ସତ୍ୟାଗ୍ରହୀ ଜନାର୍ଦ୍ଦନ ସାହୁଙ୍କ ପରଲୋକ, ଥିଲେ ମଦ ବିରୋଧୀ ଆନ୍ଦୋଳନର ପୁରୋଧା

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ମଦ ବିରୋଧୀ ସଂଗ୍ରାମର ପୁରୋଧା ସତ୍ୟାଗ୍ରହୀ ଜନାର୍ଦ୍ଦନ ସାହୁଙ୍କର ଶୁକ୍ରବାର ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତ ବୁଧବାର ସେ ଏକ ଚଉକି ଉପରୁ ପଡ଼ି ଅଚେତ ହୋଇ ଯାଇଥିଲେ। ତାଙ୍କୁ ତୁରନ୍ତ ବୁର୍ଲା ଡାକ୍ତରଖାନା ନିଆ ଯାଇଥିଲା। କିନ୍ତୁ ସେଠାରେ ଆଇସିୟୁ ନ ମିଳିବାରୁ ଏକ ନର୍ସିଂହୋମ୍‌ରେ ଭର୍ତ୍ତି କରା ଯାଇଥିଲା। ଶୁକ୍ରବାର ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ତେବେ ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ଶ୍ରୀ ସାହୁ ନିଶାମୁକ୍ତ ଭାରତ ଗଢ଼ିବାର ସ୍ବପ୍ନ ଦେଖିଥିଲେ। ନିଜ ଅଞ୍ଚଳରେ ସେ ମଦ ବିରୋଧୀ ସଂଗ୍ରାମର ନେତୃତ୍ବ ନେଇଥିଲେ। ମଦମୁକ୍ତି ପାଇଁ ଲଗାତାର ୩ ବର୍ଷ ଧରି ଧାରଣାରେ ‌ବସି ସେ ଏକ ରେକର୍ଡ ସୃଷ୍ଟି କରିଥିଲେ।

ସଂଗ୍ରାମୀ ମାଟି ଲଇଡ଼ା ନିବାସୀ ଶ୍ରୀ ସାହୁ ଏବେ ସମ୍ବଲପୁର କୁଲୁଥକାନିସ୍ଥିତ ନିଜ ଘରେ ରହୁଥିଲେ। ଅପରାହ୍‌ଣରେ ରେଂଗାଲି ବିଧାୟକ ନାଉରୀ ନାୟକ, ବରିଷ୍ଠ ସାମ୍ବାଦିକ ପ୍ରହଲ୍ଲାଦ ଦାଶ, ବୀରେନ୍ଦ୍ର ପାଣିଗ୍ରାହୀ, ମନୋରଂଜନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଅନ୍ତିମ ଦର୍ଶନ କରିଥିଲେ। ସଂଧ୍ୟାରେ ରାଜଘାଟରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁଅ ଭୂପେନ୍ ସାହୁ ମୁଖାଗ୍ନି ଦେଇଥିଲେ। ତାଙ୍କର ପତ୍ନୀ, ଦୁଇ ଝିଅ ଅଛନ୍ତି। ସ୍ବର୍ଗତ ସାହୁଙ୍କ ଇଚ୍ଛାକୁ ପୂରଣ କରି ମୃତ୍ୟୁ ପରେ ପରିବାରବର୍ଗ ତାଙ୍କ ଚକ୍ଷୁଦାନ କରିଥିଲେ। ଭିମ୍‌ସାର୍‌ ଚକ୍ଷୁ ବ୍ୟାଙ୍କର ଡାକ୍ତରୀ ଟିମ୍‌ ପହଞ୍ଚି ତାଙ୍କ ଚକ୍ଷୁ ସଂଗ୍ରହ କରିଥିଲେ।

ସରକାରୀ ଚାକିରିରୁ ଅବସର ନେବା ପରେ ନିଜ ଗାଁରେ ରହିବା ବେଳେ ମଦ ପାଇଁ ଅନେକ ପରିବାର ଉଜୁଡ଼ି ଯାଉଥିବା ଦେଖି ଶ୍ରୀ ସାହୁ ଏହା ବିରୋଧରେ ସତ୍ୟାଗ୍ରହ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୦-୧୧ ମସିହାରୁ ସେ ମଦମୁକ୍ତ ଓଡ଼ିଶା ଗଠନ ପାଇଁ ଆନ୍ଦୋଳନ ଚଳାଇଥିଲେ। ପଶ୍ଚିମ ଓଡ଼ିଶାର ଯେଉଁଠି ମଦ ବିରୋଧରେ ଆନ୍ଦୋଳନ ହୁଏ ସେଠାରେ ପହଞ୍ଚି ଯାଆନ୍ତି ଶ୍ରୀ ସାହୁ। ମଦ ଭାଟି ଉଚ୍ଛେଦ, ମଦ ଦୋକାନ ଉଚ୍ଛେଦ ତାଙ୍କ ଜୀବନର ଏକ ମାତ୍ର ଲକ୍ଷ୍ୟ। ନିଜ ଗାଁରେ ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରଖି ମଦ ମୁକ୍ତ ଓଡ଼ିଶା ଗଠନ ଦାବିରେ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ପ୍ରତି ଦିନ ଆନ୍ଦୋଳନରେ ବସୁଥିଲେ। ସେହିପରି ପ୍ରତି ବର୍ଷ ଗାନ୍ଧୀ ଜୟନ୍ତୀ ଦିନ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ‌ ନିକଟରେ ସତ୍ୟାଗ୍ରହରେ ବସୁଥିଲେ। ତେବେ ତାଙ୍କ ଆନ୍ଦୋଳନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସେ ୨୦୧୮ ମସିହା ‌ଅକ୍ଟୋବର ୨୯ ତାରିଖରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରବେଶ ଦ୍ବାର ନିକଟରେ ଗାନ୍ଧୀଜୀଙ୍କ ଫଟୋ ରଖି ଏକା ଏକା ସତ୍ୟାଗ୍ରହରେ ବସୁଥିଲେ। କି ଖରା, କି ବ‌ର୍ଷା କିଛି ତାଙ୍କୁ ରୋକି ପାରି ନଥିଲା ତାଙ୍କୁ। ଡାକ୍ତରଖାନାରେ ଭର୍ତ୍ତି ହେବା ଦିନ ପର୍ଯ୍ୟନ୍ତ ତାଙ୍କୁ ସେଠାରେ ଦେଖିବାକୁ ମିଳିଥିଲା।

୨୦୧୭ରେ ଝାରସୁଗୁଡ଼ା ଜିଲ୍ଲାର ଶ୍ରୀପୁରାଠାରେ ମହିଳାମାନେ ୫୨ ଦିନ ଧରି ମଦ ଭାଟି ସାମ୍‌ନାରେ ଧାରଣା ଦେବା ଏକଦା ସାର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଶ୍ରୀ ସାହୁ ବହୁ ଦିନ ସେଠାକୁ ଯାଇ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ। ଉକ୍ତ ଆନ୍ଦୋଳନ ପାଇଁ ତାଙ୍କୁ ଅନେକ ମଦ ମାଫିଆଙ୍କ ନାଲି ଆଖିର ସାମ୍‌ନା କରିବାକୁ ପଡ଼ିଥିଲା। ଏପରିକି ଜୀବନରୁ ମାରି ଦେବାକୁ ବି ସେମାନେ ଧମକ ଦେଇଥିଲେ। ସ୍ବର୍ଗତ ସାହୁ ପଶ୍ଚିମ ଓଡ଼ିଶା ନିଶା ନିବାରଣ ଅଭିଯାନର ଆବାହକ ଥିଲେ।

ସମ୍ବନ୍ଧିତ ଖବର