ସାହିତ୍ୟ ଏକାଡ଼େମି ସଦସ୍ୟ ହେଲେ ସତ୍ୟନାରାୟଣ ମହାପାତ୍ର

ଭବାନୀପାଟଣା : ଓଡ଼ିଶା ସାହିତ୍ୟ ଏକାଡ଼େମିର ସାଧାରଣ ପରିଷଦ ପୁନର୍ଗଠିତ ହୋଇଛି । ଏଥିରେ କଳାହାଣ୍ଡି ଜିଲ୍ଲାର ଗବେଷକ ତଥା ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର ସଦସ୍ୟ ଭାବରେ ମନୋନିତ ହୋଇଛନ୍ତି । ନୂତନ ସାଧାରଣ ପରିଷଦର କାର୍ଯ୍ୟକାଳ ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ୨୦୨୩ ମସିହା ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ୩ ବର୍ଷ କାଳ ଚାଲିବ । ଶ୍ରୀ ମହାପାତ୍ର ଜଣେ ସଂସ୍କୃତି ଗବେଷକ । ତାଙ୍କର ୫୦ରୁ ଉର୍ଦ୍ଧ୍ୱ ପ୍ରବନ୍ଧ ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ । ୧୯୯୭ ମସିହାରେ ଆକାଶବାଣୀ ବାର୍ଷିକ ପୁରସ୍କାରରେ ପୁରସ୍କୃତ ସଙ୍ଗୀତ ରୂପକ “ଗୁରେଇର ବାହାଘର”ର ଲେଖକ ଓ ୨୦୦୭ ମସିହାରେ ଦୂରଦର୍ଶନ ବାର୍ଷିକ ପୁରସ୍କାର ବିଜେତା ଡ଼କୁମେଣ୍ଟାରୀ “ବନ୍ୟା ବିତ୍ପାତ କଳାହାଣ୍ଡି”ର ରୂପକର ଲେଖକ ହେଉଛନ୍ତି ଶ୍ରୀ ମହାପାତ୍ର ।

କଳାହାଣ୍ଡିର କଳା ସାହିତ୍ୟ, ସଂସ୍କୃତି, ସାଧାରଣ ଜନଜୀବନ ଉପରେ ତାଙ୍କ ରଚିତ ଓ ପ୍ରଜୋଜିତ ୧୦୪ ଅଧ୍ୟାୟ ବିଶିଷ୍ଟ ମେଗା ବେତାର ଧାରାବାହିକ “ନମସ୍କାର କଳାହାଣ୍ଡି” ଯୋଗୁଁ ସେ ବେଶ ଚର୍ଚ୍ଚିତ । ଆକାଶବାଣୀ ଓ ଦୁରଦର୍ଶନର ଜଣେ ଉଚ୍ଚ କୋଟୀର ଉଦଘୋଷକ ଓ ଉପସ୍ଥାପକ ଭାବରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ଦୀର୍ଘ ୩୧ ବର୍ଷ ଧରି ସେ ବିଭିନ୍ନ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ ସାମ୍ବାଦିକତା କରିଆସୁଛନ୍ତି । ତାଙ୍କ ଦ୍ୱାରା ରଚିତ ମାଣିକେଶ୍ୱରୀଙ୍କ “ଛତରଯାତ୍ରା” ଅଡ଼ିଓ କ୍ୟାସେଟ ଓ ନିକଟରେ ମୁକ୍ତିଲାଭ କରିଥିବା ଶିବ ଭଜନ ଭିଡ଼ିଓ ଆଲବମ “ଶିବାମୃତମ୍” ଓ “ନାଁଟି ତାର କଳାହାଣ୍ଡି” ବେଶ ଲୋକପ୍ରିୟତା ଅର୍ଜନ କରିଛି । କଳାହାଣ୍ଡିର କବି, ସାହିତ୍ୟିକ ଓ ସାହିତ୍ୟକୃତିର ବିକାଶକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବି ବୋଲି ସେ କହିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡ଼େମି ସଦସ୍ୟ ରୂପେ ମନୋନିତ ହୋଇଥିବାରୁ ତାଙ୍କୁ କଳାହାଣ୍ଡି ଲେଖକ କଳାପରିଷଦ, ମହାବୀର ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡି କଳାକାର ସଂଘ, କାରୁଣ୍ଡ କଳାକେନ୍ଦ୍ର, ଜିଲ୍ଲା ସଂସ୍କୃତି ପରିଷଦ, କାରୁଣ୍ଡ କଳାମଞ୍ଚ , କଳାହାଣ୍ଡି ଶିକ୍ଷା ବିକାଶ ପରିଷଦ ଓ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

ସମ୍ବନ୍ଧିତ ଖବର