ତେଜସ୍କର ମହାପାତ୍ର
ଝାରସୁଗୁଡ଼ା: ମହାନଦୀର ଗଭୀରତା କମିଛି, ଉର୍ବରତା ବି ହ୍ରାସ ପାଇଛି। ବର୍ଷତମାମ ଆଉ ଜଳପ୍ରବାହ ଦେଖିବାକୁ ମିଳୁନି। ଖରା ୪ ମାସ ନଦୀର ପ୍ରସ୍ତ ବେଶ ସଙ୍କୁଚିତ ହୋଇଯାଉଛି। ସ୍ଥିତି ଏତେ ଗମ୍ଭୀର ଯେ ଲୋକଙ୍କ ନିତ୍ୟ ବ୍ୟବହାର ପାଇଁ ବି ପାଣି ମିଳିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ୁଛି। ଡିସେମ୍ବର ଶେଷ ସପ୍ତାହରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ କଣ୍ଢେଇକେଲା ପଞ୍ଚାୟତର ସୁଖାସୋଢାଠାରେ ଜୀବନରେଖା ମହାନଦୀର ପ୍ରବେଶ ସ୍ଥଳ ଏଭଳି କିଛି ଦୃଶ୍ୟ ବଖାଣୁଛି। ଛତିଶଗଡ଼ ସରକାର ଓଡ଼ିଶାରେ ପ୍ରବେଶ ପୂର୍ବରୁ ମହାନଦୀର ତଣ୍ଟି ଚିପି ଦେବା ପରଠାରୁ ଯନ୍ତ୍ରଣା ସହୁଛି ମହାନଦୀ। ଏପଟେ ବର୍ଷାଦିନେ ସମୁଦ୍ରକୁ ବୋହି ଯାଉଥିବା ପାଣିର ସଂରକ୍ଷଣ କରିବାରେ ମଧ୍ୟ ରାଜ୍ୟ ସରକାର ସଫଳ ହୋଇପାରିନାହାନ୍ତି। ୫ ବର୍ଷ ପରେ ମହାନଦୀ ଟ୍ରିବ୍ୟୁନାଲର ଶୁଣାଣି ଆରମ୍ଭ ହୋଇଛି ସତ, ହେଲେ ଏଯାଏ ମହାନଦୀକୁ ନ୍ୟାୟ ମିଳିପାରିନାହିଁ। ରାଜନୈତିକ ଦଳ ପରସ୍ପରକୁ କାଦୁଅ ଫିଙ୍ଗୁଛନ୍ତି। ହେଲେ ମହାନଦୀର ଦୁଃଖ କିଭଳି କମିବ, ସେ ଯୋଜନା ହୋଇପାରିଲା ନାହିଁ।
ସୁଖାସୋଢାର ଚାଷୀ ଗଣେଶ ସିଧାରଙ୍କ କହିବାନୁସାରେ, ଛତିଶଗଡ଼ କଲ୍ମା ବ୍ୟାରେଜ୍ରେ ପାଣି ଅଟକାଇବା ପୂର୍ବରୁ ଏଠାରେ ପ୍ରାୟ ୩୦ ଫୁଟ୍ ଗଭୀରତାର ଜଳସ୍ରୋତ ବର୍ଷତମାମ ରହୁଥିଲା। ପର୍ଯ୍ୟାପ୍ତ ପାଣି ଆସୁଥିବାରୁ ଅଣମୌସୁମୀ ଋତୁରେ ବି ହୀରାକୁଦ ଜଳଭଣ୍ଡାରରୁ ପାଣି ନିଷ୍କାସିତ ହୋଇପାରୁଥିବାରୁ ମହାନଦୀର ଜଳପ୍ରବାହ ଜାରି ରହିଥିଲା। ମାତ୍ର ଏବେ ମହାନଦୀର ଜଳପ୍ରବାହ ସମ୍ପୂର୍ଣ୍ଣ ଅଟକି ଯାଇଛି। ଉପରୁ ପାଣି ଆସୁ ନଥିବାରୁ ହୀରାକୁଦ ବି ଗେଟ୍ ବନ୍ଦ ରଖୁଛି ଏବଂ ଛତିଶଗଡ଼ ପଟରୁ ଆସୁଥିବା ଅଳ୍ପ ବାଲି ମିଶା ପାଣି ଜମା ହୋଇ ରହୁଛି। ଉକ୍ତ ବାଲି ଓ ପଟୁ ଜମା ହୋଇ ଏବେ ନଦୀର ଗଭୀରତା ୧୫ ଫୁଟ୍କୁ ଖସି ଆସିଲାଣି। କେନାଲରେ ପାଣି ଛଡ଼ାଗଲେ ଏହି ପାଣି ବି ଆଉ ଦେଖିବାକୁ ମିଳୁନି। ବର୍ଷା ୪ ମାସ ଉପରମୁଣ୍ଡରୁ ପ୍ରବଳ ଗୋଳିଆ ପାଣି ଆସୁଥିବା ବେଳେ ତାହା ବନ୍ୟା ହୋଇ ଲୋକଙ୍କ ଘର ଭିତରକୁ ପଶୁଛି। ଚାଷ ଉଜୁଡ଼ି ଯାଉଛି। ଖରା ୪ ମାସ ଆଦୌ ପାଣି ଆସୁନି। ବଳକା ୪ ମାସରେ ଛତିଶଗଡ଼ ପ୍ରତି ୧୫ ଦିନରେ ଥରେ ଲେଖାଏ ଗୋଟିଏ ଗୋଟିଏ ଗେଟ୍ ଖୋଲି ଶିଳ୍ପାନୁଷ୍ଠାନଗୁଡ଼ିକର ବିଷାକ୍ତ ରସାୟନିକ ମିଶା ପାଣି ଛାଡ଼ି ଦେଉଛି। ଯଦ୍ବାରା ନଦୀରେ ଥିବା ଜଳଜୀବ ବି ଆଉ ଦେଖିବାକୁ ମିଳୁନାହାନ୍ତି। ମତ୍ସ୍ୟଜୀବୀ ନିଜର ଜୀବିକା ହରାଇ ବସିଲେଣି। ୬ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ଆସି ସଭା କରିଥିଲେ ଓ ତା’ ପରବର୍ଷ ଜଣେ ଜିଲ୍ଲାପାଳ ଆସି ଏହି କୂଳରେ ଏକ ବରଗଛ ପୋତି ଯାଇଥିଲେ। ତା’ ପରଠାରୁ ପ୍ରଶାସନ ଓ ସରକାର ବି ସୁଖାସୋଢା କଥା ଭୁଲି ଯାଇଥିବା ଶ୍ରୀ ସିଧାର କହିଛନ୍ତି। ଛତିଶଗଡ଼ ଏହି ପ୍ରାକୃତିକ ଜଳସ୍ରୋତକୁ ଅଟକାଇ ରଖୁଥିବା ବେଳେ ବର୍ଷାଦିନରେ ସ୍ଥିତି ଅସମ୍ଭାଳ ହେଲେ ଏକାବେଳେକେ ସବୁ ପାଣି ଛାଡ଼ି ଦେଉଛି। ଫଳସ୍ବରୂପ ପୂର୍ବରୁ ଗୋଟିଏ ସ୍ରୋତରେ ମହାନଦୀ ଓଡ଼ିଶାକୁ ପ୍ରବେଶ କରୁଥିବା ବେଳେ ଏବେ ତାହା ଏକାଧିକ ସ୍ରୋତ ହୋଇଯାଇଛି। ଅଣମୌସୁମୀ ଋତୁରେ ଏକାଧିକ ସ୍ରୋତରେ ପାଣି ଆସିବା ଯୋଗୁ ଯେତିକି ପାଣି ମହାନଦୀର ମୁଖ୍ୟ ସ୍ରୋତକୁ ଯିବା କଥା ତାହା ଯାଇପାରୁନାହିଁ।
୨୦୧୮ ମେ’ ୧୬ ତାରିଖରେ ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ଶୁଖାସୋଢ଼ାରେ ସ୍ଥିତି ଅନୁଧ୍ୟାନ କରିବା ପରେ ଏହିସ୍ଥାନରୁ ହିଁ ମହାନଦୀ ସୁରକ୍ଷା ଅଭିଯାନ ଘୋଷଣା କରାଯାଇଥିଲା। ଏହି ଅଭିଯାନ ଅନ୍ତର୍ଗତ ମହାନଦୀ ପ୍ରବାହିତ ହୋଇଥିବା ରାଜ୍ୟର ୧୫ଟି ଜିଲ୍ଲାର ୪୫ଟି ନିର୍ବାଚନମଣ୍ଡଳୀରେ ମହାନଦୀ ସୁରକ୍ଷା ନେଇ ସଭାସମିତି ହୋଇଥିଲା। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ବିବାଦ ଲାଗି ରହିବା ପରେ ୨୦୧୮ ମସିହା ମାର୍ଚ୍ଚ ୧୧ ତାରିଖରେ ଟ୍ରିବ୍ୟୁନାଲ୍ ଗଠନ ହୋଇଥିଲା। ଗତ ମେ’ ମାସରେ ଅର୍ଥାତ୍ ୫ ବର୍ଷ ଟ୍ରିବ୍ୟୁନାଲ୍ ସଦସ୍ୟ କ୍ଷେତ୍ର ପରିଦର୍ଶନ କଲେ। ଗତ ନଭେମ୍ବରରୁ ମାମଲାର ଶୁଣାଣି ଆରମ୍ଭ ହୋଇଛି। ଉଭୟ ରାଜ୍ୟ ସାନି ସାକ୍ଷୀ ତାଲିକା ବି ଟ୍ରିବ୍ୟୁନାଲ୍ଙ୍କ ନିକଟରେ ଦାଖଲ କରିଛନ୍ତି।
ସେପଟେ ମହାନଦୀ ବେସିନ୍ରେ ଓଡ଼ିଶା ତୁଳନାରେ ଛତିଶଗଡ଼ର ଜଳଧାରଣା କ୍ଷମତା ୧୦ ପ୍ରତିଶତ ଅଧିକ ରହିଥିବାରୁ ଛତିଶଗଡ଼ ସରକାର ଗୋଟିଏ ପରେ ଗୋଟିଏ ବ୍ୟାରେଜ ନିର୍ମାଣ କରିଚାଲିଛନ୍ତି। ଅନ୍ୟପଟରେ ରାଜ୍ୟ ସରକାର ବିଗତ ୫ ବର୍ଷରେ ହୀରାକୁଦ ତଳ ମୁଣ୍ଡରେ ଗୋଟିଏ ବି ବ୍ୟାରେଜ୍ ନିର୍ମାଣ କରି ପାରିନାହାନ୍ତି। ଫଳରେ ମହାନଦୀ ଉପରେ ନିର୍ଭରଶୀଳ ଚାଷୀ ଓ ମତ୍ସ୍ୟଜୀବୀଙ୍କ ଜୀବିକା ଏବେ ବିପଦରେ ପଡ଼ିଛି।
ସୁଖାସୋଢ଼ାରୁ ମହାନଦୀ କହୁଛି... ନଦୀର ଗଭୀରତା ୧୫ ଫୁଟ୍କୁ ଖସି ଆସିଲାଣି
ଓଡ଼ିଶାର ଯନ୍ତ୍ରଣା ବଢ଼ାଇ ଚାଲିଛି ଛତିଶଗଡ଼
/sambad/media/post_attachments/wp-content/uploads/2024/01/dgjggjgjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)