ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି

କଟକ : ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତି ଭାବେ ସାବିତ୍ରୀ ରଥଙ୍କୁ ନିଯୁକ୍ତି ମିଳିଛି। ୨୦୨୦ ଜାନୁଆରି ୨୨ରେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ତାଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିବା ବେଳେ ଆଜି ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ଖୁବ୍‌ଶୀଘ୍ର ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେବେ ବୋଲି ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ବିଚାରପତି ପଦରେ ନିଯୁକ୍ତି ପାଇଁ ୨୦୧୯ ମେ ୭ରେ ଆଇନଜୀବୀ ସାବିତ୍ରୀ ରଥଙ୍କ ସମେତ ୮ ଜଣ ଆଇନଜୀବୀଙ୍କ ନାଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇଥିଲେ। ୨୦୧୯, ଅକ୍ଟୋବର ୩ରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଆଇନଜୀବୀ ସାବିତ୍ରୀ ରଥଙ୍କ ସ˚ପର୍କିତ ପ୍ରସ୍ତାବ ଆଉ କିଛିଦିନ ପରେ ବିଚାରକୁ ନିଆଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏ ସଂପର୍କିତ ପ୍ରସ୍ତାବ ସୁପ୍ରିମକୋର୍ଟ କଲେଜିୟମ ନିକଟରେ ବିଚାରାଧୀନ ଥିବା ବେଳେ ଜାନୁଆରି ୨୨ର ବୈଠକରେ ଏହାକୁ ଅନୁମୋଦନ କରାଯାଇଥିଲା। ସାବିତ୍ରୀ ରଥଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟ ବିଚାରପତି ସଂଖ୍ୟା ୧୬ରେ ପହଞ୍ଚିବ। ଏଥିସହିତ ତାଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ମହିଳା ବିଚାରପତିଙ୍କ ସଂଖ୍ୟା ଦୁଇରେ ପହଞ୍ଚିବ। ଓଡ଼ିଶା ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୨୭।

ସାବିତ୍ରୀ ରଥ ହେଉଛନ୍ତି ପୂର୍ବତନ ପୁଲିସ ଡିଜି ସ୍ବର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ କନ୍ୟା। ରେଭେନ୍ସାରୁ ଉଚ୍ଚଶିକ୍ଷା ସମାପ୍ତ କରିବା ପରେ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧୀନସ୍ଥ କ୍ୟାମ୍ପସ୍ ଲ’ ସେଣ୍ଟରରୁ ଏଲ୍‌ଏଲ.ବି. ଡିଗ୍ରି ହାସଲ କରିଥିଲେ। ୧୯୯୨ରେ ସେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ହାଇକୋର୍ଟରେ ମାମଲା ପରିଚାଳନା ପାଇଁ ତାଙ୍କୁ ଦାୟିତ୍ବ ମିଳିଥିଲା। ସେ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ (ଏଜିଏ) ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ। ହାଇକୋର୍ଟରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରି ସେ ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିଛନ୍ତି। ସାମ୍ବିଧାନିକ, ଦେୱାନି, ଫୌଜଦାରୀ, କମ୍ପାନି, କୋ-ଅପରେଟିଭ୍ ଓ ଅନ୍ୟ ଆଇନ ସଂପର୍କିତ ମାମଲା ପରିଚାଳନାରେ ତାଙ୍କର ଦକ୍ଷତା ରହିଛି।

ସମ୍ବନ୍ଧିତ ଖବର