ଜୟପୁର: ଆଜିର ପୁରୁଷପ୍ରଧାନ ସମାଜରେ ଅନେକ ମହିଳା ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେହି ଭଳି କିଛି ସଫଳ ମହିଳାଙ୍କ ସଂଘର୍ଷପୂର୍ଣ୍ଣ ଜୀବନ ଓ କୃତିତ୍ୱ ସମ୍ପର୍କରେ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା

Advertisment

ଜୀବନଯୁଦ୍ଧର ଯୋଦ୍ଧା ସାଜି ଏବେ ମହିଳାଙ୍କ ପ୍ରେରଣା ସାଜିଥିବା ସ୍ବୟଂସିଦ୍ଧା ମହିଳାଙ୍କ ମଧ୍ୟରେ ସାବିତ୍ରୀ ଗାଧବା ଅନ୍ୟତମ। ସାବିତ୍ରୀ ଜୟପୁର ବ୍ଲକ କଙ୍ଗା ପଞ୍ଚାୟତରେ ଓଡ଼ିଶା ଜୀବିକା ମିସନରେ ଜଣେ ଏମବିକେ (ମାଷ୍ଟର ବୁକ କିପର ଭାବେ ବ୍ୟାଙ୍କ ମିତ୍ର)ଭାବେ କାର୍ଯ୍ୟ କରୁଛନ୍ତି। ତେବେ ସାବିତ୍ରୀ ଏମବିକେ ହେବା ପୂର୍ବରୁ ତାଙ୍କର ଅନେକ ଇତିହାସ ରହିଛି ଯାହାକି ପ୍ରତି ଯୁବତୀ ଓ ମହିଳାଙ୍କୁ ପ୍ରେରଣାଦାୟୀ ହୋଇପାରିବ। କୋରାପୁଟ ଜିଲ୍ଲା ଜୟପୁର ବ୍ଲକରେ ୨୦୧୨ମସିହାରୁ ୨୦୧୭ମସିହା ଯାଏଁ ଶାସକ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସଦସ୍ୟ ରହିଥିଲେ ସାବିତ୍ରୀ। ୮ଟି ପଞ୍ଚାୟତକୁ ନେଇ ରହିଥିବା ଗୋଟିଏ ଜିଲ୍ଲା ପରିଷଦ ଜୋନରେ ସେ କାମ କରୁଥିଲେ। ଏହି ୫ବର୍ଷ ଧରି ଲୋକଙ୍କ ସମସ୍ୟା ସମାଧାନ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ନିକଟରେ ସ୍ୱର୍ ପାଲଟିଥିଲେ।

୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ପକ୍ଷରୁ ଆଉ ସାବିତ୍ରୀଙ୍କୁ ଟିକେଟ ନ ଦେବାରୁ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ନିର୍ବାଚନ ଲଢ଼ି ହାରିଯାଇଥିଲେ। କିନ୍ତୁ ସେ ଯେଉଁ ଲକ୍ଷ୍ୟ ରଖିଥିଲେ ଲୋକଙ୍କ ସେବା କରିବେ ତାହାକୁ ବଜାୟ ରଖିଛନ୍ତି। ବର୍ତ୍ତମାନର ରାଜନୈତିକ ଗୋଲକ ଧନ୍ଦାରେ ଫଶି  ସେ ନାନା ଅପବାଦ ଶୁଣି ଦୀର୍ଘ ଦଶ ବର୍ଷ ଜୀବନ ଜିଇଁଛନ୍ତି। ଜଣେ ଆଦିବାସୀ ଝିଅ ହୋଇ ଲୋକଙ୍କ ସେବାରେ ବ୍ରତୀ ହୋଇ ଆଉ ବାହା ହୋଇପାରି ନାହାନ୍ତି ସାବିତ୍ରୀ।  ଗତ କିଛି ବର୍ଷ ହେବ ମା’ଆ ବାପାଙ୍କ ମୃତ୍ୟୁ ପରେ ଭାଇଙ୍କ ଘରେ ରହି ଅଂଚଳର ମହିଳାଙ୍କୁ ସେବା ଯୋଗାଇ ମହିଳା ସ୍ବୟଂ ସହାୟକ ଦଳ ଗୁଡିକୁ ସଶକ୍ତ କରି ଆସୁଛନ୍ତି। ଯୁବତୀ ଓ ମହିଳାଙ୍କୁ ଯାହା ବି ଘାତ ପ୍ରତିଘାତ ଓ ନିନ୍ଦା ଅପବାଦ ଆସୁଚି ତାକୁ ଛାଡି ନିଜ ଲକ୍ଷ୍ୟ  ସ୍ଥଳରେ ପହଞ୍ଚିବା ପାଇଁ କାର୍ଯ୍ୟ କର ବୋଲି ପରାମର୍ଶ ଦେଇଛନ୍ତି ସାବିତ୍ରୀ।

publive-image

ସେହିପରି ଏହି ମହିଳା ଜଣକ ହେଉଛନ୍ତି ଜୟପୁର ସହର ପାଣିନଲା ସାହିର ଗୌରେଶ୍ବରୀ ମିଶ୍ର। ଜଣେ ଗୃହିଣୀ ଥିଲେ। ହେଲେ ଏମିତି ଏକ ପରିସ୍ଥିତି ଓ ଚାଲେଞ୍ଜ ଆସିବା ପରେ ୨୦୦୮ ମସିହାରେ ନିଜେ ନାଡି, ମୁଡୁକି, ମିକ୍ସଶ୍ଚର୍, ବାଦାମ ପକୋଡ଼ା,  ଲଡୁ ତିଆରି କରି ବିକ୍ରି କଲେ। ଧିରେ ଧିରେ ଘରୋଇ ମହିଳାଙ୍କୁ ଏକଜୁଟ କରି ନିଜ ବ୍ୟବସାୟରେ ସାମିଲ କରିଛନ୍ତି। ଆଜି ୨୨ଜଣ ମହିଳାଙ୍କୁ ଏକତ୍ରିତ କରି ବ୍ୟବସାୟକୁ ବଢ଼ାଇ ଚାଳିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିକ୍ରି କରି ଦୁଇ ପଇସା ଲାଭ କରୁଛନ୍ତି ଗୌରେଶ୍ୱରି। ନିଜେ ଲାଭବାନ ହେବା ସହ ଘରେ ଗୃହିଣୀ ଭାବେ ଥିବା ଅନେକ ମହିଳାଙ୍କୁ ଏବେ ସ୍ୱାବଲମ୍ବି କରେଇ ପାରିଛନ୍ତି।

publive-image

ଜୟପୁର ବ୍ଲକର ଜାମୁଣ୍ଡା ପଂଚାୟତର ତେଲିଆ ଗାଁର ଆଦିବାସୀ ଝିଅ କୁନ୍ଦ ମାଝୀ। ବାପା ନିଳକଣ୍ଟ ମାଝୀ ଚାଷ କରିବା ସହ ଦିନ ମଜୁରିଆ।  ୨୦୧୩-୧୪ମସିହାରେ ଦଶମ ପାସ୍ କରିବା ପର ଠାରୁ କୁନ୍ଦ ମାର୍ଶଲ ଆର୍ଟ ଶିଖିବା ଆରମ୍ଭ କରିଥିଲେ। ଏହା ସହ ସେ ଲଗାଥାର ଭାବେ ରାଜ୍ୟ, ସର୍ବଭାରତୀୟ , ଆର୍ନ୍ତଜାତୀୟ ପ୍ରତିଯୋଗିତାରେ ଜାମ୍ମୁ ଓକାଶ୍ମୀର , ଗୋଆ, ପାରାଦୀପ, ବିଶାଖାପାଟଣା, ଆସାମ ଆଦିରେ ହୋଇଥିବା ବିଭିନ୍ନ ରାଜ୍ୟ,‌ଜାତୀୟ ଓଅର୍ନ୍ତଜାତୀୟ ପ୍ରତିଯୋଗିତାରେ କୁନ୍ଦ ରୈପ୍ୟ, ବ୍ରୋଂଜ ଓସ୍ବର୍ଣ୍ଣ ପଦକ ପାଇଛନ୍ତି। ନିଜେ ମାର୍ଶଲ ଆର୍ଟରେ ‌କ୍ରୀଡାବିତ୍ ହେବା ସହ ନିଜ ପରିବାରର ଭଉଣୀ ଓ ଭାଇକୁ ମଧ୍ୟ ଏଦିଗରେ ପ୍ରତ୍ସାହିତ କରିଛନ୍ତି କୁନ୍ଦ। କେଜିଭିବି ସ୍କୁଲରେ ୱାଡେନ୍ ଭାବେ କାମ କରୁଛନ୍ତି। ଜିଲ୍ଲାର କେଜିଭିବି ସ୍କୁଲର ଛାତ୍ରୀ ମାନଙ୍କୁ ମାର୍ଶଲ ଆର୍ଟ ସହ ବିଭିନ୍ନ କ୍ରୀଡାକୁଦରେ ଭାଗ ନେବାକୁ ପ୍ରତ୍ସାହିତ କରୁଛନ୍ତି କୁନ୍ଦ।