ତଟ ସୁରକ୍ଷା ପାଇଁ ‘ସାଗର କବଚ’

ଭୁବନେଶ୍ୱର: ଉପକୂଳର ସୁରକ୍ଷା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ମିଳିତ ଭାବେ ଉଦ୍ୟମ କରିବେ। ସମୁଦ୍ର ପଟୁ ସାମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏହି ଦୁଇ ରାଜ୍ୟ ସମୁଦ୍ର ଭିତରେ ମିଳିତ ଭାବେ ମକ୍‌ ଡ୍ରିଲ୍‌ କରିବେ। ଏହାର ନାମ ରହିଛି ‘ସାଗର କବଚ’। ଆଜି ସଚିବାଳୟରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ନିୟମିତ ଭାବେ ଓଡ଼ିଶାରେ ଏହି ମକ୍‌ଡ୍ରିଲ୍‌ କରାଯାଉଛି। ସାତ ଆଠ ଦିନ ଭିତରେ ପଶ୍ଚିମବଙ୍ଗ ଓ ଓଡ଼ିଶା ମିଳିତ ଭାବେ ମକ୍‌ଡ୍ରିଲ୍‌ କରିବେ। ଏଥି ପାଇଁ ‘ରେଡ୍‌ ଫୋର୍ସ’ ନାମକ ଏକ ଟିମ୍‌ ଗଠନ କରାଯିବ। ଏହି ରେଡ୍‌ ଫୋର୍ସ ସମୁଦ୍ର ବାଟ ଦେଇ ରାଜ୍ୟରେ ପଶିବେ। ଏହାକୁ ତଟରକ୍ଷା ବାହିନୀ ଧରିବେ। ତଟ ରକ୍ଷା ସହ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ସମସ୍ତ ସଂସ୍ଥା ଏଥିରେ ସହଯୋଗ କରିବେ। ଜରୁରିକାଳୀନ ସ୍ଥିତିରେ ଉଭୟ ରାଜ୍ୟ ମଧ୍ୟରେ କିପରି ସମନ୍ଵୟ ରକ୍ଷା କରାଯାଇପାରିବ, ତାହା ଉପରେ ଗୁରୁତ୍ୱ ଦିଆଯିବ।

ସମ୍ବନ୍ଧିତ ଖବର