ଫୁଲବାଣୀ : ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍ ଫୁଲବାଣୀ ଶାଖାରେ ହୋଇଥିବା ୮ କୋଟି ଟଙ୍କାର ଋଣ ଜାଲିଆତି ଏବଂ ଚିଟ୍‌ଫଣ୍ଡ ଘୋଟାଲାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ପୂର୍ବତନ ଯୋଗାଣ ନିରୀକ୍ଷକ ସମରେଶ ରଞ୍ଜନ ଦାସ ଏବେ କେଉଁଠି? କାହା ଛତ୍ରଛାୟା ତଳେ ସେ ଏବେ ସୁରକ୍ଷିତ ଅଛନ୍ତି? ତାଙ୍କ ପାଖରେ ଇଓଡବ୍ଲ୍ୟୁ ପହଞ୍ଚିପାରିବ ତ? ଚିଟ୍‌ଫଣ୍ଡରେ ଝାଳବୁହା ଟଙ୍କା ବିନିଯୋଗ କରିଥିବା ଫୁଲବାଣୀ ସହରର ନିରୀହ ଜନତାଙ୍କ ମଧ୍ୟରେ ଏଭଳି ଅନେକ ଅସମାହିତ ପ୍ରଶ୍ନ ଏବେ ଉଙ୍କି ମାରୁଛି।

Advertisment

ବହୁବର୍ଷ ଧରି କନ୍ଧମାଳ ଜିଲ୍ଲାରେ ଯୋଗାଣ ବିଭାଗରେ କାର୍ଯ୍ୟ କରିଥିଲେ ସମରେଶ। ଫୁଲବାଣୀର ଯୋଗାଣ ନିରୀକ୍ଷକ ଥିବାବେଳେ ଜିଲ୍ଲା ପ୍ରଶାସନର ଗେହ୍ଲାପୁଅ ଭାବେ ତାଙ୍କର ବେଶ୍ ଖାତିର୍‌ ଥିଲା। ପୂର୍ବତନ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ତତ୍କାଳୀନ ଫୁଲବାଣୀ ପିଏ, ଆଇଟିଡିଏ, ଏଡିଏମ୍‌, ସିଏସ୍‌ଓ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ‌ସେ ପ୍ରିୟପାତ୍ର ଥିଲେ। କେବଳ ଏତିକି ନୁହେଁ, ତତ୍କାଳୀନ ପିଏ, ଆଇଟିଡିଏ ଖଜୁରୀପଡ଼ା ବ୍ଲକ୍‌ରେ ବିଡିଓ ଥିବାବେଳେ ସମରେଶଙ୍କ ସହ ତାଙ୍କର ଘନିଷ୍ଠ ସଂପର୍କ ଥିଲା। ଅନ୍ୟପକ୍ଷରେ, ଖଜୁରୀପଡ଼ା ଯୋଗାଣ ନିରୀକ୍ଷକ ଥାଇ ତାଙ୍କର ମୟୂରଭଞ୍ଜକୁ ବଦଳି ହୋଇଥିଲା। ଠିକ୍‌ ଏହିସମୟରେ ଏହି ଚିଟ୍‌ଫଣ୍ଡ ଦୁର୍ନୀତି ମଧ୍ୟ ପଦାକୁ ଆସିଥିଲା। ସେ ନୂତନ ସ୍ଥାନରେ ଯୋଗଦେଇ ନଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି।

ତେବେ, ସବୁ ଉପରସ୍ତରର ଅଫିସର୍‌ଙ୍କ ସହ ସମ୍ପର୍କ ଘନିଷ୍ଠ ଥିବାରୁ ସମରେଶ ଅଧିକାଂଶ ଅଫିସର୍‌ଙ୍କ କଳାଟଙ୍କାକୁ ଚିଟ୍‌ଫଣ୍ଡରେ ଲଗାଇଥିବା ଚର୍ଚ୍ଚା ହେଉଛି। ଅଧିକ ଟଙ୍କା ଫେରିପାଇବା ଆଶାରେ ବହୁ ଅଫିସର ନିଜ କଳାଟଙ୍କାକୁ ଏହି ଚିଟ୍‌ଫଣ୍ଡ୍‌ରେ ଲଗାଇଛନ୍ତି। ମାତ୍ର, ଏହି ଘୋଟାଲା ଏବେ ପଦାକୁ ଆସିଯିବା ପରେ ସରକାରୀ ଅଫିସର୍‌ମାନେ ଲଜ୍ଜା ଓ ଭୟରେ ମୁହଁ ଖୋଲୁନାହାନ୍ତି।

ଅନ୍ୟପକ୍ଷରେ, ସରକାରୀ କର୍ମଚାରୀଙ୍କ ନାମରେ ଏକ୍ସପ୍ରେସ୍ କ୍ରେଡିଟ୍‌ ଲୋନ୍‌ ଓ ପେ ସ୍ଲିପ୍‌ ପାଇଁ ବ୍ୟାଙ୍କ୍ ଅଫ୍‌ ବରୋଦାର ଜଣେ କର୍ମଚାରୀ ମଧ୍ୟ ଏହି ଜାଲିଆତିରେ ସମ୍ପୃକ୍ତ ଥିବା ନେଇ ଫୁଲବାଣୀ ସହରରେ ଚର୍ଚ୍ଚା ହେଉଛି। ଆଶୁତୋଷ-ସମରେଶ ଚିଟ୍‌ଫଣ୍ଡ ସିଣ୍ଡିକେଟ୍‌ କନ୍ଧମାଳର ବହୁ ସରକାରୀ ଅଫିସର୍, କର୍ମଚାରୀ ଏବଂ ବ୍ୟବସାୟୀଙ୍କ ଠାରୁ କଳାକନା ବୁଲାଇ ଦେଇଥିବାରୁ ସେମାନେ ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି।