‘ରାମଣାଖୋଲ’ ଜଳ ବିଭାଜିକା ଦୁର୍ନୀତି: ଖାଇଗଲେ ଗାଈ, ଛେଳି ଟଙ୍କା!

ଜଳ ବିଭାଜିକା ପିଡିଙ୍କ ନାଁରେ ମାମଲା, ମଦନମୋହନ ପାଟଣାରେ ଭିଜିଲାନ୍‌ସ ତଦନ୍ତ

ବଡ଼କେରା: ଜଳ ବିଭାଜିକା ପ୍ରକଳ୍ପରେ ଦୁର୍ନୀତି। ଗାଈ, ଛେଳି ଖର୍ଦ୍ଦି ନାଁରେ ଖାଇଗଲେ ଟଙ୍କା। ଅନୁଗୁଳ ବ୍ଲକ ମାଟିଆସାହି ପଞ୍ଚାୟତ ‘ରାମଣାଖୋଲ’ ଜଳ ବିଭାଜିକା ପ୍ରକଳ୍ପ ନାଁରେ ଏମିତି ଅଭିଯୋଗ ଆସିଛି। କେବଳ ଅଭିଯୋଗ ହୋଇନାହିଁ, ଏନେଇ ଲୋକାୟୁକ୍ତରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଢେଙ୍କାନାଳ ଭିଜିଲାନ୍‌ସ ଟିମ୍‌ ଘଟଣାର ତଦନ୍ତ ଚଳାଇଛି। ଏନେଇ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସମେତ ଆହୁରି କିଛି ଅଧିକାରୀଙ୍କ ନାଁରେ ଭିଜିଲାନ୍‌ସ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ଗଉଡ଼ସାହିରେ ରାମଣାଖୋଲ ଜଳାଶୟର ବିକାଶ ପାଇଁ ଜଳ ବିଭାଜିକା ବିଭାଗ ଅଣ୍ଟା ଭିଡ଼ିଥିଲା। ଉଦ୍ଦେଶ୍ୟ ଥିଲା, ଏ ଜଳାଶୟର ବିକାଶ ହେଲେ ପ୍ରାୟ ୧୦ହେକ୍ଟର ଜମିକୁ ଜଳସେଚନ ସହିତ ଶୀତ ଦିନିଆ ପନିପରିବା ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଯୋଜନାର ଅଟକଳ ପରିମାଣ ଥିଲା ୬ଲକ୍ଷ ଟଙ୍କା। ଏ ପ୍ରକଳ୍ପ ସହିତ ସ୍ଥାନୀୟ ଲୋକଙ୍କର ଜୀବିକାରେ ଉନ୍ନତି ଆଣିବା ପାଇଁ ଛେଳି, ଗାଈ ଯୋଗାଣ ପାଇଁ ବି ବ୍ୟବସ୍ଥା ହୋଇଥିଲା। ଛେଳି ପାଇଁ ପ୍ରାୟ ୧୪ହଜାର ୧୫୦ ଟଙ୍କାର ଆର୍ଥିକ ସହାୟତା ବ୍ୟବସ୍ଥା ହୋଇଥିବା ବେଳେ ଗାଈ ପାଇଁ ଦିଆଯାଇଥିଲା ୪୦ହଜାର ଟଙ୍କା। କିନ୍ତୁ, ଗାଈ ଏବଂ ଛେଳି କିଣାରେ ଦୁର୍ନୀତି ହୋଇଥିବା ସ୍ଥାନୀୟ ଲୋକେ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ। ସରକାର ଛେଳି ପାଇଁ ୧୪ହଜାର ଟଙ୍କାର ଅନୁଦାନ ଦେଇଥିବା ବେଳେ ବିଭାଗୀୟ କର୍ତୃପକ୍ଷ ହିତାଧିକାରୀଙ୍କ ଠାରୁ ସେଥିରୁ ୭ହଜାର ଟଙ୍କାର ଚାନ୍ଦା ନେଇଥିଲେ। କେବଳ ସେତିକି ନୁହେଁ, ବଳକା ଟଙ୍କାରେ ଲୋକଙ୍କୁ ରୋଗୀଣା ଛେଳି ଦିଆଯାଇଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଥିଲା।

ସେହିପରି ସରକାରୀ ଅନୁଦାନରେ ଗାଈ ଖର୍ଦ୍ଦି ହୋଇନଥିବା ମଧ୍ୟ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ଲୋକାୟୁକ୍ତ ଏହା ଉପରେ ଉଭୟ ପକ୍ଷର ମତ ନେଇଥିଲେ। ତା’ ପରେ ଲୋକାୟୁକ୍ତରେ ଏକ ମାମଲା ହୋଇଥିବା ଜଣାପଡ଼ିଛି। ଏହି ଲୋକାୟୁକ୍ତ ମାମଲାର ତଦନ୍ତ ଭାର ଭିଜିଲାନ୍‌ସକୁ ଦିଆଯାଇଛି। ଏନେଇ ଭିଜିଲାନ୍‌ସ ବିଭାଗ ୨୫/୨୦୨୦ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ମଙ୍ଗଳବାର ଦିନ ଢେଙ୍କାନାଳ ଭିଜିଲାନ୍‌ସ ଇନିସ୍ପେକ୍ଟର ଅନିରୁଦ୍ଧ ସାହୁ ସ୍ଥାନୀୟ ଅଞ୍ଚଳକୁ ଯାଇ ଘଟଣାର ତଦନ୍ତ କରିଛନ୍ତି।

ସମ୍ବନ୍ଧିତ ଖବର