ଆଇନଜୀବୀ ଆନ୍ଦୋଳନ ମାମଲା : ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

କଟକ : ଓଡ଼ିଶା ହାଇକୋର୍ଟରେ ଆଇନଜୀବୀଙ୍କ କୋର୍ଟ ବର୍ଜନ ଆନ୍ଦୋଳନ ଚାଲିଥିବା ବେ‌ଳେ ସୁପ୍ରିମକୋର୍ଟ ଆଜି ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି। ମୁଖ୍ୟ ବିଚାରପତିଙ୍କ କୋର୍ଟରେ ମାମଲା ପରିଚାଳନା ପାଇଁ ଆଗ୍ରହୀ ଆଇନଜୀବୀଙ୍କ ପ୍ରବେଶ ସୁନିଶ୍ଚିତ କରିବା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ଜଷ୍ଟିସ ଏସ.କେ.କଉଲ ଓ ଜଷ୍ଟିସ କେ.ଏମ.ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ପିଏଲଆର ପ୍ରୋଜେକ୍ଟ୍‌ସ୍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଦାୟର ଟ୍ରାନ୍ସଫର ପିଟିସନ(ସିଭିଲ)ର ଶୁଣାଣି କରି ଏପରି ରିପୋର୍ଟ ତଲବ କରିଛନ୍ତି। ଆଇନଜୀବୀଙ୍କ କୋର୍ଟ ବର୍ଜନ ଯୋଗୁ ଓଡ଼ିଶା ହାଇକୋର୍ଟରୁ ଆବେଦନକାରୀ ଅନ୍ୟ ହାଇକୋର୍ଟକୁ ମାମଲା ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ସ୍ଥାନୀୟ ଆଇନଜୀବୀମାନେ ମୁଖ୍ୟ ବିଚାରପତିଙ୍କ କୋର୍ଟରେ ମାମଲା ପରିଚାଳନା ପାଇଁ ଅନୁମତି ଦେଉ ନାହାନ୍ତି। ବାହାରର ଆଇନଜୀବୀଙ୍କୁ ମଧ୍ୟ ଅନୁମତି ଦିଆଯାଉ ନାହିଁ। କେବଳ ପକ୍ଷମାନଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ମାମଲା ପରିଚଳାନା ପାଇଁ ଛଡାଯାଉଛି। ଏଥି ସହିତ ହାଇକୋର୍ଟ ଅକ୍ଟୋବର ୧୫ରେ ଏକ ଅଦାଲତ ଅବମାନନା ମାମଲା ନିଜ ଆଡୁ ରୁଜୁ କରିଛନ୍ତି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏହାପରେ ଖଣ୍ଡପୀଠ ଏ ସଂପର୍କିତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ ତାରିଖରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର