ଏସ୍‌ସି/ଏସ୍‌ଟି ଦଫା ଯୋଡ଼ିବାକୁ ଭୁଲିଗଲେ : ଡିଏସ୍‌ପିଙ୍କଠାରୁ ଡିଜିଙ୍କ ଯାଏ ଘଣ୍ଟାଚକଟା, ଶେଷରେ ଅଭିଯୁକ୍ତଙ୍କୁ ମାଫ୍

କଟକ : ଡିଏସପିଙ୍କଠାରୁ ଡିଜିଙ୍କ ଯାଏ ବୁଲିଲା ଫାଇଲ। ରିପୋର୍ଟ ତଲବ, ଯାଞ୍ଚ, ସ୍ପଷ୍ଟୀକରଣ ମଗାଗଲା ଅଧିକାରୀଙ୍କୁ। ଡିଜିଙ୍କ ଅନୁମତିରେ ତଦନ୍ତ ଆରମ୍ଭ ହେଲା। କିନ୍ତୁ ‌େଶଷରେ ଡିଜିଙ୍କ ଅନୁମତି ନ ନେଇ ସଂପୃକ୍ତ ଅଧିକାରୀଙ୍କ ଦୋଷ କ୍ଷମା କରି ଦିଆଗଲା। ପୁଲିସ ବିଭାଗରେ ଏକ ୬ ବର୍ଷର ପୁରୁଣା ମାମଲାକୁ ନେଇ ଚାଲିଥିବା ଘଣ୍ଟାଚକଟାର ଏଭଳି ଅନ୍ତ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସୂଚନା ଅନୁଯାୟୀ ୨୦୧୩, ସେପ୍ଟେମ୍ବର ୧୧ ତାରିଖରେ କଟକ ସଦର ଥାନାରେ ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ସୁକାନ୍ତ ସେଠୀଙ୍କ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗକାରୀ ଦଳିତ ବର୍ଗର ହୋଇଥିଲେ ବି ତଦନ୍ତକାରୀ ଅଧିକାରୀ ତତ୍କାଳୀନ ଥାନା ଆଇଆଇସି ଶରତ ଚନ୍ଦ୍ର ମହାପାତ୍ର ସେଥିରେ ଏସ୍‌ସି/ଏସ୍‌ଟିଙ୍କ ପାଇଁ ଉଦ୍ଦିଷ୍ଟ ନିର୍ଦ୍ଦିଷ୍ଟ ଦଫା ଯୋଡ଼ି ନଥିଲେ। ଏହାକୁ ନେଇ ଦୀର୍ଘ ୬ ବର୍ଷ ପରେ ପୁଲିସ ଏଚ୍‌ଆର୍‌ପିସି ବିଭାଗରେ ଘଣ୍ଟାଚକଟା ଆରମ୍ଭ ହୋଇଥିଲା। ଏଚଆରପିସିର ଡିଏସ୍‌ପି ପ୍ରଥମେ ଏହି ଘଟଣା ଉପରେ ରିପୋର୍ଟ ରଖିଲେ। ଏଏସ୍‌ପି ପାହ୍ୟାର ଅଧିକାରୀ ତାହାର ଯାଞ୍ଚ କଲେ। ରିପୋର୍ଟ ଏସ୍‌ପି ପାହ୍ୟାର ଅଧିକାରୀଙ୍କ ବାଟ ଦେଇ ଏଡିଜିଙ୍କ ପାଖକୁ ଗଲା। ଏଡିଜି ତାହାକୁ ଡିଜିଙ୍କ ଅନୁମୋଦନ ପାଇଁ ପଠାଇଲେ। ଘଟଣାର ତଦନ୍ତ ପାଇଁ ତତ୍କାଳୀନ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଗତ ମାର୍ଚ୍ଚ ୧୪ ତାରିଖରେ ଫାଇଲରେ ନିର୍ଦ୍ଦେଶ ଦେଲେ। ସେହି ଅନୁଯାୟୀ ତଦନ୍ତ ପ୍ରକ୍ରିୟା ଆଗକୁ ବଢିଲା।

ରାଜ୍ୟ ପୁଲିସ ଏଚ୍‌ଆର୍‌ପିସି ଏଡିଜିଙ୍କ ପକ୍ଷରୁ ୨୦୧୯, ମାର୍ଚ୍ଚ ୧୮ ତାରିଖରେ କଟକ କମିସନରେଟ ପୁଲିସ ଡିସିପିଙ୍କୁ ଚିଠି ଗଲା। ତତ୍କାଳୀନ ସଦର ଥାନା ଆଇଆଇସି ଶ୍ରୀ ମହାପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବାକୁ ଏବଂ ତାଙ୍କୁ ସ୍ପଷ୍ଟୀକରଣ ମାଗିବାକୁ ନିର୍ଦ୍ଦେଶ ଦିଆଗଲା। ଏହାକୁ ନେଇ ଉପରୁ ତଳ ଯାଏ ଏକାଧିକ ଥର ଫାଇଲ ବୁଲିଲା। ସ୍ପଷ୍ଟୀକରଣ ଦେଉ ନଥିବା ଶରତ ମହାପାତ୍ରଙ୍କୁ ରିମାଇଣ୍ଡର ଦେବାକୁ ନିର୍ଦ୍ଦେଶ ଦିଆଗଲା। ଏମିତିକି ଘଟଣାର ପ୍ରଥମ ତଦନ୍ତ ଦାୟିତ୍ବରେ ଥିବା ଡିଏସ୍‌ପି ଏମ.ଏସ. ବେହେରାଙ୍କ ବଦଳରେ ଡିଏସ୍‌ପି ଅନାଦି ଚରଣ ସେଠୀ ତଦନ୍ତର ଦାୟିତ୍ବ ନେଲେ। ଏହି ସମୟ ମଧ୍ୟରେ ଶରତ ଚନ୍ଦ୍ର ମହାପାତ୍ର ଭିଜିଲାନ୍ସରେ ଡିଏସ୍‌ପି ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କଠାରୁ ସ୍ପଷ୍ଟୀକରଣ ଆଣିବାକୁ ଭିଜିଲାନ୍ସ ଏଡିଜିଙ୍କୁ ବି ଚିଠି କରିବାକୁ ନିଷ୍ପତ୍ତି ହେଲା। ତିନି ମାସ ଧରି ଏଡିଜିଙ୍କ ଜୋରଦାର ଘଣ୍ଟାଚକଟା ପରେ ଶରତ ଚନ୍ଦ୍ର ମହାପାତ୍ର ଜୁନ ୧୭ ତାରିଖରେ ସ୍ପଷ୍ଟୀକରଣ ଦେଲେ ଏବଂ ସେହି ସ୍ପଷ୍ଟୀକରଣ ଆଧାରରେ ଏଚ୍‌ଆର୍‌ପିସି ଏଡିଜି ୨୦୧୯, ଜୁଲାଇ ୩ ତାରିଖରେ ତାଙ୍କୁ ଦୋଷମୁକ୍ତ କରି ଦେଲେ।

ଗୋଟିଏ ପଟେ ଅଭିଯୋଗକାରୀ ନିଜକୁ ଦଳିତ ବୋଲି ଅଭିଯୋଗପତ୍ରରେ ଦର୍ଶାଇଥିଲେ ବି ମାମଲାରେ ସେହି ଅନୁଯାୟୀ ଦଫା ଯୋଡ଼ା ନ ଯିବା ବେଆଇନ ବୋଲି ଅନୁଭବ କରି ଏଚ୍‌ଆର୍‌ପିସି ପକ୍ଷରୁ ଜୋରଦାର ଖୋଳତାଡ଼ ହେଲା। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଅନୁମତି ନେଇ ତଦନ୍ତ ଆଗକୁ ବଢ଼ିଲା। କିନ୍ତୁ ଅଧିକାରୀଙ୍କ ସ୍ପଷ୍ଟୀକରଣକୁ ପୁଲିସ ମହାନିର୍ଦ୍ଦେଶକଙ୍କ ପାଖକୁ ପଠା ନଯାଇ ତାଙ୍କୁ କିଭଳି ଦୋଷମୁକ୍ତ କରି ଦିଆଗଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ୬ ବର୍ଷର ପୁରୁଣା ମାମଲାକୁ ନେଇ ଏଭଳି ଖୋଳତାଡ଼ ଏବଂ ଶେଷରେ ତାଙ୍କୁ ଦୋଷମୁକ୍ତ କରି ଦିଆଯିବା ଘଟଣାକୁ ନେଇ ଅଭିଯୋଗକାରୀ ନିରାଶ ହୋଇଥିବା ବେଳେ ଏହାର ଉଦ୍ଦେଶ୍ୟକୁ ନେଇ ଏବେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର