ଦଳିତଙ୍କୁ ନ୍ୟାୟ ପ୍ରଦାନ ପାଇଁ ହେବ ଆଇନଗତ ଲଢ଼େଇ

ସୁପ୍ରିମକୋର୍ଟ ରାୟକୁ ନେଇ ଜଏଣ୍ଟ ଆକ୍ସନ୍‌ କମିଟିର ଉଦ୍‌ବେଗ

୨୮ରେ ରାଜଧାନୀରେ ହେବ ବିଶାଳ ସମାବେଶ

ଭୁବନେଶ୍ୱର : ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ଏସ୍‌ଏସି ଏସ୍‌ଟି ନିର୍ଯାତନା ନିବାରଣ ଆଇନକୁ କୋହଳ କରିଦେଇଛନ୍ତି। ଅଭିଯୋଗ ପାଇବା ମାତ୍ରେ ମାମଲା ରୁଜୁ କରିବା, ତୁରନ୍ତ ଗିରଫ କରିବା ଓ ଅଭିଯୁକ୍ତକୁ ଆଗୁଆ ଜାମିନ ନ ଦିଆଯିବା ନେଇ ଯେଉଁ ବ୍ୟବସ୍ଥା ଥିଲା ତାହାକୁ ଲାଗୁ ନ କରିବାକୁ ଆଦେଶ ଦେଇଛନ୍ତି। ଫଳରେ ପାଖାପାଖି ୩୦ କୋଟି ଦଳିତ ଆଦିବାସୀଙ୍କର ମାନବାଧିକାର କ୍ଷୁଣ୍ଣ ହେବ ବୋଲି ଉଦ୍‌ବେଗ ପ୍ରକାଶ କରିଛି ଏସ୍‌ସି, ଏସ୍‌ଟି, ଓବିସି ଓ ମାଇନରିଟି ଜଏଣ୍ଟ ଆକ୍ସନ କମିଟି। ଆଜି ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ କମିଟିର ସଭାପତି ସଂଗ୍ରାମ ମଲ୍ଲିକ, ସଂଯୋଜକ ଅଭିରାମ ମଲ୍ଲିକ, ସଦସ୍ୟ ଶଶିମାନସି ସିଂ ଓ ତପନ ସାମଲ ଏ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଆଗାମୀ ଦିନରେ ଆଇନଗତ ଲଢ଼େଇ ହେବ ବୋଲି ସୂଚନା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଜରିଆରେ କେନ୍ଦ୍ର ସରକାର ଦଳିତଙ୍କ ମାନବାଧିକାର ଛଡ଼ାଇ ନେଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଣୁ ଏ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇ ଏହାର ପୁନର୍ବିଚାର ପାଇଁ ପଦକ୍ଷେପ ନେବାକୁ ଦାବି କରାଯିବ ବୋଲି ସେମାନେ କହିଛନ୍ତି। ଆସନ୍ତା ୨୮ ତାରିଖରେ ରାଜଧାନୀରେ ଏକ ବିରାଟ ସମାବେଶ ହେବ। ରାଜ୍ୟ ସଂଗଠନକୁ ଏକାଠି କରି ଆବଶ୍ୟକ ପଡ଼ିଲେ ଆନ୍ଦୋଳନାତ୍ମକ ପନ୍ଥା ମଧ୍ୟ ଗ୍ରହଣ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଜଏଣ୍ଟ ଆକସନ୍‌ କମିଟିର କହିବା ଅନୁଯାୟୀ ସୁପ୍ରିମକୋର୍ଟ ଗତ ୨୦ ତାରିଖରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଅତି ସ୍ୱଳ୍ପ ସଂଖ୍ୟକ ମିଥ୍ୟା ମାମଲା ବିଚାରକୁ ନେଇ ଏହି ଆଦେଶ ପ୍ରଦାନ କରିଥିବା ଅନୁମାନ କରାଯାଉଛି। ମାମଲାଗୁଡ଼ିକ ବିଫଳ ହେବାର କାରଣ ମଧ୍ୟରେ ନିକୃଷ୍ଟ ଓ ପକ୍ଷପାତପୂର୍ଣ୍ଣ ତଦନ୍ତ, ଅଭିଯୋଗ ଫର୍ଦ୍ଦରେ ତ୍ରୁଟି, ଦାଖଲରେ ପୁଲିସର ବିଳମ୍ବ, ସରକାରୀ ଓକିଲଙ୍କ ଅସହଯୋଗ, ସାକ୍ଷୀଙ୍କୁ ସହାୟତା ପ୍ରଦାନ କରାନଯିବା ପମୁଖ ରହିଛି। ବଡ଼କଥା ହେଉଛି ଅନୁସୂଚିତ ଜାତି ଓ ଜନଜାତି ନିର୍ଯାତନା ନିବାରଣ ଆଇନର ଧାରା ୪ ଅନୁଯାୟୀ କର୍ତ୍ତବ୍ୟରେ ଅବହେଳା କାରଣରୁ କୌଣସି ସରକାରୀ ଅଧିକାରୀ ବା ପୁଲିସ୍‌ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇ ନାହାନ୍ତି। ସଂଶୋଧିତ ଆଇନର ୧୫ (କ) ଧାରାରେ ପୀଡ଼ିତା ଓ ସାକ୍ଷୀମାନଙ୍କୁ ଅନେକ ଅଧିକାର ପ୍ରଦାନ କରାଯାଇଛି। ହେଲେ ତାହା ସାବ୍ୟସ୍ତ ହେଉ ନାହିଁ।

ଏଣୁ ମାମଲା ବିଫଳ ହେବା ପଛରେ ଏତେ ସବୁ କାରଣ ରହିଥିବା ବେଳେ କେତେକ ନିର୍ଦ୍ଦିଷ୍ଟ ମାମଲା ଆଧାରରେ ଏଭଳି ଆାଦେଶ ସମଗ୍ର ଜାତି ପାଇଁ ଧୋକା ହୋଇଛି ବୋଲି ଅଭିଯୋଗ ହୋଇଛି। ୨୦୧୬ ମସିହାରେ ଆଇନ ସଂଶୋଧନ ହୋଇ ଏଭଳି କଡ଼ା କଡ଼ି କରାଯାଇଥିବା ବେଳେ ୨ ବର୍ଷରେ ଏମିତି କଣ ହେଲା ଯେ ଏଭଳି ହୁଗୁଳା କରିଦିଆଗଲା ବୋଲି ପ୍ରଶ୍ନ କରାଯାଇଛି। ଯଦିଓ ମାମଲା ସଫଳ ନ ହେବା ପଛରେ ଏଭଳି କାରଣମାନ ରହିଛି ଓ ଅର୍ଦ୍ଧାଧିକ ମାମଲା ବିଚାରାଧୀନ ରହିଛି। ଏହି ନୂଆ ଆଦେଶ ଏବେ ଅପରାଧୀଙ୍କୁ ଖସି ଯିବାକୁ ଏକ ଫାଙ୍କ ସୃଷ୍ଟି କରିବା ସହ ନ୍ୟାୟିକ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇବ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ଅନୁସୂଚିତ ଜାତି ବର୍ଗଙ୍କ ଉପରେ ହୋଇଥିବା ନିର୍ଯାତନାକୁ ନେଇ ୪୦ ହଜାର ୮୦୧ ମାମଲା ରୁଜୁ ହୋଇଥିବା ବେଳେ ଅନୁସୂଚିତ ଜନଜାତି ବର୍ଗଙ୍କ ଉପରେ ହୋଇଥଇବା ନିର୍ଯାତନାକୁ ନେଇ ୬ହଜାର ୫୬୮ ଟି ମାମଲା ରୁଜୁ ହୋଇଛି। ଅନୁସୂଚିତ ଜାତି ବର୍ଗଙ୍କ ଅଭିଯୋଗରୁ ୧୪ ହଜାର ୬୧୫ ମାମଲା ବିଚାର ଶେଷ ହୋଇଥିବା ବେଳେ ଅନୁସୂଚିତ ଜନଜାତି ବର୍ଗଙ୍କ ଅଭିଯୋଗରୁ ୨୬୯୫ଟି ମାମାମଲା ବିଚାର ଶେଷ ହୋଇଥିଲା। ବର୍ଷ ଶେଷରେ ଅନୁସୂଚିତ ଜାତି ବର୍ଗଙ୍କଅଭିଯୋଗରୁ ୮୯.୬ ପ୍ରତିଶତ ଓ ଅନୁସୂଚିତ ଜନଜାତି ବର୍ଗଙ୍କ ଅଭିଯୋଗରୁ ୮୭.୧ ପ୍ରତିଶତ ମାମଲା ବିଚାରାଧୀନ ଥିଲା।

ସମ୍ବନ୍ଧିତ ଖବର