ଷ୍ଟେଟ୍‌ ବ୍ୟାଙ୍କ ପୋଡ଼ି ପାଉଁଶ

ଜଳିଗଲା ଦଲିଲ, କମ୍ପୁଟର, ଏସି

୮୦ ଲକ୍ଷ ଟଙ୍କାର ସମ୍ପତ୍ତି ଧ୍ୱଂସ, ସଟ୍‌ ସର୍କିଟରୁ ଅଗ୍ନିକାଣ୍ଡ ସନ୍ଦେହ

ରାଉରକେଲା : ବିଶ୍ରା ଛକସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଶିଳ୍ପ ବାଣିଜ୍ୟ ଶାଖାରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୮୦ ଲକ୍ଷ ଟଙ୍କାର ସମ୍ପତ୍ତି ପାଉଁଶ ହୋଇଯାଇଛି। ଆଜି ଭୋର୍‌ ପ୍ରାୟ ସାଢ଼େ ୩ଟାରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଘଣ୍ଟେ ପରେ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ (ଆରଏସ୍‌ପି)ର ୨ଟି ଓ ପରେ ରାଜ୍ୟ ଅଗ୍ନିଶମ ସଂସ୍ଥାର ଆଉ ୨ଟି ଦମ କଳ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଅଗ୍ନିଶମ କର୍ମଚାରୀଙ୍କ ଦୁଇଘଣ୍ଟା ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା। ବ୍ୟାଙ୍କ ଶାଖାର ସମସ୍ତ ବିଭାଗ ଧୂଆଁମୟ ଥିବାରୁୁ ଅଗ୍ନିଶମ କର୍ମଚାରୀଙ୍କୁ ଅନେକ ସମୟ ନାକେଦମ୍‌ ହେବାକୁ ପଡ଼ିଥିଲା। ବାହାର ପଟୁ ସବୁ ଝରକା ଭାଙ୍ଗି ଧୁଆଁ ବାହାର କରିବା ପରେ ସେମାନେ ଭିତରେ ପଶି ନିଆଁ ଲିଭାଇଥିଲେ। ସେତେବେଳେକୁ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଦଲିଲ, ଇଣ୍ଟରନ୍ୟାସନାଲ ବ୍ୟାଙ୍କକିଂ (ଆଇବି) ଶାଖା, ସିଷ୍ଟମ ରୁମ୍‌, ୨୬ଟି କମ୍ପୁଟର, ୧୬ଟି ଏସି ସମେତ ଅନ୍ୟାନ୍ୟ ଆସବାବପତ୍ରକୁ ମିଶାଇ ପ୍ରାୟ ୮ ଲକ୍ଷ ଟଙ୍କାର ସମତ୍ତି ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ସଟ୍‌ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ବୋଲି ଏସ୍‌ବିଆଇର ଆଞ୍ଚଳିକ ମହାପ୍ରବନ୍ଧକ ବିଭୂତି ଭୂଷଣ ଦାସ କହିଛନ୍ତି

ସବୁ ଦିନ ପରି ଶୁକ୍ରବାର ସଂଧ୍ୟାରେ ଅଧିକାରୀ, କର୍ମଚାରୀମାନେ ବ୍ୟାଙ୍କ ଛାଡ଼ିବା ପରେ ଅଫିସ ବନ୍ଦ ହୋଇଥିଲା। ରାତି ପ୍ରାୟ ସାଢ଼େ ୪ଟାରେ ଅଫିସ ଭିତରୁ ଧୂଆଁ ବାହାରୁଥିବା ଏସ୍‌ବିଆଇ ଏଟିଏମ୍‌ ସିକ୍ୟୁରିଟି ଗାର୍ଡ ଶ୍ୟାମ ଯାଦବ ଦେଖିବାକୁ ପାଇଥିଲେ। ସେ ଏ ସମ୍ପର୍କରେ ଏସ୍‌ବିଆଇ ଶାଖା ମ୍ୟାନେଜର ଭରତ ସାହୁ ଏବଂ ଶିଳ୍ପ ବାଣିଜ୍ୟ ଶାଖାର ସହକାରୀ ମହାପ୍ରବନ୍ଧକ ସୁଶାନ୍ତ ମହାନ୍ତି, ଆକାଉଣ୍ଟାଣ୍ଟ ଫାଟ କିସ୍‌କୋଙ୍କୁ ଜଣାଇଥିଲେ। ସେମାନେ ତୁରନ୍ତ ଆର୍‌ଏସ୍‌ପି ଏବଂ ରାଜ୍ୟ ଅଗ୍ନିଶମ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ପରେ ଏସ୍‌ବିଆଇର ବରିଷ୍ଠ ଅଧିକାରୀଙ୍କ ସମେତ ସୁରକ୍ଷା ଟିମ୍‌ ପହଞ୍ଚି ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସୂଚନାଯୋଗ୍ୟ, ପ୍ରାୟ ୩ ବର୍ଷ ତଳେ ଏହି ଶାଖାରେ ସଟ୍‌ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି କ୍ଷୟକ୍ଷତି ହୋଇଥିଲା। ବିଦ୍ୟୁତ ଉପରକରଣ ମରାମତି ଅଭାବରୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବା କୁହାଯାଉଛି। ଅନ୍ୟ ପକ୍ଷରେ ବିଶ୍ରା ଛକରେ ବ୍ୟାଙ୍କର ଦୁଇଟି ଶାଖା ଥିବା ସତ୍ୱେ ଜଣେ ହେଲେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାନଯିବା ନିରାପତ୍ତା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୁରକ୍ଷାକର୍ମୀ ମୁତୟନ ଥିଲେ, ହୁଏତ ଅଗ୍ନିକାଣ୍ଡ ବ୍ୟାପକ ହେବା ପୂର୍ବରୁ ତାହାକୁ ନିୟନ୍ତ୍ରଣ କରାଯାଇ ପାରିଥାନ୍ତା।

ସମ୍ବନ୍ଧିତ ଖବର