ଏସ୍‌ସି-ଏସ୍‌ଟି ଛାତ୍ରବୃତ୍ତି କାଟ ପ୍ରସଙ୍ଗ : ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ଯୁବ କଂଗ୍ରେସ

ଭୁବନେଶ୍ବର : ରାଜ୍ୟ ଓ କେନ୍ଦ୍ର ସରକାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଛାତ୍ରବୃତ୍ତି କାଟ ପାଇଁ ଦାୟୀ। ଏ ନେଇ ଆଜି ଯୁବ କଂଗ୍ରେସ ଉଭୟ ସରକାରଙ୍କୁ ଟାର୍ଗେଟ କରିଛି। ଯଦି କେନ୍ଦ୍ର ଓ ରାଜ୍ୟ ସରକାର ଏହି ବୃତ୍ତିକୁ ଆଗାମୀ ଦିନରେ ବୃଦ୍ଧି ନ କରନ୍ତି, ତାହେଲେ କଂଗ୍ରେସ ଦଳିତ ଛାତ୍ରଛାତ୍ରୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀ କରି ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କା ଚେତାବନୀ ଦେଇଛନ୍ତି।

ଶ୍ରୀ ଲେଙ୍କା କହିଛନ୍ତି, ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ୨୦୨୦ ମସିହା ନଭେମ୍ବର ୩ ତାରିଖ ଦିନ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ପରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ଏସ୍‌ସି-ଏସ୍‌ଟି ଛାତ୍ରଛାତ୍ରୀମାନଙ୍କୁ ମାଟ୍ରିକ୍‌ ପରେ ମିଳୁଥିବା ବୃତ୍ତିରାଶିକୁ କମାଇ ଦିଆଯାଇଛି। ଯାହାକି ଦଳିତ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟନ୍ତ ନିରୁତ୍ସାହିତ କରିବ। ଏହା ଗୋଟିଏ କେନ୍ଦ୍ରୀୟ ଯୋଜନା। ୨୦୧୩-୧୪ ମସିହାରେ କେନ୍ଦ୍ରରେ ଉପା ସରକାର ଥିଲାବେଳେ ଏହି ଅନୁଦାନ ଶତ ପ୍ରତିଶତ ମିଳୁଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ, କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ ଏହାକୁ କମାଇଚାଲିଛନ୍ତି। ଏବେ ସାରା ବିଶ୍ବ କରୋନା ମହାମାରୀ ସହ ଲଢ଼େଇ କରୁଥିବାବେଳେ ଲୋକମାନେ ଜୀବନ ଜୀବିକା ସହ ସଂଘର୍ଷ କରୁଛନ୍ତି। ରୋଜଗାର ପନ୍ଥା ବନ୍ଦ ହୋଇଯାଇଛି। ଲୋକମାନଙ୍କର ଆର୍ଥିକ ସ୍ଥିତି ଭୁଷୂଡ଼ି ଯାଇଛି। ଠିକ୍‌ ଏହି ସମୟରେ ବୃତ୍ତି ରାଶି କାଟ୍‌ କରିବା ଆଦୌ ଯଥାର୍ଥ ନୁହେଁ।

ସେ ଆହୁରି ଦର୍ଶାଇଛନ୍ତି କି, ବି-ଟେକ୍‌ ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୬୦ ହଜାର ଟଙ୍କା ବୃତ୍ତି ମିଳୁଥିଲା। ଏବେ ତାହା କମି ୨୫ ହଜାରରେ ପହଞ୍ଚିଛି। ସେହିପରି ଏମ୍‌.ଟେକ୍‌ ୬୬ ହଜାର ପରିବର୍ତ୍ତେ ୨୫ ହଜାର, ବିଏଏମ୍‌ଏସ୍‌ ୪୫ ହଜାର ପରିବର୍ତ୍ତେ ୨୫ ହଜାର, ଏମ୍‌ବିଏ ୬୫ ହଜାର ପରିବର୍ତ୍ତେ ୨୫ ହଜାର, ଏମ୍‌ସିଏ ୪୦ ହଜାର ପରିବର୍ତ୍ତେ ୨୫ ହଜାର, ବିଏଚ୍‌ଏମ୍‌ଏସ୍‌ ୪୦ ହଜାର ପରିବର୍ତ୍ତେ ଏହା କମି ୭ ହଜାର ୨୦୦ ଟଙ୍କାରେ ପହଞ୍ଚିଛି। ସେହିପରି ବହୁ କୋର୍ସ୍‌ର ବୃତ୍ତିରାଶି କମାଇ ଦିଆଯାଇଛି। ଏପରି ସ୍ଥିତିରେ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନେ କିପରି ପାଠ ପଢ଼ିବେ ତାହା ସନ୍ଦେହ ସୃଷ୍ଟି କରୁଛି। ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷରେ ପୁରୁଣା ବୃତ୍ତିରାଶି ପାଇଛନ୍ତି, ଏବେ ସେମାନେ ଆସନ୍ତା ବର୍ଷମାନଙ୍କରେ ଏତେ କମ୍‌ ରାଶି ପାଇ କେମିତି ପାଠ ପଢ଼ିବେ, ତାକୁ ନେଇ ଦୃଢ଼ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୋଟିଏ ପଟେ ଓଡ଼ିଶା ସରକାର ପ୍ରତିଟି ବିଲ୍‌ରେ କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଆସିଛନ୍ତି, ଅଥଚ ଏ କ୍ଷେତ୍ରରେ କ’ଣ ପାଇଁ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଏଥିରୁ ପ୍ରମାଣିତ ହେଉଛି କି ଉଭୟ ସରକାର ଆଦିବାସୀ ଓ ଦଳିତ ବିରୋଧୀ ବୋଲି ଯୁବ କଂଗ୍ରେସ ସଭାପତି ଶ୍ରୀ ଲେଙ୍କା ଅଭିଯୋଗ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଯୁବ କଂଗ୍ରେସ କର୍ମୀ ସଂକୁନା କହଁର, ରଞ୍ଜିତ ପାତ୍ର, ସ୍ବାଗତ କର, ନଳିନୀକାନ୍ତ ନାୟକ, ଅମ୍ରିତା ଦାସ, ବିଶ୍ବରଞ୍ଜନ ଦାସ, ଆଦିତ୍ୟ ପ୍ରସାଦ ପରିଡ଼ା, ସୁଦୀପ କର, ରିତୁଲ୍‌ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର