ସାବିତ୍ରୀଙ୍କୁ ସ୍ୱାବଲମ୍ବୀ କଲା ଭାଇଙ୍କ ସିଲେଇ ମେସିନ୍

ଶତାଧିକ ଯୁବତୀ,ମହିଳାଙ୍କୁ କରିଛନ୍ତି ରୋଜଗାରକ୍ଷମ

ରାଉରକେଲା: ମନର ଦୃଢ଼ ଇଚ୍ଛାଶକ୍ତି ଥିଲେ ଅସମ୍ଭବ କାମ ବି ସମ୍ଭବ ହୋଇପାରେ। ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ବେ‌ସାହାରା ସାବିତ୍ରୀ। ବାପା ମା ଆର୍‌ପାରିକୁ ଚାଲିଗଲା ପରେ ମଧ୍ୟ ଭାଙ୍ଗି ପଡିନାହାନ୍ତି ସେ। କାହାରି ଉପରେ ନିର୍ଭର ନ କରି ନିଜ ଗୋଡରେ ନିଜେ ଛିଡା ହୋଇଛନ୍ତି। ଭାଇ (ବଡବାପାଙ୍କ ପୁଅ) ଠାରୁ ମିଳିଥିବା ସିଲେଇ ମେସିନ୍ ତାଙ୍କୁ ସ୍ୱାବଲମ୍ବୀ କରିଛି। ‌ସେ କେବଳ ନିଜେ ସ୍ୱାବଲମ୍ବୀ ହୋଇ ନାହାନ୍ତି ବରଂ ସ୍ଥାନୀୟ ଅଞ୍ଚଳର ଶହ ଶହ ଆଦିବାସୀ ଝିଅ, ମହିଳାଙ୍କୁ ରୋଜଗାର ବାଟ ଦେଖାଇଛନ୍ତି।

ଭାଇଙ୍କ ସିଲେଇ ମେସିନ୍‌ରେ କପଡା ସିଲେଇ କରି ମିଳୁଥିବା ପାରିଶ୍ରମିକରେ ଘର ନିକଟରେ ଖୋଲିଛନ୍ତି ଛୋଟିଆ ସିଲେଇ ତାଲିମ କେନ୍ଦ୍ର। ଯେଉଁଠି ତାଲିମ ନେଉଛନ୍ତି ଗରିବ ଆଦିବାସୀ ଝିଅ, ମହିଳା। ଏମାନଙ୍କୁ ନିକଟରୁ ତାଲିମ ବାବଦରେ ଖୁବ୍‌ ପାରିଶ୍ରମିକ ନେଉଛନ୍ତି। ତାଙ୍କର ମୂଳ ଲକ୍ଷ୍ୟ ରହିଛି ଗରିବ ଆଦିବାସୀ ଝିଅ, ମହିଳାଙ୍କୁ ରୋଜଗାରକ୍ଷମ କରିବା। ନିଜ ଭଳି ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରାଇବା। ସାବିତ୍ରୀ ଆଜି ପର୍ଯ୍ୟନ୍ତ ଶତାଧିକ ଝିଅ, ମହିଳାଙ୍କୁ ରୋଜଗାକ୍ଷମ କରାଇ ସାରିଛନ୍ତି। ତାଙ୍କ ଠାରୁ ତାଲିମ ନେଇ ନିଜ ଗାଁ ଓ ବଜାରରେ ସିଲେଇ ମେସିନ ପକାଇ ଝିଅ, ମହିଳାମାନେ ମାସକୁ ୧୦ରୁ ୧୫ ହଜାର ଟଙ୍କାର ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି। ସାବିତ୍ରୀଙ୍କ ଏଭଳି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍‌ ପ୍ରଶଂସା କରିଛନ୍ତି।

ସାବିତ୍ରୀ ସିଂହ (୩୨)ଙ୍କ ଘର ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଡୋଲାକୁଦ ଗ୍ରାମର। ବାପା ମାଙ୍କର ଏକମାତ୍ର ସନ୍ତାନ। ଦାରିଦ୍ର୍ୟର କଷାଘାତରେ ଯୋଗୁଁ ଆଜି ପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି। ଦାରିଦ୍ର୍ୟତା ଯୋଗୁଁ ତୃତୀୟ ଶ୍ରେଣୀରୁ ପାଠରେ ଡୋରି ବାନ୍ଧି ଦେଇଥିଲେ। ବାପା ମା ଆର୍‌ପାରିକୁ ଚାଲିଗଲା ପରେ ଏକାକୀ ହୋଇଯାଇଥିଲେ ସାବିତ୍ରୀ। ଦୁଃଖରେ ଭାଙ୍ଗି ନ ପଡି ନିଜ ଗୋଡରେ ନିଜେ ଛିଡା‌ ହେବାକୁ ଦୃଢ଼ ସଂକଳ୍ପ ନେଇଥିଲେ। ପେଟ ପୋଷିବାକୁ ଗତ ୨୦୦୮ରେ ଗ୍ରାମରେ ଥିବା ଏକ ସିଲେଇ ତାଲିମ କେନ୍ଦ୍ରରେ ସିଲେଇ ଶିଖିଥିଲେ। ସିଲେଇ ଶିଖିବା ପରେ ବଡବାପାଙ୍କ ପୁଅ ତାଙ୍କୁ ଏକ ସିଲେଇ ମେସିନ୍‌ କିଣି ଦେଇଥିଲେ। ଘରେ ସେହି ସିଲେଇ ମେସିନ୍‌ରେ ଆଖପାଖ ବସ୍ତିର କପଡା ସିଲେଇ କରିଥିଲେ। ଯିଏ ଯାହା ହେଉଥିଲେ ରଖୁଥିଲେ। ଏଥିରୁ କିଛି କିଛି ଟଙ୍କା ସଞ୍ଚିତ କରି ଗାଁ ମୁଣ୍ଡରେ ଏକ ସିଲେଇ ତାଲିମ କେନ୍ଦ୍ର ଖୋଲିଥିଲେ। ଆଉ ଦୁଇଟି ସିଲେଇ ମେସିନ କିଣି ରଖିଥିଲେ। ଏହି କେନ୍ଦ୍ରରେ ସାବିତ୍ରୀ ମୁଣ୍ଡାଜୋର, ପଟବେଡା, ଡୋଲାକୁଦର, ରାମରୋଡି ଆଦି ଗ୍ରାମର ଝିଅ, ମହିଳାମାନଙ୍କୁ ସିଲେଇ ଶିଖାଉଛନ୍ତି। କେବଳ ଏତିକି ନୁହେଁ ସାବିତ୍ରୀ ଗାଁର ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛନ୍ତି।

ବିଡମ୍ବନା, ସରକାରଙ୍କ ମାଳ ମାଳ ଯୋଜନା ତାଙ୍କ ପାଇଁ ସାତ ସପନ ପାଲଟିଛନ୍ତି। କେବଳ ରାସନ କାର୍ଡରେ ମାସକୁ ୫ କି.ଗ୍ରା. ଚାଉଳ ମିଳୁଛି। ବର୍ଷ ବର୍ଷ ଧରି ମୁଣ୍ଡନୁଆଁ ଝୁମ୍ପୁଡି ଘରେ ରହୁଥିଲେ ହେଁ ପ୍ରଧାନମନ୍ତ୍ରୀ ଆବାସ ଖଣ୍ଡିଏ ମିଳି ନାହିଁ। ଏ ସଂକ୍ରାନ୍ତରେ ବାରମ୍ବାର ଆବେଦନ କରିଛନ୍ତି। କିନ୍ତୁ ଆଜି ଯାଏଁ ତାଙ୍କ ଦୁଃଖ ଶୁଣିବାକୁ ବିଭାଗୀୟ ଅଧିକାରୀଙ୍କ ପାଖରେ ସମୟ ନାହିଁ। ସାବିତ୍ରୀ କହିଛନ୍ତି ଗରିବଙ୍କ ପାଇଁ ସରକାର କେତେ କ’ଣ ଯୋଜନା କରିଛନ୍ତି। କିନ୍ତୁ ଅଧିକାଂଶ ଗରିବ ଲୋକଙ୍କ ଯୋଜନାର ସୁଫଳ ପାଉ ନାହାନ୍ତି। କେବଳ ସେ ନୁହଁନ୍ତି ତାଙ୍କ ପରି ଏମିତି ଶହ ଶହ ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଠାରୁ ଅନେକ ଯୋଜନା ଯେମିତି ବାଟବଣା ହୋଇଯାଇଛି। ସରକାରଙ୍କ ତାଙ୍କୁ ଖଣ୍ଡିଏ ପ୍ରଧାନମନ୍ତ୍ରୀ ଆବାସ ସହ ତାଲିମ କେନ୍ଦ୍ରକୁ ଆର୍ଥିକ ସହାୟତା ଯୋଗାଇ ଦେଲେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ନିରୀହ ଆଦିବାସୀ ଯୁବତୀ, ମହିଳାମାନେ ରୋଜଗାରକ୍ଷମ ହୋଇପାରନ୍ତି ବୋଲି କହିଛନ୍ତି ସାବିତ୍ରୀ।

ସମ୍ବନ୍ଧିତ ଖବର