ରାଇରଙ୍ଗପୁର: ବର୍ତ୍ତମାନର ସମୟରେ ରୋଜଗାର ଆଶାରେ ସହର ମୁହାଁ ହେଉଥିବା ବେଳେ ନିଜ ଗ୍ରାମରେ ଆମ୍ବ ଚାଷ କରି ଆତ୍ମନିର୍ଭରଶୀଳ ହୋଇ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ପାରିଛନ୍ତି ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଝାଡ଼ଖଣ୍ଡ ରାଜ୍ୟ ସୀମାବର୍ତ୍ତୀ ଗ୍ରାମ କାହୁତୁକାର ସାୱନ୍ତେ ହେମ୍ବ୍ରମ (୪୫ )। ଶ୍ରୀ  ହେମ୍ବ୍ରମ କାହୁତୁକା ଗ୍ରାମର ଅନତିଦୂର ରେ ପାହାଡ଼ ତଳେ ଥିବା ଛୁଆଗିଳା ସାହି ରେ ଏକମାତ୍ର ପରିବାର ଭାବେ ବସବାସ କରନ୍ତି। ଘରେ ତାଙ୍କ ପତ୍ନୀ ବ୍ୟତୀତ ୨ ଗୋଟି ପୁଅ ଓ ୩ ଗୋଟି ଝିଅ ର ପରିବାର। ନିକଟରେ ବଡ଼ପୁଅର ବାହାଘର ସରିଛି। ଶ୍ରୀ ହେମ୍ବ୍ରମ ନିରକ୍ଷର ହୋଇଥିବା ବେଳେ ସନ୍ତାନମାନଙ୍କୁ ଶିକ୍ଷାପ୍ରତି ବେଶ ଯତ୍ନବାନ ଥିବାର ଦେଖାଯାଏ। ତାଙ୍କର ସ୍ୱଳ୍ପ ଆୟରୁ ବଡ଼ଝିଅଟି ବାଙ୍ଗରିପୋଷୀ ମହାବିଦ୍ୟାଳୟର ଡିଗ୍ରୀ ଶେଷ ବର୍ଷ ବିଜ୍ଞାନ ଛାତ୍ରୀ ଭାବେ ଅଧ୍ୟୟନରତ। ମଝିଆଁ ଝିଅଟି ମ୍ୟାଟ୍ରିକ ପାସ କରିଥିବା ବେଳେ ସାନପୁଅ ଓ ଝିଅ ଉଭୟ ନବମ ଶ୍ରେଣୀରେ ଅଧ୍ୟୟନରତ।
Advertisment
ଶ୍ରୀ ହେମ୍ବ୍ରମ ପାଠସାଠ ପଢି ନାହାନ୍ତି ସିନା। ଉଦ୍ୟାନ ଛାଷର ଅଭିଜ୍ଞତାରୁ କୌଣସି ଉଦ୍ୟାନବିଦଙ୍କ ଠାରୁ କମ ନୁହନ୍ତି। ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୁଷୁରୀ, ଲେଙ୍ଗଡ଼ା, ଆମ୍ବ୍ରପାଲି, ମଲ୍ଲୀକା, ବାଇଗଣ ପଳେଇ, ଗଦାବରୀ, ହେମସାଗର ଇତ୍ୟାଦି ଆମ୍ବ ବିକ୍ରି କରି ଭଲ ଦି ପଇସା ରୋଜଗାର କରିଛନ୍ତି ଯାହାକି ତାଙ୍କର ପରିବାର ପ୍ରତିପୋଷଣରେ ସହାୟକ ହେଉଛି। ଏହା ବ୍ୟତୀତ ତାଙ୍କ ବାଗାନର ଆମ୍ବ ଦେଶର ବିଭିନ୍ନ ଅଞ୍ଚଳକୁ ପଠା ଯାଇଥିବା କହିଛନ୍ତ। ଏହା ବ୍ଲକର ଅନ୍ୟାନ୍ୟ ଚାଷୀ ଭାଇମାନଙ୍କୁ ଫଳ ଚାଷ କରିବା ନିମନ୍ତେ ଉତ୍ସାହିତ କରିଛି। ଶ୍ରୀ ହେମ୍ବ୍ରମ ଆମ୍ବ ଚାଷ ସହିତ ତାଙ୍କର ୫ ଏକର ପରିମିତ ସ୍ଥାନରେ ବିଭିନ୍ନ ପ୍ରଜାତିର ମୂଲ୍ୟବାନ ଫଳ ଗଛ ଯଥା -ଲିଚୁ, ପଣସ, ସପେଟା, ସପୁରୀ, କଳା ହଳଦୀ, ଆମ୍ବ ଅଦା ଇତ୍ୟାଦି ଚାଷ କରି ଅଂଚଳ ବାସୀଙ୍କୁ ଚକିତ କରିଛନ୍ତି।
୧୯୯୯ ମସିହାରୁ ଫଳ ଓ ପନିପରିବା ଚାଷ ଉପରେ ଅନୁସନ୍ଧାନ କରି ଜଣେ ଉଚ୍ଚକଟିର ଉଦ୍ୟାନବିତର ପରିଚୟ ସୃଷ୍ଟି କରିପାରିଛନ୍ତି। ଏଥି ସହିତ ଏକ ଏକର ଜମିରେ ବିନା ସରକାରୀ ସହାୟତାରେ ନୂତନ ଭାବେ ପରୀକ୍ଷା ମୂଳକ ଭାବେ କାଙ୍କଡ ଚାଷ କରିଛନ୍ତି। କାଙ୍କଡ଼ ଚାଷର ପରାଗସଙ୍ଗମ ସମ୍ୱନ୍ଧୀୟ ଜ୍ଞାନକୁ ନିଜେ ପରୀକ୍ଷା ନିରୀକ୍ଷା କରି ସଫଳ ହୋଇଥିବାର ପ୍ରକାଶ କରିଛନ୍ତି ଯାହାକି ତାଙ୍କୁ ଆନନ୍ଦିତ କରିଛି। ଏକ ଧାଡିରେ କହିବାକୁ ଗଲେ ଶ୍ରୀ ହେମ୍ବ୍ରମ ଙ୍କ ଫଳ ଓ ପନିପରିବା ବଗିଚା ଏକ ପରୀକ୍ଷାଗାର ମାତ୍ର ଦୁଃଖ ଓ ପରିତାପର ବିଷୟ ଶ୍ରୀଯୁକ୍ତ ହେମ୍ବ୍ରମଙ୍କ ଫଳ ଓ ପନିପରିବା ଚାଷ ସ୍ଥାନରେ ବର୍ତ୍ତମାନର କୃଷି ବିଭାଗ କିମ୍ବା ଉଦ୍ୟାନବିଦ ବିଭାଗର ଅଧିକାରୀମାନଙ୍କର ପାଦ ପଡେ ନାହିଁ କିମ୍ବା କୌଣସି ପ୍ରକାର ସରକାରୀ ସାହାଯ୍ୟ ମିଳେ ନାହିଁ। ଦୁଃଖର ବିଷୟ କୃଷିରେ ରାଜ୍ୟ ସରକାରଙ୍କ ବିଭିନ୍ନ ମହୋତ୍ସବ ରେ ପୁରସ୍କୃତ ହୋଇଥିବା ସତ୍ୱେ ସରକାରୀ ଆବାସ ଘର ଟିଏ ମଧ୍ୟ ତାଙ୍କୁ ମିଳି ନାହିଁ । ଏବେ ମଧ୍ୟ ବଣ ପାହାଡ଼ ମଧ୍ୟରେ ଝାଟି ମାଟିର ଘରେ ପରିବାର ସହିତ କାଳାତିପାତ କରୁଛନ୍ତି। ସରକାର ଫଳ ଓ ପନିପରିବା ଚାଷ କୁ ଗୁରୁତ୍ୱ ଦେଉଥିବା ବେଳେ ଶ୍ରୀ ହେମ୍ବ୍ରମଙ୍କ ପରି ଉଦୀୟମାନ ଚାଷୀ ଅବହେଳିତ ରହିବା କୃଷିବିଦମାନଙ୍କୁ ମର୍ମାହତ କରିଛି। ତୁରନ୍ତ ତାଙ୍କୁ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ପକ୍ଷରୁ ସରକାରୀ ସାହାଯ୍ୟ ପ୍ରଦାନ ପାଇଁ ସାଧାରଣରେ ଦାବୀ ହୁଏ।