ଅଟଳ ଜ୍ୟୋତି ଯୋଜନାରେ ମହାଦୁର୍ନୀତି: ଆଲୋକୀକରଣ ନାଁରେ ଖାଇଗଲେ କୋଟି କୋଟି!

ରାୟଗଡ଼ା ଜିଲ୍ଲାରେ ଲାଗିଥିବା ୫୦୦ ଲାଇଟରୁ ଅଧା ଅଚଳ, କୋରାପୁଟରେ ବି ସମାନ ଅବସ୍ଥା

ରାୟଗଡ଼ା: ଗ୍ରାମାଞ୍ଚଳରୁ ଅନ୍ଧାର ଦୂରୀକରଣ ପାଇଁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ଅଟଳ ଜ୍ୟୋତି ଯୋଜନା ରାୟଗଡ଼ାରେ ଫେଲ୍ ମାରିଛି। ଗ୍ରାମାଞ୍ଚଳ ଛକ, ବଜାର, ଅପହଞ୍ଚ ଇଲାକା ଆଲୋକୀକରଣ ନାଁରେ ଯୋଜନାରେ ବଡ଼ ଧରଣର ଦୁର୍ନୀତି ହୋଇଛି। ନିମ୍ନମାନର ସୋଲାର ଲାଇଟ୍ ସଂଯୋଗ କରି କୋଟି କୋଟି ଟଙ୍କା ହଡ଼ପ କରାଯାଇଛି। ଦୁର୍ନୀତି ସଂପର୍କରେ କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା ରାୟଗଡ଼ା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏନର୍ଜି ଏଫିସିଏନସ୍ ସର୍ଭିସ୍ ଲିମିଟେଡର (ଇଇଏସ୍ଏଲ୍) ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୧୬ ମସିହାରେ କେନ୍ଦ୍ର ସରକାର ଅଟଳ ଜ୍ୟୋତି ଯୋଜନା ଆରମ୍ଭ କରିଥିଲେ। ୫୦ ପ୍ରତିଶତରୁ କମ୍ ଗ୍ରିଡ୍ ସଂଯୋଗର ସମ୍ମୁଖୀନ ହେଉଥିବା ଗ୍ରାମାଞ୍ଚଳ, ଦୁର୍ଗମ ଅଞ୍ଚଳର ପ୍ରମୁଖ ସଡ଼କ, ହାଟ, ବଜାରରେ ୧୨ ୱାଟ୍ ବିଶିଷ୍ଟ୍ ସୋଲାର ଲାଇଟ୍ ଲଗାଇବାକୁ ନିର୍ଦେଶ ଥିଲା। ଫେଜ୍-୨ ଆଲୋକୀକରଣ ପ୍ରକ୍ରିୟାରେ ଓଡ଼ିଶା ସମେତ ୫ଟି ରାଜ୍ୟର ୪୮ ଆକାଂକ୍ଷୀ ଜିଲ୍ଲା ସାମିଲ୍ ହୋଇଛି। କୋରାପୁଟ ଲୋକସଭା ସଂସଦୀୟ କ୍ଷେତ୍ରର କୋରାପୁଟ, ରାୟଗଡ଼ା ଜିଲ୍ଲାର ୧ ହଜାର ଗାଁ ଏହି ଯୋଜନାରେ ସାମିଲ୍ ହୋଇଛି। ଯୋଜନା ବାବଦକୁ ୭୫ ପ୍ରତିଶତ ଅନୁଦାନ ଶକ୍ତି ମନ୍ତ୍ରଣାଳୟ ଏବଂ ୨୫ ପ୍ରତିଶତ ଅନୁଦାନ ସାଂସଦ ପାଣ୍ଠିରୁ ପ୍ରଦାନ କରିବାର ନିୟମ ରହିଛି। ନିୟମନୁଯାୟୀ, ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ (୭୫ ପ୍ରତିଶତ ହିସାବରେ) ୧ କୋଟି ୭୦ ଲକ୍ଷ ୧୫ ହଜାର ୨୫୦ ଟଙ୍କା ଏବଂ ସାଂସଦ ପାଣ୍ଠିରୁ (୨୫ ପ୍ରତିଶତ ହିସାବରେ) ୫୬ ଲକ୍ଷ ୭୧ ହଜାର ୭୫୦ ଟଙ୍କା ମୋଟ ୨ କୋଟି ୨୬ ଲକ୍ଷ ୮୭ ହଜାର ଟଙ୍କାର ଅନୁଦାନ ଜିଲ୍ଲା ଯୋଜନା ଓ ସମ୍ମନ୍ବୟ ପରିଚାଳନା ବିଭାଗକୁ ଆସିଛି। ପ୍ରତି ଲାଇଟ୍ ବାବଦକୁ ସରକାର ୨୫ ହଜାର ଟଙ୍କା ଖର୍ଚ୍ଚ କରିବାର ଲକ୍ଷ୍ୟ ରଖିଛନ୍ତି।

ଆଲୋକୀକରଣ ଦାୟିତ୍ବ ଏନର୍ଜି ଏଫିସିଏନସ୍ ସର୍ଭିସ୍ ଲିମିଟେଡ୍ ନେଇଥିବା ବେଳେ ଉଭୟ ଜିଲ୍ଲାରେ ୫୦୦ ଲେଖାଁଏ ଗାଁରେ ଲାଗିଥିବା ଲାଇଟ୍ ମଧ୍ୟରୁ ଏବେ ଶହ ଶହ ଅଚଳ ଅବସ୍ଥାରେ ପଡିଛି। ସୂଚନା ମୁତାବକ, ରାୟଗଡ଼ା ଜିଲ୍ଲାର ରାୟଗଡ଼ା ବ୍ଲକରେ ୮୩, କାଶୀପୁରରେ ୫୬, କଲ୍ୟାଣସିଂହପୁରରେ ୩୨, ବିଷମକଟକଟରେ ୪୪, ମୁନିଗୁଡ଼ାରେ ୩୬, ଗୁଣପୁରରେ ୫୭, ରାମନାଗୁଡ଼ାରେ ୩୭, ଗୁଡାରିରେ ୪୫, ପଦ୍ମପୁରରେ ୩୭, ଚନ୍ଦ୍ରପୁରରେ ୨୬, କୋଲନରା ବ୍ଲକରେ ୪୭ଟି ସୋଲାର୍ ଲାଇଟ୍ ଲାଗିଛି। ସେହିପରି କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ୫୦, ଦଶମନ୍ତପୁରରେ ୪୯, ବନ୍ଧୁଗାଁରେ ୨୦, ନାରାୟଣପାଟଣାରେ ୨୨, ବୋରିଗୁମ୍ମାରେ ୫୦, ଜୟପୁରରେ ୨୩, ସେମିଳିଗୁଡ଼‌ାରେ ୫୨, ପଟାଙ୍ଗୀରେ ୪୨, ନନ୍ଦପୁରରେ ୬୯, କୋରାପୁଟରେ ୩୭,  ବୈପାରୀଗୁଡ଼ାରେ ୩୩, ଲମତାପୁଟରେ ୪୮ଟି ଲାଇଟ୍ ସଂଯୋଗ ହୋଇଛି। ରାୟଗଡ଼ା ଜିଲ୍ଲାର ସମସ୍ତ ଗାଁରେ ଆଲୋକୀକରଣ ପ୍ରକ୍ରିୟା ଶେଷ ହୋଇଥିବା କାର୍ଯ୍ୟକାରୀ ଏଜେନସି ରିପୋର୍ଟ ଦେଇଛି। ଅଥଚ ଲାଗିଥିବା ଲାଇଟ୍ ମଧ୍ୟରୁ ଅର୍ଧାଧିକ ଜଳୁନଥିବାରୁ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ରାୟଗଡ଼ା ଜିଲ୍ଲାର ପଦ୍ମପୁର, ଗୁଡ଼ାରି ବ୍ଲକରେ ଲାଗିଥିବା ଲାଇଟ୍ ସଂଯୋଗୀକରଣର ୧୦ ଦିନ ମଧ୍ୟରେ ଅଚଳ ହୋଇ ପଡ଼ିଥିବା ବେଳେ ରାୟଗଡ଼ା ବ୍ଲକର କୁମୁଟିପେଣ୍ଠ, ‌କୋତପେଟା, ଚାନ୍ଦିଲି, ଗୁମ୍ମା, ସେରିଗୁମ୍ମା ଅଞ୍ଚଳରେ ଲାଗିଥିବା ଲାଇଟ୍ ମଧ୍ୟ ଦୀର୍ଘ ଦିନ ହେଲା ଅଚଳ ହୋଇ ପଡିଛି। ଯେଉଁ ଅଞ୍ଚଳରେ ଲାଇଟ୍ ଜଳୁଛି ତାହାର ଆଲୋକ ଉପଯୁକ୍ତ ପରିମାଣର ନୁହେଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଅଚଳ ଲାଇଟର ମରାମତି ପାଇଁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିବାକୁ ଇଇଏସ୍ଏଲର କୌଣସି କାର୍ଯ୍ୟାଳୟ ରାୟଗଡ଼ାରେ ନାହିଁ। ଯୋଗାଯୋଗ ନମ୍ବର ମଧ୍ୟ ନଥିବାରୁ ଜନ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି। ଅଚଳ ଲାଇଟର ମରାମତି ନ ହେବା ପର୍ଯ୍ୟନ୍ତ ଇଇଏସ୍ଏଲକୁ ଟଙ୍କାଟିଏ ମଧ୍ୟ ନ ଦେବାକୁ ସାଂସଦ ସପ୍ତଗିରି ଉଲାକା ରାୟଗଡ଼ା ଜିଲ୍ଲାପାଳ ସ୍ବଧା ଦେବ ସିଂଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ତେବେ ଏଯାବତ୍ ରାୟଗଡ଼ା ଜିଲ୍ଲା ଯୋଜନାରେ ବିଭାଗରେ ସାଂସଦଙ୍କ ପାଣ୍ଠିରୁ  ପଡି ରହିଥିବା ୫୬ ଲକ୍ଷ ଅନୁଦାନ ମଧ୍ୟରୁ ଇଇଏସ୍ଏଲକୁ କୌଣସି ପେମେଣ୍ଟ୍ ହୋଇନଥିବା ଜଣା ପଡିଛି। ବ୍ଲକସ୍ତରରେ ବିଡ଼ିଓମାନେ ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ପେମେଣ୍ଟ୍ ଦିଗରେ ପଦକ୍ଷେପ ନେବ ବିଭାଗ।

 

ସମ୍ବନ୍ଧିତ ଖବର