ନଦୀ ମାଫିଆଙ୍କ କବଳରୁ ଶୁଷ୍କ ନଦୀକୁ ଉଦ୍ଧାର କର

ପ୍ରଶ୍ନକାଳରେ ଅସନ୍ତୋଷ ପ୍ରକାଶ କଲେ ସୌମ୍ୟରଞ୍ଜନ

‘୫-ଟି’ ନାମରେ ବିଭାଗରେ ଜାତିଭେଦ ସୃଷ୍ଟି କରାଯାଉନି ତ?
ଜଳସମ୍ପଦ ପ୍ରକଳ୍ପ କାମ ତ୍ବରାନ୍ବିତ ହେଉ ନ ଥିବାରୁ ନରସିଂହ, ତାରାଙ୍କ ଅସନ୍ତୋଷ
ଜଳନୀତି ହିସାବରେ ସରକାର କାର୍ଯ୍ୟ କରୁଛନ୍ତି: ମନ୍ତ୍ରୀ

ଭୁବନେଶ୍ବର : ଜମି ମାଫିଆ ଜମି ନେଉଥିବା ଆମେ ଜାଣିଛୁ। କିନ୍ତୁ ଏବେ ନଦୀ ମାଫିଆ ବାହାରିଲେଣି। ଶୁଖି ଯାଇଥିବା ନଦୀକୁ ସେମାନେ ଅପହରଣ କରିନେଉଛନ୍ତି। କଟକର ଶୁକପାଇକା ନଦୀର ଅପହରଣ ହେଉଛି। ନଦୀ ମାଫିଆ ତାହାକୁ ମାଡ଼ିବସିଲେଣି। ଗୁରୁବାର ଦିନ ବିଧାନସଭାର ପ୍ରଶ୍ନକାଳରେ ଶାସକ ଦଳ ‌ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ସଙ୍ଗୀନ ପ୍ରସଙ୍ଗ ଉଠାଇଥିଲେ। ଶୁଷ୍କ ନଦୀର ପୁନରୁଦ୍ଧାର ପାଇଁ ତ୍ବରିତ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ।

ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ନଦୀ ଅପହରଣ କଥାକୁ ସ୍ବୀକାର କରି ନ ଥିଲେ। ଉତ୍ତରରେ ସେ କହିଥିଲେ, ବିଧାୟକଙ୍କ ନଦୀ ଅପହରଣ କଥାରେ ମୁଁ ଏକମତ ହୋଇପାରୁନି। ଆମ ବିଭାଗ ସଜାଗ ରହିଛି। ସେଥି ପାଇଁ ବିଭିନ୍ନ ସମୟରେ ବଜେଟରେ ପ୍ରାବଧାନ ରଖାଯାଉଛି। ଯେଉଁଠି ନଦୀ ଶୁଖିଯାଇଛି, ସେଠାରୁ କିପରି ନିରନ୍ତର ଜଳ ପ୍ରବାହିତ ହୋଇପାରିବ ସେଥିପାଇଁ ୟୁନିସେଫ୍‌ ସହ ଜଳସମ୍ପଦ ବିଭାଗ କରିଥିବା ଏମ୍‌ଓୟୁରେ ଆବଶ୍ୟକ ବ୍ୟବସ୍ଥା ରଖାଯାଇଛି।

downtoearth.org.in

ପ୍ରଶ୍ନକାଳରେ ବିଧାୟକ ଶ୍ରୀ ପଟ୍ଟନାୟକଙ୍କ ମୂଳ ପ୍ରଶ୍ନରୁ ଆରମ୍ଭ ହୋଇଥିଲା ଆଲୋଚନା। ଶ୍ରୀ ପଟ୍ଟନାୟକ ଜଳସମ୍ପଦ ବିଭାଗ ଓ ୟୁନିସେଫ୍‌ ମଧ୍ୟରେ ହୋଇଥିବା ନିରନ୍ତର ଜଳ ପରିଚାଳନା ଚୁକ୍ତି ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଏହି କାର୍ଯ୍ୟକ୍ରମ ବାବଦରେ ବ୍ୟୟ ଅଟକଳ ଏବଂ ମୋ ନଦୀ ଅଭିଯାନର ଆଭିମୁଖ୍ୟ ଓ ଅଟକଳ ସମ୍ପର୍କରେ ପଚାରିଥିଲେ।
ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ ଜଳସମ୍ପଦ ବିଭାଗ ଓ ୟୁନିସେଫ୍‌ ମଧ୍ୟରେ ସ୍ବାକ୍ଷରିତ ନିରନ୍ତର ଜଳ ପରିଚାଳନା ବୁଝାମଣାର ଉଦ୍ଦେଶ୍ୟ ହେଲା ବିଭାଗ ପାଇଁ ସୂଚନା, ଶିକ୍ଷା ଓ ସଞ୍ଚାର ରଣନୀତି ପ୍ରସ୍ତୁତ କରିବା। ଏହା ଦ୍ବାରା ଜଳ ପରିଚାଳନାରେ ସଚେତନତା ସୃଷ୍ଟି ହୋଇପାରିବ। ରାଜ୍ୟ ଜଳନୀତି, ୨୦୦୭ର ପୁନଃ ନୀରିକ୍ଷଣ କରାଯିବା ସହ ନୂଆ ନୀତି ପ୍ରଣୟନ କରାଯିବ। ଜଳ ଓ ଜମି ପରିଚାଳନା ପ୍ରତିଷ୍ଠାନକୁ ଏକ ଉତ୍କର୍ଷ କେନ୍ଦ୍ର ଭାବେ ପ୍ରତିଷ୍ଠା କରାଯିବ। ୟୁଥ୍‌ ଫର୍ ୱାଟର୍‌ ଓ ମୋ ନଦୀ ଅଭିଯାନ ମାଧ୍ୟମରେ ଯୁବ ଗୋଷ୍ଠୀଙ୍କ ସହିତ ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଜଳ ସାକ୍ଷରତା ସୃଷ୍ଟି କରାଯିବ। ତେବେ ଏହି ବୁଝାମଣାର କାର୍ଯ୍ୟକାରିତା ପାଇଁ ନିର୍ଦ୍ଦିଷ୍ଟ ଭାବେ ବ୍ୟୟ ଅଟକଳ କରାଯାଇ ନାହିଁ। ମାତ୍ର ବିଭାଗର ଆବଶ୍ୟକତା ଅନୁଯାୟୀ ନିଜସ୍ବ ପାଣ୍ଠିରୁ ବ୍ୟୟବରାଦ କରାଯିବ। ମୋ ନଦୀ ଅଭିଯାନ ମାଧ୍ୟମରେ ରାଜ୍ୟର ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଜଳ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ପ୍ରତି ସଚେତନତା ସୃଷ୍ଟି କରିବା ଏବଂ ଜଳ ସାକ୍ଷରତା ବୃଦ୍ଧି କରିବାର ଯୋଜନା ଅଛି। ଏହି ଅଭିଯାନ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ବ୍ୟୟ ଅଟକଳ କରାଯାଇନାହିଁ।

 

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ପଟ୍ଟନାୟକ କହିଥିଲେ, ମନ୍ତ୍ରୀଙ୍କ ଉତ୍ତର ଶୁଣିବାକୁ ବହୁତ ଭଲ ଲାଗୁଛି। ଅନେକ ନୂଆ ନୂଆ କଥା ଜାଣିବାକୁ ପାଉଛୁ; ଯେମିତି ଜଳ ସାକ୍ଷରତା, ନିରନ୍ତର ଜଳ ପରିଚାଳନା, ୟୁଥ୍‌ ଫର୍ ୱାଟର୍‌। ସର୍ବଶେଷରେ ମୋ ନଦୀ ଅଭିଯାନ। ଏସବୁ କଥା କାନକୁ ଭଲ ଶୁଭୁଛି। ସବୁ କଥାରେ ‘ମୋ’ ଶବ୍ଦ ବ୍ୟବହାର କରିବାର ପ୍ରବଣତା ଆମର ଅଧିକ ହୋଇଯାଉଛି ବୋଲି ମନେହେଉଛି। ଯେଉଁଥିରେ ‘ମୋ’ ଲଗାଉଛୁ, ସେଥିରେ ଆମେ ନିଜକୁ କେତେଦୂର ସଂପୃକ୍ତି କରାଇପାରୁଛୁ ତାହା ଉପରେ ବିଚାର କରାଯାଉ। ସେହି ଅନୁପାତରେ ଆମେ ବିକାଶ କରିପାରୁଛୁ କି ନାହିଁ, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ଉତ୍ତର ବି ମନ୍ତ୍ରୀଙ୍କ ପାଖରେ ନାହିଁ। ମନ୍ତ୍ରୀ କହିଛନ୍ତି ଯେ ଏମ୍‌ଓୟୁରେ ଥିବା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ କୌଣସି ପ୍ରକାର ବ୍ୟୟ ଅଟକଳ ନାହିଁ। ବ୍ୟୟ ଅଟକଳ ନ ଥିବାରୁ ସ୍ବପ୍ନ ସାକାର ହେବ କିପରି ? ଏହା ମଧ୍ୟ ‘୫-ଟି’ର ଗୋଟିଏ ଅଭିଯାନ ଭାବେ ଧରାଯାଉଛି। ରାଜନୀତି ବିଜ୍ଞାନର ଛାତ୍ର ଭାବେ ଅନେକ ସମୟରେ ବୁଝିପାରୁ ନାହିଁ ‘୫-ଟି’ ଯେଉଁ ବିଭାଗରେ ପଶୁଛି, ସେହି ବିଭାଗରେ ଜାତିଭେଦ ସୃଷ୍ଟି ହେଉଛି କି? ଯେଉଁ ବିଷୟ ‘୫-ଟି’ ମାଧ୍ୟମରେ କରାଯାଉଛି ତାହାକୁ ଅଧିକ ଗୁରୁତ୍ବ ଦିଆଯାଉଛି କି? ଯେଉଁ ବିଷୟ ପରମ୍ପରାଗତ ନିୟମ ଅନୁସାରେ କରାଯାଉଥିଲା, ସେଗୁଡ଼ିକୁ କମ୍ ପ୍ରାଧାନ୍ୟ ଦିଆଯାଉଛି କି ? ଏପରି ସଂଶୟ ଦ୍ବାରା ଆଗାମୀ ଦିନରେ ପ୍ରଶାସନର ସ୍ବଚ୍ଛତା ଓ ଦକ୍ଷତା ନେଇ ପ୍ରଶ୍ନ ଉଠିବ ବୋଲି ସେ ଚେତାଇ ଦେଇଥିଲେ।

ମନ୍ତ୍ରୀ କହିଥିଲେ, ସେ ସଂକ୍ରାନ୍ତରେ ଯେତିକି ତଥ୍ୟ ରହିଥିଲା ଗୃହକୁ ଜଣାଇଛି। ସଦସ୍ୟ ଯେଉଁ ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ସେଥିରେ ଆମେ ନିର୍ଦ୍ଦିଷ୍ଟ ସମୟସୀମା ସ୍ଥିର କରି ନାହୁଁ। ବ୍ୟୟ ଅଟକଳ ସଠିକ ଭାବେ କରାଯାଇନି। ଏ ସଂକ୍ରାନ୍ତରେ ଖର୍ଚ୍ଚର ବ୍ୟବସ୍ଥା କରିବୁ ବୋଲି ଉଲ୍ଳେଖ କରିଛୁ। ସଦସ୍ୟଙ୍କ ଉଦ୍‌ବେଗ ଆଦୌ ସମୀଚିନ ନୁହେଁ। ପରବର୍ତ୍ତୀ ସମୟରେ ନିଶ୍ଚିତ ଭାବେ ‘୫-ଟି’ର ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସେହି କାର୍ଯ୍ୟକୁ ହାତକୁ ନେବୁ। ଆପଣଙ୍କର ବିଶ୍ବାସ ଭଙ୍ଗ ହେବ ନାହିଁ।

ଅତିରିକ୍ତ ପ୍ରଶ୍ନ ପଚାରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପଚାରିଥିଲେ, ୨୨ ବର୍ଷ ହେଲା ଲୋୟର୍‌ ସୁକତେଲ ପ୍ରକଳ୍ପ କାର୍ଯ୍ୟ ସରୁନି କାହିଁକି? ସେହିପରି ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ରେ ଏକ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଦୀର୍ଘ ଦିନ ହେବ ଯୋଜନା ପ୍ରସ୍ତୁତ ହୋଇଥିଲେ ବି ତାହା କାହିଁକି କାର୍ଯ୍ୟକାରୀ କରାଯାଉନି? ବଲାଙ୍ଗୀର ସହରରେ ଲକ୍ଷ୍ମୀଜୋରର ବିକାଶ ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ସରିଲାଣି। ଏହାର ଉଦ୍ଦେଶ୍ୟ ଥିଲା ଜଳ ସଂରକ୍ଷଣ, ଉନ୍ନତୀକରଣ ସହ ସହରର ସୌନ୍ଦର୍ଯ୍ୟକରଣ । କିନ୍ତୁ ଏବେ ତାହା ସହରର ଡଷ୍ଟବିନ୍ କହିଲେ ଭୁଲ୍‌ ହେବ ନାହିଁ। ଏବେ ପୁଣି ୧୨ କୋଟି ଦିଆଯାଇଛି। କେବେ ସରକାର କାମ ଆରମ୍ଭ କରିବେ? ତେଲ୍‌ ନଦୀରେ କିଛି ପ୍ରକଳ୍ପ କରି ଜଳସେଚନ ପାଇଁ ପାଣି ବ୍ୟବହାର କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ଲୋୟର୍‌ ସୁକ୍‌ତେଲ ପ୍ରକଳ୍ପ ଉପରେ ପ୍ରଶ୍ନ ଉତ୍‌ଥାପନ କରିଛନ୍ତି। ଲୋୟର ସୁକତେଲ ପ୍ରକଳ୍ପ ତ୍ବରାନ୍ବିତ ହୋଇଛି। ବିଳମ୍ବର କାରଣ ଜଙ୍ଗଲ ଓ ପରିବେଶ ମଞ୍ଜୁରି ଏବଂ ବିସ୍ଥାପିତଙ୍କ ଥଇଥାନ। ଦେଓଗାଁ ବ୍ଲକ୍‌ରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପ୍ରସଙ୍ଗରେ ତଥ୍ୟ ନାହିଁ। ୨୦ କୋଟି ଟଙ୍କାରେ ଯେଉଁ ରେଗୁଲେଟ୍‌ ବ୍ୟବସ୍ଥା ପ୍ରସଙ୍ଗରେ କିଛି କାମ ହୋଇଛି। ଅଧିକ ଅର୍ଥ ପ୍ରାବଧାନ ହୋଇଛି। ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ସମୟ ଲାଗିବ। ତେଲ୍‌ ନଦୀରେ ଡାଇଭର୍ସନ୍ ପ୍ରସଙ୍ଗରେ ବିଭାଗ ପକ୍ଷରୁ ବ୍ୟବସ୍ଥା ହୋଇ ନାହିଁ।

କଂଗ୍ରେସ ସଭ୍ୟ ତାରା ବାହିନୀପତି କହିଲେ, ମୋ ସରକାର, ମୋ ଜମି, ମୋ ପାଣି, ମୋ ୫-ଟି କହୁଛନ୍ତି। କିନ୍ତୁ କାମ ହେଉ ନାହିଁ। କୋଲାବ ନଦୀ ଡ୍ୟାମ୍‌ରୁ ମୁଖ୍ୟ କେନାଲ ଭୁଶୁଡ଼ୁଥିଲେ ବି ତାହାର ମରାମତି ହେଉ ନ ଥିବାରୁ ସେ ଉଦ୍‌ବେଗ ପ୍ରକାଶ କରିଥିଲେ। ଜଗନ୍ନାଥ ସାଗରର ବିକାଶ ପାଇଁ ସେ ଦାବି କରିଥିଲେ। ଜଳସମ୍ପଦ ମନ୍ତ୍ରୀ କହିଥିଲେ, ଏହାର ଅନୁଧ୍ୟାନ କରି ପଦକ୍ଷେପ ନେବୁ। ଜଗନ୍ନାଥ ସାଗର ବର୍ତ୍ତମାନ ମତ୍ସ୍ୟ ବିଭାଗ ଅଧୀନରେ ଥିବାରୁ ଜଳସମ୍ପଦ ବିଭାଗ ସେଠାରେ କିଛି ଖର୍ଚ୍ଚ କରିପାରିବ ନାହିଁ।

indiawaterportal.org

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ପଟ୍ଟନାୟକ ଶିଳ୍ପକୁ ମନଇଚ୍ଛା ପାଣି ଦିଆଯାଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଜଗନ୍ନାଥ ଆମକୁ ବହୁତ ଦେଇଛନ୍ତି। ଭୂଇଁ ତଳେ ଯେତିକି ଦେଇଛନ୍ତି ଭୂଇଁ ଉପରେ ଓ ଭୂଇଁ କଡ଼ରେ ସେତିକି ଦେଇଛନ୍ତି। ଭୂଇଁ ତଳେ ଖଣିଜ ସମ୍ପଦ ବିବାଦ ଏ ଯାଏ ତୁଟିପାରିଲାନି। ଭୂଇଁ ଉପରେ ଜଙ୍ଗଲ କେତେ ଅଛି କେତେ ଯାଇଛି ତାହାର ହିସାବ ଠିକ୍ ଭାବେ କରିପାରୁ ନାହିଁ। ଭୂଇଁ କଡ଼ରେ ବେଳାଭୂମିର ବିକାଶ ପାଇଁ ଆମେ ସବୁବେଳେ ଚିନ୍ତିତ। ଭୂଇଁ ଉପରେ ଆଉ ଏକ ସମ୍ପଦ ନଦନଦୀ। ନଦନଦୀଙ୍କୁ ପଡ଼ୋଶୀ ରାଜ୍ୟମାନଙ୍କ ଦ୍ବାରା ଅକ୍ତିଆର କରାଯାଉଛି, ସେଥିପାଇଁ ଆମେ କ’ଣ କରିବା ନ କରିବା ସ୍ପଷ୍ଟ ନାହିଁ। ଜଳନୀତି ଠିକ୍ ପାଳନ ହେଉଛି କି? ଜଳନୀତିର ପ୍ରାଥମିକତା ହେଲା ମଣିଷକୁ ପିଇବା ପାଣି ମିଳିବ। ତାହା ପରେ କୃଷି ପାଇଁ ଓ ପରେ ଦରକାର ପଡ଼ିଲେ ଶିଳ୍ପକୁ ପାଣି ମିଳିବ। ପରେ ପର୍ଯ୍ୟଟନ ଓ ଖେଳକୁଦକୁ ପାଣି ଦିଆଯାଇପାରିବ। କିନ୍ତୁ ଆମ ରାଜ୍ୟର ୨୦୦୭ ଜଳନୀତିର ସଂସ୍କାର କରିବାକୁ ମନ୍ତ୍ରୀ କହିଲେ। କି ସଂସ୍କାର ହୋଇଛି ଜଣାପଡ଼ୁନି। ଶିଳ୍ପ ପାଇଁ ଜଳ ଦେବାକୁ ଏତେ ବିକଳ ଯେ ଆମେ ପିଇବା ପାଣି ପାଉନୁ। କେନ୍ଦୁଝରର ବୈତରଣୀରୁ ପିଚକାରି ମାରି ଲୁହା ଗୁଣ୍ଡକୁ ପାରାଦୀପ ପଠାଇବା ପାଇଁ ଯେତେ ଦଳ ଦରକାର ତାହାକୁ ଟାଣିବା ପାଇଁ ବୈତରଣୀ ନଦୀ ଉପରେ କାର୍ଯ୍ୟକ୍ରମ କରାଯାଉଛି। ଅଥଚ ସେହି ଅଞ୍ଚଳର ଅଧିବାସୀଙ୍କୁ ପାଣି ପିଇବାକୁ ମିଳଚନି। ଏହା କେଉଁ ନୀତିରେ ଯାଉଛି?

ଶେଷରେ ମନ୍ତ୍ରୀ କହିଥିଲେ, ଜଳନୀତି ଅନୁସାରେ ସରକାର କାର୍ଯ୍ୟକ୍ରମ କରୁଛନ୍ତି। ପିଇବା‌ ପାଣିକୁ ହିଁ ପ୍ରାଥମିକତା ଦିଆଯାଉଛି। ତାହା ପରେ କୃଷି ଓ ଶେଷରେ ଶିଳ୍ପ। ସେଥିରେ କୌଣସି ବ୍ୟତିକ୍ରମ କରାଯାଉ ନାହିଁ।

ସମ୍ବନ୍ଧିତ ଖବର