ନୟାଗଡ଼ : ସାର ବିକ୍ରେତା ବା ଡିଲରସିପ୍‌ ଲାଇସେନ୍ସ ନିମନ୍ତେ କଟକ ଜିଲ୍ଲା ଅଧୀନ ବାଙ୍କୀ ବ୍ଲକ୍‌ କୃଷି କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ଚାଲିଥିବା ଅଭିଯୋଗ ଆସିଛି। ୨୦୧୫ ମସିହାରେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ନୂତନ ନିୟମ ମୁତାବକ ସାର ଡିଲର ଭାବେ ଲାଇସେନ୍ସ ପାଇବାକୁ ଆବେଦନ କରିବାକୁ ହେଲେ ଜଣେ କୃଷି ବିଜ୍ଞାନ ନଚେତ୍‌ ରସାୟନ ବିଜ୍ଞାନରେ ସ୍ନାତକ ଅଥବା କୃଷି ବିଜ୍ଞାନରେ ଡିପ୍ଲୋମା କରିଥିବା ଆବଶ୍ୟକ। କିନ୍ତୁ ବାଙ୍କୀ ବ୍ଲକ୍‌ କୃଷି କାର୍ଯ୍ୟାଳୟରେ ଏସବୁ ନିୟମକୁ ଅଣଦେଖା କରାଯାଇ ଲାଇସେନ୍ସ ପ୍ରଦାନ କରାଯାଇଥିବା ଅଭିଯୋଗ ଆସିଛି। ସବୁଠାରୁ ସାଂଘାତିକ ବିଷୟ ହେଲା ଜଣେ ମାଟ୍ରିକ୍‌ ଫେଲ୍‌ ବ୍ୟକ୍ତିଙ୍କୁ ଲାଇସେନ୍ସ କରାଇ ଦିଆଯିବ କହି ତାଙ୍କଠାରୁ ପାଖାପାଖି ୩୦ ହଜାର ଟଙ୍କା ଲାଞ୍ଚ ନିଆଯାଇଛି। ତାଙ୍କର ଯୋଗ୍ୟତାକୁ ଚଞ୍ଚକତା କରାଯାଇ ଆବେଦନପତ୍ରରେ ରସାୟନ ବିଜ୍ଞାନରେ ସ୍ନାତକ ଦର୍ଶାଯାଇଛି। ଏପରିକି ବ୍ଲକ୍‌ର କୃଷି ଅଧିକାରୀ ପ୍ରମୁଖଙ୍କୁ ଟଙ୍କା ଦେଇ ଏହି ଲାଇସେନ୍ସ କରାଇଦେବ ବୋଲି କିରାଣୀ କୃଷ୍ଣଚନ୍ଦ୍ର ରାଉତ ଡିଲ୍‌ କରିଥିବା ରେକର୍ଡିଂ ଶୁଣାଯାଉଛି। ଯେଉଁଥିପାଇଁ ବ୍ଲକ୍‌ର କୃଷି ଅଧିକାରୀମାନେ ମଧ୍ୟ ସନ୍ଦେହଘେରକୁ ଆସିଛନ୍ତି। ଉକ୍ତ ବ୍ଲକ୍‌ ଅଧୀନ କଳାପଥର ଗ୍ରାମର ଲକ୍ଷ୍ମୀଧର ସାହୁଙ୍କ ‌କ୍ଷେତ୍ରରେ ଏଭଳି ଘଟଣା ଘଟିଛି।

Advertisment

ଲକ୍ଷ୍ମୀଧର ୨୦୦୮ ମସିହାରେ ମାଟ୍ରିକ୍‌ ଫେଲ୍‌ ହୋଇଥିଲେ। ସମୟ କ୍ରମେ ସେ ସାର ବ୍ୟବସାୟକୁ ବୃତ୍ତି ଭାବେ ଆପଣାଇ ଥିଲେ। ତାଙ୍କର ୩୧/୧୨/୨୦୧୩ରୁ ୩୦/୧୨/୨୦୧୬ ମସିହା ପର୍ଯ୍ୟନ୍ତ ସାର ଡିଲର ଲାଇସେନ୍ସ ଥିଲା, କିନ୍ତୁ ୨୦୧୫ ନୂତନ ନିୟମ ଅର୍ଥାତ୍‌ ସ୍ନାତକ ଶିକ୍ଷାଗତ ଯୋଗ୍ୟତା କଥା ଆସିବା ପରେ ସେ ବାଦ୍‌ ପଡ଼ିଛନ୍ତି। ଏପରିକି ଯେଉଁମାନଙ୍କର ସାର ବିକ୍ରେତା ଲାଇସେନ୍ସ ଥିଲା, ସେମାନେ ଲାଇସେନ୍ସ ଅବଧି ସରିବା ପୂର୍ବରୁ ଆବେଦନ କରିଥିଲେ ନୂତନ ନିୟମ ପ୍ରଣୟନ ପରେ ମଧ୍ୟ ବଞ୍ଚିତ ହୋଇନଥା’ନ୍ତେ। କିନ୍ତୁ ବ୍ଲକ୍‌ କାର୍ଯ୍ୟାଳୟ ପକ୍ଷରୁ ଏଭଳି କୌଣସି ସୂଚନା ଜାଣିଜାଣି ଡିଲର୍‌ମାନଙ୍କୁ ପ୍ରଦାନ କରାଯାଇନଥିବା ଲକ୍ଷ୍ମୀଧର ଅଭିଯୋଗ କରିଛନ୍ତି। ଏପରିକି ବିଜ୍ଞାନ‌ରେ ସ୍ନାତକ ଶିକ୍ଷାଗତ ‌ଯୋଗ୍ୟତା ନଥାଇ ବାଙ୍କୀ ବ୍ଲକ୍‌ରେ ଅନେକ ବ୍ୟକ୍ତି ସାର ଡିଲର୍‌ ଲାଇସେନ୍ସ ହାତେଇଥିବା ଅଭିଯୋଗ ଆସିଛି। ଲକ୍ଷ୍ମୀଧର ନିଜ ବୃତ୍ତି ହରାଇଥିବାରୁ ନାନା ବାହାନା ଦେଖାଇ ବ୍ଲକ୍‌ କୃଷି କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଲାଇସେନ୍ସ କରାଇ ଦିଆଯିବ କହି ଆର୍ଥିକ ଶୋଷଣ କରିଥିବା, ସେ ମଧ୍ୟ ଟଙ୍କା ଦେଇଥିବା ସ୍ବୀକାର କରୁଛନ୍ତି। ଏଭଳି ସ୍ଥିତିରେ ବାଙ୍କୀ ବ୍ଲକ୍‌ରେ ସାର ଡିଲର ଲାଇସେନ୍ସ ପ୍ରଦାନରେ ହୋଇଥିବା ମହାଘୋଟାଲର ତଦନ୍ତ ହେବାର ଆବଶ୍ୟକତା ରହିଛି।

ଏ ବାବଦରେ କିରାଣୀ କୃଷ୍ଣଚନ୍ଦ୍ର ରାଉତଙ୍କୁ ପଚାରିବାରୁ, ମୁଁ ଲକ୍ଷ୍ମୀଧରଙ୍କଠାରୁ ଟଙ୍କା ନେଇ ନାହିଁ ବୋଲି ସଫେଇ ଦେଇଛନ୍ତି। ଏପରିକି କଲ୍ ରେକର୍ଡିଂ ମଧ୍ୟ ମିଛ ବୋଲି କହିଛନ୍ତି। ଏ ସମ୍ପର୍କରେ କଟକ ଜିଲ୍ଲା କୃଷି ଅଧିକାରୀ ଶୈଳେନ୍ଦ୍ର ମହାନ୍ତି କହିଛନ୍ତି, ‌ମୁଁ କଲ୍‌ ରେକର୍ଡିଂ ଶୁଣିଛି, ତେବେ କେଉଁ ବାବଦରେ ଟଙ୍କା ଦେଣନେଣ ନେଇ କଥାବାର୍ତ୍ତା ହେଉଛି, ତାହା ସ୍ପଷ୍ଟ ହେଉନି ବୋଲି କହି କିରାଣୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ସଫେଇ ଦେଇଛନ୍ତି। ଏନେଇ ଲିଖିତ ଅଭିଯୋଗ ଆସିଲେ ତଦନ୍ତ କରିବା ଆଳ ଦେଖାଉଛନ୍ତି। ଘଟଣା ବାବଦରେ ରାଜ୍ୟ ସରକାରଙ୍କ କୃଷି ବିଭାଗ ଅନୁଧ୍ୟାନ କରିବାକୁ ମତ ପ୍ରକାଶ ପାଇଛି।