ପରୀ ହତ୍ୟା ମାମଲା : ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

ଭୁବନେଶ୍ବର : ସିବିଆଇ ତଦନ୍ତ ଦାବି କରି ପରୀର ମା’ ସୌଦାମିନୀ ସାହୁ କରିଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ସିବିଆଇ ଓ ଓଡ଼ିଶା ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଜଷ୍ଟିସ ଏଏମ ଖାନଓ୍ବିଲକରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହ ସିବିଆଇକୁ ନୋଟିସ ଜାରି କରିଛନ୍ତି ।

ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ସିବିଆଇ ତଦନ୍ତ ଦାବିରେ ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସୌଦାମିନୀ । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହେଶ ଜେଠମାଲାନୀ ଓ ରବି ଶର୍ମା ବେଞ୍ଚ ଆଗରେ ଉପସ୍ଥିତ ରହି ପକ୍ଷ ରଖିଥିଲେ ।

ଏବେ ମାମଲାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ବାରା କରାଯାଉ ବୋଲି ଦାବି କରି ସୌଦାମିନୀ ଆଜି ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ ଦାୟର କରିଛନ୍ତି । ସମ୍ବିଧାନର ଧାରା ୩୨ ଅନୁସାରେ (ମୌଳିକ ଅଧିକାର ହନନ) ଏହି ରିଟ ପିଟିସନ ଦାୟର କରାଯାଇଛି । ଏହି ଆବେଦନରେ ସୌଦାମିନୀ ଦର୍ଶାଇଛନ୍ତି ଯେ ଏହି ମାମଲାରେ ସ୍ଥାନୀୟ ପୁଲିସର ଭୂମିକା ଉପରେ ଏକ ପ୍ରଶ୍ନଚିହ୍ନ ଲାଗିଥିବାରୁ ତଦନ୍ତ ସିବିଆଇ ପରି ଏକ ନିରପେକ୍ଷ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା କରାଯାଉ । ଏହା ଦ୍ବାରା ପ୍ରକୃତ ସତ୍ୟ ସାମନାକୁ ଆସିବ ଓ ପରୀର ପରିବାର ନ୍ୟାୟ ପାଇବେ ବୋଲି ଏଥିରେ କୁହାଯାଇଛି ।

ସମ୍ବନ୍ଧିତ ଖବର