କମ୍ପ୍ୟୁଟର ଇଞ୍ଜିନିୟର ହେବି ବୋଲି କହିଲେ ଜେଇଇ ଆଡଭାନ୍ସଡ୍‌ ଓଡ଼ିଶା ଟପର୍‌ ସାୟନ୍ତନ

ଜେଇଇ ଆଡଭାନ୍ସଡ୍‌ରେ ୫୧ ରୢାଙ୍କ ରଖି ଛାତ୍ର ସାୟନ୍ତନ ଧର୍‌ ଓଡ଼ିଶା ଟପର୍‌ ହୋଇଛନ୍ତି। ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଦ୍ବାଦଶ ଶ୍ରେଣୀ ପଢ଼ିବା ସହ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ରେ ଆଇଆଇଟି-ଜେଇଇ କୋଚିଂ ନେଇଥିବା ସାୟନ୍ତନ ୯୯.୯୬୧ ପର୍ସୋଇଲ୍‌ ରଖି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ୯୪.୨ ପ୍ରତିଶତ ମାର୍କ ରଖିଥିଲେ। ପୂର୍ବରୁ କେଭିପିୱାଇ ସର୍ବଭାରତୀୟସ୍ତରରେ ୬୩ତମ ରୢାଙ୍କ ହାସଲ କରିଥିଲେ। କେମେଷ୍ଟ୍ରି ଅଲିମ୍ପିଆଡ୍‌ ୨୦୧୮ରେ ରାଜ୍ୟ ଟପର୍‌ ହୋଇଥିବା ବେଳେ ଓ ଫିଜିକ୍ସ ଅଲିମ୍ପିଆଡ୍‌, ଆଷ୍ଟ୍ରୋ ଅଲିମ୍ପିଆଡ୍‌ ୨୦୧୮ରେ ତୃତୀୟ ସ୍ଥାନ ଅକ୍ତିଆର କରିଥିଲେ। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଆସିଷ୍ଟାଣ୍ଟ ଜେନେରାଲ୍‌ ମ୍ୟାନେଜର‌୍‌ ଭାବେ କାର୍ଯ୍ୟରତ ସମ୍ବଲପୁର(ଏବେ ଭୁବନେଶ୍ବରରେ ରହୁଛନ୍ତି)ର ସ୍ବପନ୍‌ ଧର‌୍‌ ଓ ଗୃହିଣୀ ମନୀଷା ଧର‌୍‌ଙ୍କ ସୁପୁତ୍ର ସାୟନ୍ତନ ଭବିଷ୍ୟତରେ ବମ୍ବେ ଆଇଆଇଟିରେ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରି˚ ପଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ଓଡ଼ିଶା ଟପର୍‌ ହେବା ପରେ ତାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର।

ଜେଇଇ ଆଡଭାନ୍ସଡ୍‌ ଲାଗି କେମିତି ଥିଲା ପ୍ରସ୍ତୁତି?
ସାଇ ଇଣ୍ଟରନ୍ୟା‌ସନାଲ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢ଼ିବା ଦିନରୁ ହିଁ ଜେଇଇ ଆଡଭାନ୍ସଡ୍‌ ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲି। ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ରେ କୋଚିଂ ନେବା ସମୟରେ ଶିକ୍ଷକମାନେ ସିଧାସଳଖ କୌଣସି ପ୍ରଶ୍ନର ଉତ୍ତର ଦେଉ ନଥିଲେ। ବରଂ ଆମେ କିଭଳି ନିଜେ ପ୍ରଶ୍ନଗୁଡ଼ିକର ସମାଧାନ କରିବୁ ସେଥିପ୍ରତି ଗୁରୁତ୍ବ ଦେଉଥିଲେ। ଜେଇଇ ମେନ୍‌ରେ ପ୍ରଶ୍ନପତ୍ର ସହଜ ଥିଲା। କିନ୍ତୁ ଜେଇଇ ଆଡଭାନ୍ସଡ୍‌ରେ ପ୍ରଶ୍ନଗୁଡ଼ିକ ବହୁତ ଟପ୍‌ ରହିଥିଲା। ତେଣୁ ଜେଇଇ ମେନ୍‌ ପରେ ପାଠପଢ଼ା ପ୍ରତି ବହୁ ସମୟ ଦେବାକୁ ପଡ଼ୁଥିଲା। ରାତିରେ ବେଶି ସମୟ ପଢ଼ୁ ନଥିଲି।

ଶ୍ରେଷ୍ଠ ଶହେ ଭିତରେ ରହିବେ ବୋଲି ଆଶା ରଖିଥିଲେ?
ଯେତେବେଳେ କୋଚିଂ ନେବା ଆରମ୍ଭ କଲି ସେତେବେଳେ ଭାବି ନଥିଲି ଏଭଳି ସଫଳତା ପାଇବି। ତେବେ କୋଚିଂ ନେବା ପରେ ଆଶା ବଢ଼ିଚାଲିଥିଲା। ପରୀକ୍ଷା ପୂର୍ବରୁ ଲକ୍ଷ୍ୟ ରଖିଥିଲି ଶ୍ରେଷ୍ଠ ଶହେରେ ଆସିବି। ଆଜି ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିବାରୁ ଖୁସି ଲାଗୁଛି।

କୋଚିଂ ସହ ଦ୍ବାଦଶ ଶ୍ରେଣୀ ପାଠପଢ଼ା ବାଧା ସୃଷ୍ଟି କରିଥିଲା କି?
ନା ସେମିତି କିଛି ହେଲାନି। ପ୍ରଥମରୁ ହିଁ ଜେଇଇ ଆଡଭାନ୍ସକୁ ଟାର୍ଗେଟ୍‌ କରିଥିଲେ। ତାହାକୁ ଦୃଷ୍ଟିରେ ରଖି ନିଜକୁ ପ୍ରସ୍ତୁତ କରିଥିଲି। କୋଚିଂ ଓ ସ୍କୁଲରେ ଶିକ୍ଷକମାନେ ସହଯୋଗ କରିଥିଲେ। ଯେଉଁଠି ଦ୍ବନ୍ଦ୍ବ ରହୁଥିଲା ତାହାର ସମାଧାନ କରିଦେଉଥିଲେ। କୋଚିଂ ସେଣ୍ଟର୍‌ରେ ଟେଷ୍ଟ ସିରିଜ୍‌ ବହୁତ କଷ୍ଟକର ଥିଲା। ‌

କେଉଁଠି ପଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି?
ଭଲ ରୢାଙ୍କ ରହିଥିବାରୁ ଆଇଆଇଟି ବମ୍ବେରେ ପଢ଼ିବାକୁ ଲକ୍ଷ୍ୟ ରଖିଛି। କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ବିଷୟ ରଖିବି।

ସଫଳତାର ଶ୍ରେୟ କାହାକୁ ଦେବେ?
ପ୍ରଥମ ଶ୍ରେୟ ପରିବାର ତଥା ଅଭିଭାବକଙ୍କୁ ଦେବି। ସେମାନଙ୍କ ସହଯୋଗ ବିନା ଏଭଳି ସଫଳତା ମିଳିପାରି ନଥାନ୍ତା। ଏଥିସହ ପ୍ରତିଟି କ୍ଷେତ୍ରରେ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ ଓ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପ୍ରେରଣା ମିଳିଛି।

ଜେଇଇ ଆଶାୟୀଙ୍କ ଉଦ୍ଦେଶ୍ୟରେ କ’ଣ କରିବେ?
ଦେଖିବାକୁ ମିଳୁଛି ଯେ ପିଲାମା‌ନେ ବହୁ ସମୟ ପଢ଼ନ୍ତି। ହେଲେ ଠିକ୍‌ ଭାବେ ପଢ଼ନ୍ତି ନାହିଁ। ତେଣୁ ମୁଁ ଏତିକି କହିବି ଯେ ପ୍ରଥମେ ସେମାନେ ଟାର୍ଗେଟ୍‌ ସ୍ଥିର କରନ୍ତୁ। ସେହି ଅନୁଯାୟୀ ପାଠପଢ଼ାକୁ ଗୁରୁତ୍ବ ଦେବା ସହ ସମୟ ବାହାର କରନ୍ତୁ।

ସାକ୍ଷାତକାର: କେଶବ ପାଣି

ସମ୍ବନ୍ଧିତ ଖବର