ବିଧାନସଭାରେ ଏସ୍‌ସି-ଏସ୍‌ଟି ଓ ସଂଖ୍ୟାଲଘୁଙ୍କ ବିକାଶ ଚିନ୍ତା

ସିଏଏ, ଏନ୍‌ଆରସି ଓ ଏନ୍‌ପିଆର ଉପରେ ପୁନର୍ବିଚାର କର
୩ ହଜାର ୮୦୮ କୋଟି ଟଙ୍କାର ଖର୍ଚ୍ଚଦାବି ଗୃହୀତ

ଭୁବନେଶ୍ବର : ରାଜ୍ୟ ସରକାର ଆଦିବାସୀ ବିରୋଧୀ। ନାଗରିକ ସଂଶୋଧନ ଆଇନ (ସିଏଏ)କୁ ସଂସଦରେ ସମର୍ଥନ ଦେଲ। ଏନ୍‌ଆରସିକୁ ବିରୋଧ କଲ। ଅନ୍ୟପଟେ ଏନ୍‌ପିଆରକୁ ସମର୍ଥନ କରି ଆଦିବାସୀଙ୍କର କି ପ୍ରକାର ମଙ୍ଗଳ ଚାହୁଁଛ। ନୂଆ ଏନ୍‌ପିଆର୍‌ ବ୍ୟବସ୍ଥା ଅନୁଯାୟୀ ଆଦିବାସୀଟିଏ ଦେଶର ନାଗରିକତା ପାଇବା ପାଇଁ ତାର ବାପ ମା କେଉଁଠି ଜନ୍ମ ହୋଇଥିଲେ ତାର ପ୍ରମାଣ ଦେବ କିପରି? ଯଦି ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ବିକାଶ ପାଇଁ ହୃଦୟ ରଖିଛନ୍ତି ତା ହେଲେ ସିଏଏ, ଏନ୍‌ସିଆର୍‌ ଓ ଏନ୍‌ପିଆର ଉପରେ ପୁନର୍ବିଚାର କରନ୍ତୁ। ଆଜି ବିଧାନସଭାରେ ଏସ୍‌ସି-ଏସ୍‌ଟି ଓ ସଂଖ୍ୟାଲଘୁ ବିକାଶ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ସରକାରଙ୍କୁ ଏପରି ପ୍ରଶ୍ନବାଣରେ ଛନ୍ଦିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି, ବିଜେଡି ସରକାରଙ୍କ ୨୦ ବର୍ଷ ଶାସନ ସମୟରେ ଅନୁସୂଚିତ ଜାତି ଓ ଜନଜାତି ବହୁଳ ଅଞ୍ଚଳରେ ସର୍ବନିମ୍ନ ମୌଳିକ ସୁବିଧା ପହଞ୍ଚାଇପାରିନାହାନ୍ତି। ବିରୋଧୀଙ୍କୁ ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା କରିଛନ୍ତି ଆଦିବାସୀଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସ୍ବତନ୍ତ୍ର ବିକାଶ ପରିଷଦଠୁ ଆରମ୍ଭ କରି ଆଦିବାସୀ ଛାତ୍ରାଛାତ୍ରୀଙ୍କୁ ମାଗଣା ଶିକ୍ଷା ଦେବାର ବ୍ୟବସ୍ଥା କରାଯାଇଛି।

ବିଭାଗୀୟ ଖର୍ଚ୍ଚଦାବି ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, ବିଜେଡି ସରକାର ସମୟରେ ଲଗାତାର ଭାବେ ଏସ୍‌ସି-ଏସ୍‌ଟି ବର୍ଗ ପ୍ରତି ଅବହେଳା କରାଯାଇଛି। ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସେମାନଙ୍କ ଦାବିକୁ ଅଣଦେଖା କରାଯାଇଛି। ବିଶେଷକରି ଦୀର୍ଘ ୨୦ ବର୍ଷ ଶାସନ ସମୟରେ କନ୍ଧ, କୁଟିଆ, ଗଣ୍ଡ ଜାତିର ସରଳ ଆଦିବାସୀମାନଙ୍କ ବିକାଶ ପାଇଁ ଏ ସରକାର କିଛି ବି କରିନାହାନ୍ତି। ଇଂଲଣ୍ଡ ଓ ଆମେରିକା ପରି ଦେଶରେ ଆଦିବାସୀ ଓ ପଛୁଆ ବର୍ଗର ଲୋକମାନଙ୍କ ଜନ୍ମଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି। ବାସ୍ତବରେ ଓଡ଼ିଶା ସରକାର ଯଦି ସଂରକ୍ଷିତ ବର୍ଗଙ୍କ ଉନ୍ନତି ଚାହୁଁଛନ୍ତି ତାହେଲେ ବାହାର ଦେଶର ସରକାରଙ୍କ ପରି ବ୍ୟବସ୍ଥା କରନ୍ତୁ।
କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, କେନ୍ଦ୍ର ସରକାରଙ୍କ ସିଏଏ ବ୍ୟବସ୍ଥା ଅନୁଯାୟୀ ବାଲାଂଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରେ ନିର୍ଯ୍ୟାତିତ ହୋଇଥିବା ହିନ୍ଦୁମାନଙ୍କୁ ନାଗରିକତା ଦିଆଯାଇପାରିବ। ଯଦି ଏସବୁ ରାଷ୍ଟ୍ରରେ ଜଣେ ଆଦିବାସୀ ଓ ମୁସଲମାନ ଭାଇ କି ଭଉଣୀ ନିର୍ଯ୍ୟାତିତ ହୁଅନ୍ତି ତା ହେଲେ ସେମାନେ ନାଗରିକତା ପାଇପାରିବେ ନାହିଁ। ଏହାକୁ କେବଳ ଗୋଟିଏ ଧର୍ମର ବ୍ୟକ୍ତିମାନଙ୍କ ପାଇଁ ସୀମିତ ରଖାଯାଇଛି। ଆଦିବାସୀଟିର କୌଣସି ଧର୍ମ ନାହିଁ। ଏନ୍‌ପିଆର୍‌ ବ୍ୟବସ୍ଥାରେ ବି ସେ ନ୍ୟାୟ ପାଇପାରୁନି। ଜାତୀୟ ଜନସଂଖ୍ୟା ପଞ୍ଜିକାରେ ନାଁ ଦରଜ ନ ହେଲେ କୌଣସି ବ୍ୟକ୍ତି ମଧ୍ୟ ନାଗରିକ ପଞ୍ଜିକାରେ ସାମିଲ ହୋଇପାରିବ ନାହିଁ। ଏଭଳି ସ୍ଥିତିରେ ଆଦିବାସୀଟିଏ ନାଗରିକତ୍ବ ପାଇପାରୁନି। ବିହାରରେ ନୀତିଶ କୁମାର ସରକାର ୨୦୧୦ରେ ହୋଇଥିବା ଏନ୍‌ପିଆରକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି। ବିହାର ବିଧାନସଭାରେ ନୂଆ ଏନ୍‌ପିଆର୍‌ ଓ ଏନ୍‌ଆରସିକୁ ସମର୍ଥନ କରାଯିବନି ବୋଲି ଏକ ସଂକଳ୍ପ ପାରିତ ହୋଇଛି। ଏଭଳି ସ୍ଥିତିରେ ଆଦିବାସୀଙ୍କ ବିକାଶ ପାଇଁ ଅହରହ ଉଦ୍ୟମ କରୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ବିଶ୍ବାସଭାଜନ ହେବା ପାଇଁ କିଛି ବଡ଼ ପଦକ୍ଷେପ ନେବେ ବୋଲି ଶ୍ରୀ ମିଶ୍ର ଆହ୍ବାନ କରିଥିଲେ।

ଆଲୋଚନା ଶେଷରେ ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ଶ୍ରୀ ସାରକା କହିଥିଲେ, ବଜେଟ୍‌ରେ ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀମାନଙ୍କ ପ୍ରାକ୍‌ ମାଟ୍ରିକ୍‌ ଶିକ୍ଷାବୃତ୍ତି ପାଇଁ ୫୪୩ କୋଟି ୨୭ ଲକ୍ଷ ୪୪ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ପାଇଁ ୩୩୭ କୋଟି ୨୭ ଲକ୍ଷ ୪୪ ହଜାର, ଛାତ୍ରଛାତ୍ରୀମାନଙ୍କୁ ମାଗଣା ପୋଷାକ ଯୋଗାଇଦେବା ପାଇଁ ୫ କୋଟି ୨୬ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ଆଦିମ ଜନଜାତି ପରିବାରଙ୍କ ଜୀବିକାରମାନ ଉନ୍ନତିକରଣ ନିମନ୍ତେ ୪୦ କୋଟି ବ୍ୟୟ ବରାଦ କରାଯାଇଛି। ୯ଟି ଜିଲ୍ଲାରେ ଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦ ପାଇଁ ୬୨ କୋଟି ୫୪ ଲକ୍ଷ ୭୭ ହଜାର ଟଙ୍କା ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଶାସନ ସମୟରେ ଆଦିବାସୀଙ୍କ ବିକାଶ ପାଇଁ ଯାହା ସବୁ ପଦକ୍ଷେପ ନିଆଯାଇଛି ସେସବୁକୁ କେନ୍ଦ୍ର ସରକାର ପ୍ରଶଂସା କରିଥିବା ମନ୍ତ୍ରୀ ଶ୍ରୀ ସାରକା କହିଥିଲେ। ମନ୍ତ୍ରୀଙ୍କ ଉତ୍ତର ପରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୩ ହଜାର ୮୦୮ କୋଟି ୩୫ ଲକ୍ଷ ୮୫ ହଜାର ଟଙ୍କାର ଖର୍ଚ୍ଚଦାବି ଗୃହର ଅନୁମୋଦନ ଲାଭ କରିଥିଲା।

ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବିଧାୟକ ରମେଶ ଚନ୍ଦ୍ର ସାଏ, ରମେଶ ଚନ୍ଦ୍ର ବେହେରା, କିଶୋର ନାୟକ, ରଘୁରାମ ପୋଡ଼ାଲ୍‌, ମୌସୁଦୀ ବାଗ୍‌, ପ୍ରଦୀପ କୁମାର ଦିଶାରୀ, ପ୍ରଭୁ ଜାନୀ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, ଦାଶରଥୀ ଗମାଙ୍ଗ, ବିଜେପି ବିଧାୟକ ଗଣେଶ ରାମ ସିଂହ ଖୁଣ୍ଟିଆ ଓ ମୁକେଶ ମହାଲିଙ୍ଗ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର