସିଛନ୍ତି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଗସ୍ତରେ ଆସିଥିବାରୁ କେନ୍ଦ୍ରମନ୍ତ୍ରୀଙ୍କ ନଜରରୁ ଏହି ସମ୍ବେଦନଶୀଳ ଘଟଣା ହଟାଇବା ପାଇଁ କୃଷ୍ଣା ଦେବୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ସତ୍ୟାଗ୍ରହକୁ ରୋକି ଦିଆଯାଇଥିବା ଚର୍ଚ୍ଚା ହେଉଛି। ଏମିତି କରି ଜିଲ୍ଲା ପ୍ରଶାସନ କେବଳ ଗାନ୍ଧୀବାଦୀଙ୍କୁ ନୁହେଁ, ମହାତ୍ମା ଗାନ୍ଧୀଙ୍କୁ ବି ଠକିଦେଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଅପରପକ୍ଷରେ ଏଥିନେଇ ସନ୍ଧ୍ୟାରେ ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପୌରପରିଷଦ ଅଧ୍ୟକ୍ଷଙ୍କର କୌଣସି ସରକାରୀ ଜମି ଆବଣ୍ଟନ କିମ୍ବା ସଂରକ୍ଷଣ କରିବାର କ୍ଷମତା ନାହିଁ। ପୌରପାଳିକା ସରକାରୀ ଆଇନକାନୁନ ଓ ନିର୍ଦେଶାବଳୀ ଆଧାରରେ ଏଠାରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରୁଛି। ଗାନ୍ଧୀ ସ୍ମାରକ ନିଧି ନିୟମ ଅନୁସାରେ ଜମି ନିମନ୍ତେ ଆବେଦନ କଲେ ତାହା ସରକାରଙ୍କ ନିୟମ ଅନୁସାରେ ଫଇସଲା ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ପ୍ରଶାସନର ‘ମେରି ରାୟ’ ନୀତିକୁ ଅନୁଗୁଳର ଗାନ୍ଧୀପ୍ରେମୀ ତଥା ଜିଲ୍ଲାବାସୀ କଡ଼ା ନିନ୍ଦା କରିଛନ୍ତି। ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ଝିଅ କୃଷ୍ଣା ମହାନ୍ତିଙ୍କୁ କଥା ଦେଇ କଥା ନରଖି ପ୍ରଶାସନ ଠିକ୍‌ କରି ନାହିଁ। ଏଣୁ ଅନୁଗୁଳ ସମେତ ସାରା ରାଜ୍ୟରେ ଏହାକୁ ନେଇ ତୀବ୍ର ପ୍ରତିବାଦ ହେବ ବୋଲି ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ୍‌ ମନୋରଞ୍ଜନ ମହାନ୍ତି, ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସମ୍ପାଦକ ଜୟନ୍ତ କୁମାର ଦାସ, କବୀର ଜେନା, ଜୟନ୍ତୀ ମଞ୍ଜରୀ ରଥ, କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଟ୍ରଷ୍ଟି ଡା. ବିଶ୍ଵଜିତ, ରାଷ୍ଟ୍ରୀୟ ଯୁବ ସଙ୍ଗଠନର ରାଜ୍ୟ ସଂଯୋଜକ ସୂର୍ଯ୍ୟ ନାରାୟଣ ନାଥ, ଆଦ୍ୟଶ୍ଳୋକ ମିଶ୍ର, ରଶ୍ମିରଞ୍ଜନ ସାହୁ, ସିତୁ ନାୟକ, କଲ୍ୟାଣ କିଶୋର ମହାନ୍ତି, ସ୍ମିତା ପଟ୍ଟନାୟକ ଓ ପ୍ରତାପ ମହାପାତ୍ର ପ୍ରମୁଖ ଜଣାଇଛନ୍ତି।