ସତ୍ୟଭାମାପୁର ଓଡ଼ିଆଙ୍କ ପାଇଁ ତୀର୍ଥକ୍ଷେତ୍ର: ମୁଖ୍ୟମନ୍ତ୍ରୀ

ଉତ୍କଳ ଗୌରବ ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ଲୋକାର୍ପିତ

ସାଲେପୁର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁର ଠାରେ ‘ଉତ୍କଳ ଗୌରବ ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର’କୁ ଲୋକାର୍ପିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ଯୋଗଦେଇଥି‌ଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ମଧୁବାବୁ ଥିଲେ ଓଡ଼ିଆ ସ୍ୱାଭିମାନର ପ୍ରତୀକ। ତାଙ୍କ ଜୀବନୀ ହେଉଛି ଓଡ଼ିଆ ସ୍ୱାଭିମାନର ଗୌରବମୟ ଗାଥା। ଏହି ସଂଗ୍ରହାଳୟରେ ମଧୁବାବୁଙ୍କ ଏନ୍ତୁଡ଼ିଶାଳ, ପିଲାଦିନର ଫଟୋ, ଜନ୍ମଜାତକ, ଢିଙ୍କି ଆଦି ବିଭିନ୍ନ ବିରଳ ଜିନିଷ ସ୍ଥାନପାଇଛି। ଏହି ସଂଗ୍ରହାଳୟ ସମସ୍ତଙ୍କୁ ବିଶେଷକରି ଯୁବପିଢିଙ୍କୁ ଓଡିଆ ସ୍ବାଭିମାନର ସୁରକ୍ଷା ପାଇଁ ପ୍ରେରଣା ଯୋଗାଇବ। ସତ୍ୟଭାମାପୁର ସବୁ ଓଡ଼ିଆଙ୍କ ପାଇଁ ଏକ ତୀର୍ଥ କ୍ଷେତ୍ର। ସତ୍ୟଭାମାପୁରକୁ ଏକ ଆଦର୍ଶ ଗ୍ରାମ ରୂପେ ବିକାଶ କରାଯାଉଛି ଏବଂ ଏହି ଗ୍ରାମକୁ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନସ୍ଥଳ ଭାବରେ ପରିଣତ କରିବାପାଇଁ ସରକାରଙ୍କ ପଦକ୍ଷେପ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ ଯୋଗଦେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ , ମଧୁବାବୁ ଥିଲେ ଓଡ଼ିଆ ଜାତିର ମୁଖ୍ୟ ପୁରୋଧା। ଆଜି ସାରାବିଶ୍ୱରେ ଥିବା ଓଡ଼ିଆମାନଙ୍କ ପାଇଁ ଗର୍ବ ଓ ଗୌରବର ଦିନ। ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ସତ୍ୟଭାମାପୁରର ଉନ୍ନତି ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ପୌରୋହିତ୍ୟ କରିବା ସହିତ ସ୍ବାଗତ ଭାଷଣ ଦେଇଥିଲେ। ସତ୍ୟଭାମାପୁର ମଧୁସୂଦନ ସାଂସ୍କୃତିକ ପରିଷଦ ସଭାପତି ପ୍ରଶାନ୍ତ ରାଉତ ଧନ୍ୟବାଦ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ ବେହେରା, ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ବିଡିଓ ରାଜୀବ ଦାସଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଉତ୍କଳ ଗୌରବ ମଧୁସୂଦନ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ର ସଂପର୍କରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଅନ୍ୟପଟେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର