ଏସବିଆଇ ଇକୋରାପ୍ ରିପୋର୍ଟ : ଶ୍ରେଷ୍ଠ ୧୦ରେ ଓଡ଼ିଶା

ମୁଣ୍ଡପିଛା ଆୟ ରୢାଙ୍କରେ ୪ଟି ସ୍ଥାନ ଉପରକୁ ଉଠିଛି

ଭୁବନେଶ୍ବର : ମାନବ ବିକାଶ ସୂଚୀର ଅଗ୍ରଗତିରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି। ଦେଶର ୧୦ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କର ଇକୋରାପ୍ ରିପୋର୍ଟରୁ ଏହି ତଥ୍ୟ ପଦାକୁ ଆସିଛି।

ମାନବ ବିକାଶ ସୂଚୀର ଅଗ୍ରଗତିରେ ପୂର୍ବ ଭାରତର ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶାର ପ୍ରଦର୍ଶନ ‌ସର୍ବୋତ୍କୃଷ୍ଟ ରହିଛି। ୧୯୯୦ରୁ ୨୦୧୭ ମସିହା ପର୍ଯ୍ୟନ୍ତ ୨୭ ବର୍ଷର ତଥ୍ୟକୁ ହିସାବକୁ ନେଇ ଏସବିଆଇ ଇକୋରାପ୍ ରିପୋର୍ଟରେ ଏହି ଆକଳନ କରାଯାଇଛି। ସାମାଜିକ କ୍ଷେତ୍ର ପାଇଁ ଓଡ଼ିଶାର ବାର୍ଷିକ ଖର୍ଚ୍ଚ ଅଭିବୃଦ୍ଧି ହାର ଉଲ୍ଲେଖନୀୟ ଅର୍ଥାତ୍ ୧୫.୧ ପ୍ରତିଶତ ରହିଛି। ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ଏ କ୍ଷେତ୍ରରେ ତୃତୀୟ ସ୍ଥାନ ହାସଲ କରିଛି। ଓଡ଼ିଶା ହାସଲ କରୁଥିବା ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ଯୋଗୁ ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟରେ ମଧ୍ୟ ଯଥେଷ୍ଟ ଉନ୍ନତି ଘଟିଛି। ୧୯୯୦ରୁ ୨୦୧୭ ମଧ୍ୟରେ ମୁଣ୍ଡ ପିଛା ଆୟ ରୢାଙ୍କରେ ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶା ୪ଟି ସ୍ଥାନ ଉପରକୁ ଉଠିଛି।

ଜାତିସଂଘ ବିକାଶ ପ୍ରକଳ୍ପ ଆଧାରରେ ଏସବିଆଇ ଏହି ସର୍ଭେରେ ରାଜ୍ୟ ଗୁଡ଼ିକ ପାଇଁ ମାନବ ବିକାଶ ସୂଚୀ ତାଲିକା ପ୍ରସ୍ତୁତ କରିଛି। ମୁଖ୍ୟତଃ ୩ଟି ବିଷୟକୁ ମାନବ ବିକାଶ ସୂଚୀ ପ୍ରସ୍ତୁତିରେ ହିସାବକୁ ନିଆଯାଇଛି। ସେଗୁଡ଼ିକ ହେଲା ରାଜ୍ୟ ଗୁଡ଼ିକ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଜୀବନ ଧାରଣ ମାନ ପାଇଁ କରିଥିବା ଖର୍ଚ୍ଚ।

ରିପୋର୍ଟରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ମଧ୍ୟ ଦର୍ଶାଯାଇଛି। ତାହା ହେଲା ଗତ ଶତାବ୍ଦୀର ନବେ ଦଶକରେ ଯେଉଁସବୁ ରାଜ୍ୟଗୁଡ଼ିକର ମାନବ ବିକାଶ ସୂଚୀ ଖରାପ ଥିଲା ସେଗୁଡ଼ିକ ଏବେ ଭଲ ପ୍ରଦର୍ଶନ କରୁଛନ୍ତି। ବିଶେଷତଃ ୨୦୧୪ ମସିହା ପରଠାରୁ ସେଗୁଡ଼ିକର ଅଗ୍ରଗତି ଭଲ ରହିଛି। ସେହି ରାଜ୍ୟ ଗୁଡ଼ିକ ମଧ୍ୟରେ ଓଡ଼ିଶା ସମେତ ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ରହିଛନ୍ତି। ଯଦିଓ ରୢାଙ୍କିଂରେ ‌ଏହି ରାଜ୍ୟଗୁଡ଼ିକର ସ୍ଥିତିରେ ସେମିତି ଆଖିଦୃଶିଆ ଉନ୍ନତି ହୋଇନାହିଁ, କିନ୍ତୁ ମାନବ ବିକାଶ ସୂଚୀ ମୂଲ୍ୟରେ ଏକ ବିରାଟ ପରିବର୍ତ୍ତନ ଆସିଛି।

ମାନବ ବକାଶ ସୂଚୀରେ ଦେଶର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ ପୂର୍ବ ଭାରତ ପଛରେ ରହିଛି। କିନ୍ତୁ ୨୦୧୪ ପର୍ଯ୍ୟନ୍ତ ପୂର୍ବ ଭାରତ ଓ ଅବଶିଷ୍ଟ ଭାରତ ମଧ୍ୟରେ ଏହି ପାର୍ଥକ୍ୟ ବୃଦ୍ଧି ପାଉଥିବା ବେଳେ ୨୦୧୪ରୁ ଏହା ହ୍ରାସ ପାଇଛି କିମ୍ବା ସ୍ଥିର ରହିଛି। ୨୦୧୭ ମସିହା ପାଇଁ ପ୍ରସ୍ତୁତ ହୋଇଥିବା ମାନବ ବିକାଶ ସୂଚୀ ତାଲିକାରେ କେରଳ ଶୀର୍ଷରେ ରହିଛି। କେରଳ ପଛକୁ ଗୋଆ ଦ୍ବିତୀୟ ଏବଂ ପଞ୍ଜାବ ତୃତୀୟ ସ୍ଥାନରେ ରହିଛି। ଓଡ଼ିଶା ଏହି ରୢାଙ୍କରେ ପୂର୍ବରୁ ୨୩ତମ ରୢାଙ୍କରେ ଥିବାବେଳେ ଏବେ ୨୨ତମ ରୢାଙ୍କରେ ରହିଛି। ଏହି ରୢାଙ୍କିଂର ସବାତଳେ ବିହାର ରହିଛି।

ସମ୍ବନ୍ଧିତ ଖବର