ଆର୍‌ଡି ଡିଭିଜନରେ ଦୁର୍ନୀତି : ୪ କୋଟିର ରାସ୍ତା ୪ ମାସରେ ମରଣଯନ୍ତା

ଛାନଭିନ୍ ଆରମ୍ଭ, ଘଣ୍ଟ ଘୋଡ଼ାଉଛନ୍ତି ଯନ୍ତ୍ରୀ

ଯାଜପୁର/ଚଣ୍ଡିଖୋଲ : ଗ୍ରାମ୍ୟ ଉନ୍ନୟନ ଡିଭିଜନ୍-୨(ଜାରକା) ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ନାମରେ କୋଟି କୋଟି ଟଙ୍କା ହରିଲୁଟ୍ ଚାଲିଛି। ବର୍ଷେ ନପୂରୁଣୁ ମରଣଯନ୍ତା ପାଲଟୁଛି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା। ଯାହାର ନମୁନା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ପଟ୍ଟାମୁଣ୍ଡାଇ କେନାଲବନ୍ଧର ବାଲିଚନ୍ଦ୍ରପୁର ଠାରୁ ଦେକୁରୀ ରାସ୍ତା କ୍ଷେତ୍ରରେ ଦେଖିବାକୁ ମିଳିଛି। ୪ କୋଟି ୧୦ ଲକ୍ଷ ୬୪ ହଜାର ୫୫୦ ଟଙ୍କାର ରାସ୍ତା ମାତ୍ର ୪ ମାସ ମଧ୍ୟରେ ମରଣଯନ୍ତାରେ ପରିଣତ ହୋଇଛି। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଛାନଭିନ୍ ଆରମ୍ଭ ହୋଇଛି। ଏ ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ଉତ୍ତର ମଧ୍ୟ ତାଜୁବ୍‌ କରିବା ଭଳି।

ଅନୁସନ୍ଧାନରୁ ଜଣାପଡ଼ିଛି, ଜାରକା ଗ୍ରାମ୍ୟ ଉନ୍ନୟନ ଡିଭିଜନ ଚଣ୍ଡିଖୋଲ ସବ୍‌ଡିଭିଜନ୍ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଓଆର୍ ୧୩-୨୮୨ ପ୍ୟାକେଜ୍ ନମ୍ବରରେ ୧୧ କିଲୋମିଟର ଲମ୍ବର ରାସ୍ତା ପାଇଁ ଦୁଇଥର ଟେଣ୍ଡର ଡକାଯାଇଥିଲା। ପ୍ରଥମ ଟେଣ୍ଡରଟି ୨୦୧୭ ମସିହାରେ ଡକାଯାଇ ଥିବାବେଳେ ଠିକାଦାର ଅଂଶଗ୍ରହଣ ନକରିବାରୁ ୨୦୧୮ ମସିହାରେ ପୁଣି ଟେଣ୍ଡର ଡକାଯାଇଥିଲା। ଏହି ଟେଣ୍ଡରରେ କେବଳ ଜଣେ ମାତ୍ର ଠିକାଦାର ଅଂଶଗ୍ରହଣ କରିଥିଲେ। ବିଭାଗ ତରଫରୁ ଏହି ଠିକାଦାରଙ୍କୁ ରାସ୍ତା ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା। ରାସ୍ତା ନିର୍ମାଣ ପାଇଁ ୪ କୋଟି ୧୦ ଲକ୍ଷ ୬୪ ହଜାର ୫୫୦ ଟଙ୍କାରେ ଚୁକ୍ତି ହୋଇଥିଲା। ୪.୯୮% ଅଧିକ ମୂଲ୍ୟରେ ଠିକାଦାର ଟେଣ୍ଡର ହାତେଇଥିଲେ। ପ୍ରଥମ ଟେଣ୍ଡରରେ ଠିକାଦାର ଅଂଶଗ୍ରହଣ ନକରିବା ଦ୍ବିତୀୟ ଟେଣ୍ଡରରେ ଜଣେ ମାତ୍ର ଠିକାଦାର ଅଂଶଗ୍ରହଣ କରି ଅଧିକ ମୂଲ୍ୟରେ ଟେଣ୍ଡର ହାତେଇବା ପଛରେ ସନ୍ଦେହ ପ୍ରକାଶ ପାଉଛି। ରାସ୍ତା ନିର୍ମାଣ କାର୍ଯ୍ୟ ୨୬ ମେ ୨୦୧୮ରେ ଆରମ୍ଭ ହୋଇ ୨୫ଏପ୍ରିଲ ୨୦୧୯ରେ ଶେଷ ହେବା ପାଇଁ ଚୁକ୍ତି ହୋଇଥିଲା। ସମୟ ସୀମା ଅତିକ୍ରାନ୍ତ ପରେ ପ୍ରାୟ ୪ ମାସ ହେବ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରାସ୍ତାର ଅନେକ ସ୍ଥାନରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଏ ସଂପର୍କରେ ଅଭିଯୋଗ ହେଲା ପରେ ନିର୍ବାହୀ ଯନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ଦେଇଥିବା ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ନିର୍ବାହୀ ଯନ୍ତ୍ରୀ କହିଛନ୍ତି, ରାସ୍ତାରେ ଭାରୀଯାନ ଚଳାଚଳ ଯୋଗୁଁ ଅବସ୍ଥା ଖରାପ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟିଗୁଡିକୁ ନ ହଟାଯାଇ ରାସ୍ତା ନିର୍ମାଣ ହୋଇଛି। ତେଣୁ ଏହି ରାସ୍ତାରେ ଭାରୀଯାନ ଯାଇପାରିବ ନାହିଁ। ତେଣୁ ନିର୍ବାହୀ ଯନ୍ତ୍ରୀଙ୍କ ଉତ୍ତରକୁ ନେଇ ପ୍ରଶ୍ନ ଉଠିଛି। ଠିକାଦାର ରାସ୍ତା ନିର୍ମାଣ କାର୍ଯ୍ୟର ସମସ୍ତ ବିଲ୍‌ ହାତେଇଛନ୍ତି। ମରାମତି ସମୟ ହୋଇନଥିବା ବେଳେ ମରାମତି କରି ବିଲ୍ ହାତେଇବା ପାଇଁ ମସୁଧା ଚାଲିଛି।

ଏଠାରେ ସୂଚନା ଯୋଗ୍ୟ ଯେ, ଏହି ଡିଭିଜନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ବ୍ୟାପକ ଅନିୟମିତତା ନେଇ କଟକ-କେନ୍ଦ୍ରାପଡା ଅଧୀକ୍ଷଣ ଯନ୍ତ୍ରୀ ବାରମ୍ବାର ତଦନ୍ତ କରି ଯନ୍ତ୍ରୀମାନଙ୍କୁ ତାଗିଦ୍‌ କରି କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଥିଲେ। ଏବେ ଏହି ରାସ୍ତା ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତା’ ଉପରେ ସମସ୍ତଙ୍କର ନଜର।

ସମ୍ବନ୍ଧିତ ଖବର