ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ସତ୍ୟାଗ୍ରହ, ଦୁଇ ରାଜ୍ୟବାସୀଙ୍କ ସମନ୍ବୟରେ ମହାନଦୀ ବଞ୍ଚିପାରିବ: ରାଜେନ୍ଦ୍ର ସିଂହ

ଭୁବନେଶ୍ବର : କେନ୍ଦ୍ର, ରାଜ୍ୟ ଓ ଛତିଶଗଡ଼ ସରକାର ମହାନଦୀକୁ ମାରି ଦେବାକୁ ବସିଛନ୍ତି। ମହାନଦୀ ପାଣି ଛତିଶଗଡ଼‌ ପଟେ ଲହଡ଼ି ମାରୁଥିବା ବେଳେ ଓଡ଼ିଶାରେ ଶୁଖିଲା ପଡ଼ିଛି। ଏଥିପାଇଁ ଓଡ଼ିଶାର ମତ୍ସ୍ୟଜୀବୀ ଓ ଚାଷୀ ଏବେ ସଂକଟ ଦେଇ ଗତି କରୁଛନ୍ତି। ମହାନଦୀକୁ କଲମା ଓ ସୁଖାସୋଡ଼ା ପାଖରେ ଦେଖିଲେ ଆଖିରୁ ଲୁହ ବାହାରୁଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଲୋୟର୍‌ ପିଏମ୍‌ଜିଠା‌ରେ ଅନୁଷ୍ଠିତ ଦିନିକିଆ ସତ୍ୟାଗ୍ରହରେ ଯୋଗଦେଇ ଜଳପୁରୁଷ ରାଜେନ୍ଦ୍ର ସିଂହ ଶୁକ୍ରବାର ଦିନ ଏପରି କହିଛନ୍ତି। ଶ୍ରୀ ସିଂହ ଆହୁରି କହିଥିଲେ, ଅନେକ ଛୋଟ ନଦୀର ମୃତ୍ୟୁ ଦେଖିଛି। ବହୁ ମୃତ ନଦୀ ପୁନଃଜୀବିତ କରାଯାଇଛି। କିନ୍ତୁ ମହାନଦୀ ପରି ଏକ ରାଷ୍ଟ୍ରୀୟ ନଦୀକୁ ଜାଣି ଶୁଣି ମୃତ୍ୟୁମୁଖକୁ ଠେଲି ଦେବାର କେବେ ଦେଖି ନାହିଁ। ମହାନଦୀ ଉପରେ ଅନେକ ଲୋକଙ୍କ ଜୀବନଜୀବିକା ନିର୍ଭରଶୀଳ। ତେଣୁ ମହାନଦୀକୁ ବଞ୍ଚାଇବାକୁ ହେଲେ ଦୁଇ ରାଜ୍ୟବାସୀଙ୍କର ସମନ୍ବୟର ଆବଶ୍ୟକତା ରହିଛି।

‌ଅନୁଷ୍ଠାନ ପକ୍ଷରୁ ସଂଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ମହାନଦୀର ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ, ଛତିଶଗଡ଼ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପାଇଁ ଅନୁଷ୍ଠାନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ନେଇ ଏଥିରେ ସୂଚନା ଦିଆଯାଇଥିଲା। ଏହାସହ ମହାନଦୀର ସୁରକ୍ଷା ପାଇଁ ଆନ୍ଦୋଳନକୁ ଜୋରଦାର କରାଯିବ। ଆବଶ୍ୟକ ପଡ଼ିଲେ, ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବୁ ବୋଲି ଅନୁଷ୍ଠାନ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଜିର ଏହି ସତ୍ୟାଗ୍ରହ ଓ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଆବାହକ ସୁଦର୍ଶନ ଦାସ, ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ, ପ୍ରଭାସିନୀ ରାଉତ, ଅକ୍ଷୟ ଜେନା, ଉତ୍କଳ ବିଶ୍ବବିଦ୍ୟାଳୟ ପୂର୍ବତନ କୁଳପତି ବିନାୟକ ରଥ, ବିଜୟ ପ୍ରଧାନ, ପ୍ରସନ୍ନ ବିଶୋଇ, ଜାତୀୟ ଯୁବ ପ୍ରକଳ୍ପ ମଧୁସୂଦନ ଦାଶ, ସମାଜବାଦୀ ପାର୍ଟି ରାଜ୍ୟ ସଂପାଦକ ସୁଦର୍ଶନ ପ୍ରଧାନ, ଗୌରାଙ୍ଗ ମହାପାତ୍ର, ସୁବାସ ପ୍ରଧାନ, ଅଶୋକ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର