ଭୁବନେଶ୍ବର : ପ୍ରଶ୍ନପତ୍ରରେ ତ୍ରୁଟି କାରଣରୁ ଗତ ଏପ୍ରିଲରେ ଆକାଉଣ୍ଟାଣ୍ଟ୍‌ ପରୀକ୍ଷା ବାତିଲ୍‌ ହୋଇଥିଲା। ତିନି ମାସ ବିତିନି ପ୍ରଶ୍ନପତ୍ର ଲିକ୍ ଜଣାପଡ଼ିବା ପରେ ଏବେ ଜେଇ(ସିଭିଲ୍‌) ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ୍‌ କରାଯାଇଛି। ୨୦୨୨ରେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍‌ଓ) ପଦବି ପାଇଁ ହୋଇଥିବା ପରୀକ୍ଷାର ସ୍ବଚ୍ଛତା ନେଇ ଏବେ ମଧ୍ୟ କୋର୍ଟରେ ମାମଲା ଚାଲିଛି। ଭବିଷ୍ୟତ କ’ଣ ହେବ ସେନେଇ ଲକ୍ଷାଧିକ ଆଶାୟୀ ଚାହିଁ ରହିଛନ୍ତି। କେବଳ ଏହି ତିନୋଟି ପରୀକ୍ଷା ନୁହେଁ। କମ୍ବାଇନ୍‌ଡ ପୁଲିସ ସର୍ଭିସ୍‌ ଏକ୍ସାମିନେସନର ବିଜ୍ଞପ୍ତି ୨୦୧୮ରେ ବାହାରିଲା। ୨୦୨୨ ଜୁଲାଇରେ ପରୀକ୍ଷା କରାଯାଇଥିଲା। ସେଥିରେ ମଧ୍ୟ ପ୍ରଶ୍ନପତ୍ର ତ୍ରୁଟି କାରଣରୁ ପ୍ରଥମେ ପରୀକ୍ଷାକୁ ବାତିଲ୍‌ କରିବାକୁ ପଡ଼ିଲା। ପରବର୍ତ୍ତୀ ସମୟରେ ପୁଣିଥରେ ପରୀକ୍ଷା ହୋଇଥିଲା। ଏବେ ଏବେ ରାଜ୍ୟ ସରକାରଙ୍କ ଅଧୀନ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ(ଓଏସ୍‌ଏସ୍‌ସି), ଓଡ଼ିଶା ପବ୍ଲିକ ସର୍ଭିସ୍‌ କମିସନ(ଓପିଏସ୍‌ସି) ଓ ଓଡ଼ିଶା ପୁଲିସ ନିଯୁକ୍ତି ପରିଷଦ ଦ୍ବାରା ପରିଚାଳିତ ୪ଟି ପରୀକ୍ଷାର ସ୍ଥିତି ଏମିତି। କେତେବେଳେ ପ୍ରଶ୍ନପତ୍ରରେ ତ୍ରୁଟି ତ ଆଉ କେତେବେଳେ ପ୍ରଶ୍ନପତ୍ର ଲିକ୍‌ ଯୋଗୁଁ ଆଶାୟୀଙ୍କୁ ନା‌କେଦମ ହେବାକୁ ପଡ଼ିଲାଣି। ଗୋଟିଏ ପଟେ ଲକ୍ଷାଧିକ ସରକାରୀ ଚାକିରି ଆଶାୟୀ ଚିନ୍ତାରେ ଥିବା ବେଳେ ଅନ୍ୟପଟେ ସରକାରୀ ପରୀକ୍ଷା ସ୍ବଚ୍ଛତା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଆହୁରି ଗୁରୁତ୍ବପୂର୍ଣ୍ଣ ହେଉଛି, ଏସବୁ ଅବ୍ୟବସ୍ଥା ଲାଗି ରାଜ୍ୟ ସରକାର କାହାକୁ ବି ଉତ୍ତରଦାୟୀ କରି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି କିମ୍ବା ପରୀକ୍ଷାର୍ଥୀଙ୍କ ବିଶ୍ବାସ ଫେରିପାଇବା ଲାଗି ଆଦୌ ଉଦ୍ୟମ ହେଉନାହିଁ। ସୁତରାଂ ଏଭଳି କେଳେଙ୍କାରୀ ପଛରେ ଯେ ବଡ଼ବଡ଼ିଆ ଥାଇପାରନ୍ତି, ଏ ସନ୍ଦେହ କ୍ରମଶଃ ଘନୀଭୂତ ହେବାରେ ଲାଗିଛି।

Advertisment

ପିଇଓ ଚାକିରି ବିକ୍ରି ଅଡିଓର ହେଲାନି ଖୋଳତାଡ଼
ପ୍ରଶ୍ନପତ୍ର ତ୍ରୁଟି ଓ ଲିକ୍‌ ପାଇଁ ବର୍ଷକରେ ୪ ପରୀକ୍ଷା ବାତିଲ୍‌

ଉଲ୍ଲେଖଯୋଗ୍ୟ, ନିଯୁକ୍ତି ସହିତ ଚାକିରି ବିକ୍ରି ପ୍ରସଙ୍ଗ ଏବେ ଓଡ଼ିଶା ଚର୍ଚ୍ଚାରେ। ପଡ଼ୋଶୀ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଏହାକୁ ନେଇ ସିବିଆଇ ତନାଘନା କରୁଥିବା ବେଳେ ଓଡ଼ିଶାରେ ଏ ନେଇ ଯେତିକି ତତ୍ପରତା ସରକାରୀ ଓ ରାଜନୈତିକସ୍ତରରେ ହେବା କଥା, ତାହା ପରିଲକ୍ଷିତ ହେଉନାହିଁ। ରାଜ୍ୟରେ ଏବେ ୨ ଲକ୍ଷ ୨୬ ହଜାର ୫୫୯ଟି ସରକାରୀ ପଦବି ଖାଲି ପଡ଼ିଛି। ସେଗୁଡ଼ିକରେ ନିଯୁକ୍ତି ପାଇଁ ପର୍ଯ୍ୟାୟକ୍ରମେ ନିଯୁକ୍ତି ପ୍ରକ୍ରିୟା ହେଉଛି। ଆଉ ତାହାର ସୁଯୋଗ ନେଇ ବିଜ୍ଞାପନ ବାହାରୁ ବାହାରୁ ସକ୍ରିୟ ହୋଇଉଠୁଛନ୍ତି ଦଲାଲ୍‌। କେଉଁ ପଦରେ ନିଯୁକ୍ତି ପାଇଁ କେତେ ଟଙ୍କା ଦେବାକୁ ହେବ, ସେନେଇ ରୂପରେଖ ପ୍ରସ୍ତୁତ କରୁଛନ୍ତି। ଚାକିରିର ଗ୍ରେଡ୍‌ ଅନୁଯାୟୀ ଆଶାୟୀଙ୍କଠାରୁ ଟଙ୍କା ଆଦାୟ ହେଉଛି। ପ୍ରାର୍ଥୀଙ୍କ ପିଛା ୮ ଲକ୍ଷରୁ ଆରମ୍ଭ କରି ୧୮ ଲକ୍ଷ ପର୍ଯ୍ୟନ୍ତ ଡିଲ୍‌ ହେଉଛି। ଆଉ ମିଡିଲ୍‌ମ୍ୟାନ୍‌ ଚାକିରି ଲାଗି କରୁଛନ୍ତି ସେଟିଂ। ଯିଏ ଟଙ୍କା ଦେଉଛନ୍ତି ସିଏ ଚାକିରି ପାଉଛି। ନିରାଶ ହେଉଛନ୍ତି ହଜାର ହଜାର ମେଧାବୀ। କେତେକ କ୍ଷେତ୍ରରେ ଲକ୍ଷାଧିକ ଟଙ୍କା ଦେଇ ଠକାମିର ମଧ୍ୟ ଶିକାର ହେଉଛନ୍ତି ପ୍ରାର୍ଥୀ। ଗତ ଦୁଇ ବର୍ଷ ମଧ୍ୟରେ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଏକାଧିକ ରୢାକେଟ୍‌ ଧରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି। ମାତ୍ର ତାହା ଉପରେ ସମ୍ପୂର୍ଣ୍ଣ ରୋକ୍‌ ଲାଗି ପାରିନାହିଁ। ରାଜ୍ୟର କୋଣ ଅନୁକୋଣରେ ସକ୍ରିୟ ରହିଛନ୍ତି ଅନେକ ଠକ; ଯେଉଁମାନଙ୍କ ପାଖରେ ଇଓଡବ୍ଲୁ କି ପୁଲିସ ପହଞ୍ଚି ପାରୁନାହିଁ।

publive-image DNA India

କେବଳ ଯେ ଦଲାଲ୍‌ମାନଙ୍କ ପାଇଁ ଯେ ଏଭଳି ହେଉଛି ତାହା କହିବା ମଧ୍ୟ ଠିକ୍‌ ନୁହେଁ। ସରକାରୀ ବାବୁମାନଙ୍କର ଲମ୍ବା ହାତ ଏହା ପଛରେ ରହିଛି। ଯେଉଁମାନେ ପ୍ରଶ୍ନପତ୍ର ବିକ୍ରି କରି କୋଟି କୋଟି ଟଙ୍କା ଆଦାୟ କରି ମାଲାମାଲ୍‌ ହୋଇଛନ୍ତି। ଆଜଠୁ ଠିକ୍‌ ଦୁଇ ବର୍ଷ ତଳେ ୨୦୨୧ ଜୁଲାଇରେ ଓଏସ୍ଏସ୍‌ସି ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କଠାରୁ ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇଥିଲା। ତାଙ୍କ ଅମାପ ସମ୍ପତ୍ତିର ଉତ୍ସ ଜାଣିବା ଲାଗି ଖୋଳତାଡ଼ କରିଥିଲା ଭିଜିଲାନ୍ସ। ବର୍ଷ ବର୍ଷ ଧରି ଓଏସ୍‌ଏସ୍‌ସିରେ ନିଯୁକ୍ତି ଦୁର୍ନୀତି ‌କରି ବିରଞ୍ଚି କୋଟି କୋଟି କଳାଟଙ୍କାର ମାଲିକ ହୋଇଥିଲେ ମଧ୍ୟ କୌଣସି ବଡ଼ମୁଣ୍ଡଙ୍କୁ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରି ନ ଥିଲା। ବିରଞ୍ଚିଙ୍କ ବିରୋଧରେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ବେଆଇନ କାର୍ଯ୍ୟକଳାପ ସାଙ୍ଗକୁ ଅବୈଧ ଉପାୟରେ ଅର୍ଥ ଆଦାୟର ଅଭିଯୋଗ ଆସୁଥିଲା। କିନ୍ତୁ ସମସ୍ତେ ରହସ୍ୟମୟ ଭାବେ ଏଥିପ୍ରତି ଆଖି ବୁଜି ଦେଇଥିଲେ। ବିରଞ୍ଚିଙ୍କ ବେଆଇନ୍ କାର୍ଯ୍ୟକଳାପରେ ରୋକ୍ ଲଗାଇବା ପାଇଁ ଓଏସ୍‌ଏସ୍‌ସି ସମ୍ବିଧାନରେ ଏକାଧିକ ଧାରା ଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ କେବେ ଏହାକୁ ପ୍ରୟୋଗ କରି ନଥିଲେ। ଏମିତିକି ବିରଞ୍ଚିଙ୍କ ଘରୁ ପୂଳା ପୂଳା ଆଡମିଟ୍‌ କାର୍ଡ ସହ ନଗଦ ୩୦ ଲକ୍ଷ ଟଙ୍କା ଜବତ ହୋଇଥିଲା। ତାଙ୍କ ବିରୋଧରେ ଚାକିରି ବିକ୍ରି ପରି ସାଙ୍ଘାତିକ ଅଭିଯୋଗ ଆସିଥିଲେ ମଧ୍ୟ ସେସମ୍ପର୍କରେ କୌଣସି ତଦନ୍ତ ହେଲାନି କି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ। ଯେଉଁଥିପାଇଁ ବ୍ୟବସ୍ଥାରେ ଥିବା ବାବୁମାନେ ଦଲାଲ୍‌ଙ୍କ ସହ ମିଶି ପ୍ରଶ୍ନପତ୍ର ବିକ୍ରି କରି ମେଧାବୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି।

ଜେଇ(ସିଭିଲ୍‌) ମୁଖ୍ୟ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ରୁ ବଡ଼ ଗୁମର ସାମ୍ନାକୁ ଆସିବା ପରେ ଏବେ ଅନ୍ୟାନ୍ୟ ପରୀକ୍ଷାର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି। କାରଣ କିଛି ଦିନ ପୂର୍ବରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ପଦବି ଲାଗି ଶେଷ ହୋଇଥିବା ପରୀକ୍ଷା ସମୟର ଏକ ଅଡିଓ ଭାଇରାଲ୍‌ ହୋଇଥିଲା। ଆଶାୟୀମାନେ ଅଭିଯୋଗ ଆଣିଥିଲେ ମଧ୍ୟ ସେନେଇ ବିଶେଷ ଖୋଳତାଡ଼ କରାଯାଇ ନ ଥିଲା। ପ୍ରଶ୍ନପତ୍ରରେ ବାରମ୍ବାର ବିଭ୍ରାଟ ହେଉଥିଲେ ମଧ୍ୟ କୌଣସି ଜଣେ ବି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ପରିଣାମ ସ୍ବରୂପ ସରକାରୀ ବାବୁମାନେ ଗୋଟିଏ ପରେ ଗୋଟିଏ ଭୁଲ୍‌ କରି ଚାଲିଛନ୍ତି।
ଏବେ ରାଜ୍ୟ ସରକାର ଏକାଥରକେ ୫୦ ହଜାରରୁ ଅଧିକ ପଦ ଲାଗି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। କିଛି ପଦବି ଲାଗି ପ୍ରବେଶିକା ପରୀକ୍ଷା ସରିଛି, ଆଉ କିଛି ନିଯୁକ୍ତି ସ୍ତରରେ ରହିଛି। ଏଥିରେ ୨୦ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ, ହଜାରରୁ ଅଧିକ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ), ଜୁନିଅର ଆସିଷ୍ଟାଣ୍ଟ, ଲାଇବ୍ରେରିଆନ୍‌, ଜୁନିଅର ସହକାରୀ କାର୍ଯ୍ୟନିର୍ବାହୀ, ନର୍ସ, ଆକାଉଣ୍ଟାଣ୍ଟ, ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ହଜାରରୁ ଅଧିକ ଅଧ୍ୟାପକ ପଦବି ଅନ୍ତର୍ଭୁକ୍ତ ରହିଛି। ଆସନ୍ତା ୩ରୁ ୪ ମାସ ମଧ୍ୟରେ ଆଉ କିଛି ପଦ ଲାଗି ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାରୁ ପରୀକ୍ଷାର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।