ବ୍ରହ୍ମପୁର : ଗଂଜାମ ଜିଲ୍ଲା ପ୍ରାଣୀ ଚିକିତ୍ସା (ସଂପଦ) ବିଭାଗର ଗୁମର କଥା ଗୋଟିଏ ପରେ ଗୋଟିଏ ପଦାକୁ ଆସୁୁଛି। ଏଥର ଯେଉଁ ତଥ୍ୟ ମିଳିଛି, କେବଳ ଗଂଜାମ ଜିଲ୍ଲା ନୁହେଁ ବରଂ ସମଗ୍ର ରାଜ୍ୟରେ ପଶୁ ସଂପଦ ବିଭାଗରେ ପିସି ପାଇଁ ହୋଇଥିବା ବଡ଼ ଦୁର୍ନୀତିର ପର୍ଦ୍ଦାଫାସ୍‌ ହୋଇଛି। ଭିତ୍ତିଭୂମି ନ ଥାଇ ମେସିନ୍‌ କିଣାଯାଇଛି, କେବଳ ଅର୍ଥ ଖର୍ଚ୍ଚ କରିବା ଓ ଏହାର ୟୁସି (ବିନିଯୋଗ ପ୍ରମାଣପତ୍ର) ଦେଇ ବାହାଦୁରି ନେବା ଓ ସର୍ବୋପରି ନିର୍ଦ୍ଦିଷ୍ଟ ଏକ ଏଜେନ୍ସିରୁ ମେସିନ୍‌ କିଣି ପିସି ହାତେଇବା ପାଇଁ ଅଧିକାରୀ ମାନେ ସରକାରଙ୍କ ୨୭ କୋଟି ଟଙ୍କା କିଭଳି ବରବାଦ କରିଛନ୍ତି ତାହାର ନମୁନା ଦେଖିବାକୁ ମିଳିଛି। ରାଜ୍ୟରେ ଥିବା ସମସ୍ତ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଜୈବ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କିଣା ଯାଇଥିବା ଇନ୍‌ସିନିରେଟର ମେସିନ୍‌ ଖତ ଖାଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ଗତ ତିନି ବର୍ଷ ହେବ ମେସିନ୍‌ କିଣା ହୋଇ ପଡ଼ି ପଡ଼ି ସେଗୁଡ଼ିକର ଓ୍ଵାରେଣ୍ଟି ଅବଧି ଶେଷ ହୋଇ ଯାଇଥିଲେ ହେଁ ଏଗୁଡ଼ିକ କାମରେ ଲାଗିପାରି ନାହିଁ। ଏହା ପିସି ପାଇଁ ଏକ ଇଚ୍ଛାକୃତ ଦୁର୍ନୀତି ବୋଲି ମଧ୍ୟ ଅଭିଯୋଗ ହୋଇଛି।