କଟକ : ଓଡ଼ିଶା ହାଇକୋର୍ଟରେ ନୂଆ ବିଚାରପତି ଭାବେ ନିଯୁକ୍ତ ହେବାକୁ ଯାଉଛନ୍ତି ଆଇନଜୀବୀ ସାବିତ୍ରୀ ରଥ। ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ତାଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛି। ସୁପ୍ରିମକୋର୍ଟ କଲେଜିୟମ ବିଚାରପତି ଭାବେ ଆଇନଜୀବୀ ସାବିତ୍ରୀ ରଥଙ୍କ ନିଯୁକ୍ତି ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି। ଜାନୁଆରି ୨୨ରେ କଲେଜିୟମ ବୈଠକରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି।

Advertisment

ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ବିଚାରପତି ପଦରେ ନିଯୁକ୍ତି ପାଇଁ ୨୦୧୯ ମେ ୭ରେ ଆଇନଜୀବୀ ସାବିତ୍ରୀ ରଥଙ୍କ ସମେତ ୮ ଜଣ ଆଇନଜୀବୀଙ୍କ ନାଁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ସୁପ୍ରିମକୋର୍ଟଙ୍କ ନିକଟକୁ ପଠାଇଥିଲେ। ୨୦୧୯ ଅକ୍ଟୋବର ୩ରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ଆଇନଜୀବୀ ସାବିତ୍ରୀ ରଥଙ୍କ ସ˚ପର୍କିତ ପ୍ରସ୍ତାବ ଆଉ କିଛିଦିନ ପରେ ବିଚାରକୁ ନିଆଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏ ସଂପର୍କିତ ପ୍ରସ୍ତାବ ସୁପ୍ରିମକୋର୍ଟ କଲେଜିୟମ ନିକଟରେ ବିଚାରାଧୀନ ଥିବା ବେଳେ ଜାନୁଆରି ୨୨ର ବୈଠକରେ ଏହାକୁ ଅନୁମୋଦନ କରାଯାଇଥିବା ସୂଚନା ମିଳିଛି।

୧୯୯୨ ମସିହାରେ ସାବିତ୍ରୀ ରଥ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ହାଇକୋର୍ଟରେ ମାମଲା ପରିଚାଳନା ପାଇଁ ତାଙ୍କୁ ନିଯୁକ୍ତି ମିଳିଥିଲା। ଏବେ ସେ ହାଇକୋର୍ଟରେ ଅତିରିକ୍ତ ସରକାରୀ ଓକିଲ (ଏଜିଏ) ଭାବେ କାର୍ଯ୍ୟ କରୁଛନ୍ତି। ହାଇକୋର୍ଟରେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରି ସେ ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିଛନ୍ତି।

ପ୍ରକାଶଥାଉକି, ଓଡ଼ିଶା ହାଇକୋର୍ଟର ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୨୭ ହୋଇଥିବା ବେଳେ ଏବେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ସମେତ ୧୩ ଜଣ ବିଚାରପତି ରହିଛନ୍ତି।