ମହାନଦୀ ବଞ୍ଚାଇବା ଲକ୍ଷ୍ୟରେ ଦସ୍ତଖତ ଅଭିଯାନ ଆରମ୍ଭ

ପୁରୁଣା ଭୁବନେଶ୍ୱର: ମହାନଦୀ ଉପରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ବେଆଇନ ଭାବେ ନିର୍ମିତ ବ୍ୟାରେଜ୍‌ ଯୋଗୁଁ ଓଡ଼ିଶାରେ ପାଣିର ଘୋର ଅଭାବ ଦେଖା ଯାଇଛି ବୋଲି ଅଭିଯୋଗ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। ଏନେଇ ଜନସଚେତନତା ସୃଷ୍ଟି କରିବା ନେଇ ଆଜିଠାରୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି। ଆଜି ମଧ୍ୟାହ୍ନ ୧୨ଟାରେ ଶ୍ରୀଲିଙ୍ଗରାଜ ମନ୍ଦିରରୁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଆନ୍ଦୋଳନରେ ସାମିଲ ହୋଇଥିବା ବିଭିନ୍ନ ଦଳର ନେତାମାନେ ଅଭିଯୋଗ କରି କହିଥିଲେ ଯେ, ହୀରାକୁଦ ଉପରେ ନିର୍ମିତ କଲ୍‌ମା ବ୍ୟାରେଜ୍‌ର ସର୍ବମୋଟ ୬୭ଟି ଗେଟ୍‌ ବନ୍ଦ କରାଯିବା ଫଳରେ ହୀରାକୁଦ ଜଳଭଣ୍ଡାରକୁ ପୂର୍ବଭଳି ପାଣି ଆସି ପାରୁନାହିଁ। ସେଠାରେ ଜଳ ସ୍ତର କମିବାରେ ଲାଗିଲାଣି। ଫଳରେ ଆଗାମୀ ଭବିଷ୍ୟତରେ ଓଡ଼ିଶାର ବିଦ୍ୟୁତ ଉତ୍ପାଦନ, ଜଳସେଚନ ଏବଂ ପାନୀୟ ଜଳ କ୍ଷେତ୍ରରେ ସଙ୍କଟ ଦେଖାଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଛତିଶଗଡ଼ ସରକାରଙ୍କ ଏଭଳି ମନମୁଖୀ ନୀତିକୁ ବିରୋଧ କରି ଆଜି ଆନ୍ଦୋଳନକାରୀମାନେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଦସ୍ତଖତ ସଂଗ୍ରହ ଆରମ୍ଭ କରିବା ସହ ଏକ ସଚେତନତା ରଥ ବାହାର କରିଥିଲେ। ଏଥିରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର, ସିପିଆଇ ନେତା ଆଶିଷ କାନୁନ୍‌ଗୋ, ସୁର ଜେନା, ସମାଜବାଦୀ ପାର୍ଟି ନେତା ରବି ବେହେରା, କଳିଙ୍ଗ ସେନା ସୁପ୍ରିମୋ ହେମନ୍ତ ରଥ, କଂଗେସ ନେତା ବିଶ୍ୱଜିତ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଜେଡି ଯୁବ ନେତା ଶିବ ସାହୁ, ସନ୍ତୋଷ ବେଜ, ଦୀପକ ମହାପାତ୍ର, କାଳୀଚରଣ ସାମନ୍ତରାୟ, ସୁଦର୍ଶନ ଦାସ, ବାସୁଦେବ ଭଟ୍ଟ ପ୍ରମୁଖ ସାମିଲ ହୋଇଥିଲେ। ଏହି ଦସ୍ତଖତ ଅଭିଯାନ ଭଟ୍ଟାଲି, ବରଗଡ଼, ବୁର୍ଲା, ସମ୍ବଲପୁର, ସୋନପୁର, ବୌଦ୍ଧ, ଆଠମଲ୍ଲିକ, ନରସିଂହପୁର, ବଡ଼ମ୍ବା, କଣ୍ଟିଲୋ, କରବର, ବୈଦେଶ୍ୱର, ବାଙ୍କି, ଆଠଗଡ଼, କଟକ, କୁଜଙ୍ଗ, ପାରାଦ୍ଵୀପ, ଓ ନିମାପଡ଼ା ହୋଇ ଆସନ୍ତା ୧୫ତାରିଖରେ ପୁରୀରେ ଶେଷ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର