ଭୁବନେଶ୍ବର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଆଜି ମୋ ସରକାର ଅଭିଯାନରେ ସାମିଲ୍‌ ହୋଇଛି। ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ରାଜ୍ୟ ସରକାରଙ୍କର ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ। ଏହି ବିଭାଗ ରାଜ୍ୟରେ ଥିବା ୭୦% ଲୋକ ଯଥା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ପଛୁଆ ବର୍ଗ, ସଂଖ୍ୟାଲଘୁ ‌େଲାକମାନଙ୍କର କଲ୍ୟାଣ ପାଇଁ କାର୍ଯ୍ୟ କରୁଛି। ରାଜ୍ୟର ବିକାଶ ପାଇଁ ଏହି ବର୍ଗର ଲୋକଙ୍କର ସର୍ବାଙ୍ଗୀନ ଉନ୍ନତି ହେବା ଦରକାର। ଏଥିପାଇଁ ମୋ ସରକାର ଅଭିଯାନରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ସାମିଲ୍‌ ହୋଇଛି।

Advertisment

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ପ୍ରାୟ ୬୫୦୦ ହଷ୍ଟେଲରେ ୬ଲକ୍ଷରୁ ଅଧିକ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ରଖି ଆବାସିକ ଶିକ୍ଷା ଦିଆଯାଉଛି। ଆମର ଆଦିବାସୀ ଯୁବକ ଯୁବତୀମାନେ ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁତ ସଫଳତା ପାଉଛନ୍ତି। ଏହାକୁ ସ୍ବୀକାର କରିବାକୁ ପଡ଼ିବ। ଏବେ ମୋ ସରକାରରେ ୨୨ଟି ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା ଏବଂ ପିଭିଟିଜିଏସ୍‌ ପାଇଁ ହେଉଥିବା ୧୭ଟି ସୂକ୍ଷ୍ମ ପ୍ରକଳ୍ପ ‌ସାମିଲ୍‌ ହୋଇଛି। ଏହାଦ୍ବାରା ଲୋକଙ୍କ ପାଖରେ ସରକାରୀ ଯୋଜନାଗୁଡ଼ିକ ଠିକ୍ ଭାବେ ପହଞ୍ଚିପାରିବ ଏବଂ ଏହାର ଉଦ୍ଦେଶ୍ୟ ସଫଳ ହେବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭାଗର ସମସ୍ତ ଅଧିକାରୀ ଉତ୍ସାହର ସହ କାମ କରିବେ ଏବଂ ମୋ ସରକାର ଅଭିଯାନର ଉଦ୍ଦେଶ୍ୟକୁ ସଫଳ କରିବାକୁ ସବୁ ପ୍ରକାରର ଉଦ୍ୟମ କରିବେ।

ଆଜିର ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ କହିଥିଲେ ଯେ, ଆମ ବିଭାଗ ମୋ ସରକାର ଅଭିଯାନକୁ ସଫଳ ଭାବେ କାର୍ଯ୍ୟକାରୀ କରିବାକୁ ପୂରା ପ୍ରସ୍ତୁତ। ଏହି ଅଭିଯାନ ବିକାଶ ପ୍ରକ୍ରିୟାକୁ ଗତିଶୀଳ କରିବ।