୩.୨୦ କୋଟିର ରେକର୍ଡ ମିଳୁନି, କାର୍ଯ୍ୟାନୁଷ୍ଠାନ ଆରମ୍ଭ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆର୍ଥିକ ଗଡ଼ବଡ଼

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆର୍ଥିକ ଅନିୟମିତତା ଅଭିଯୋଗର ସ୍ୱତନ୍ତ୍ର ଅଡିଟ ପ୍ରକ୍ରିୟା ଚାଲିଥିବା ବେଳେ ବିଭିନ୍ନ ସୂତ୍ରରୁ ଚେକ୍‌ ଓ ଡ୍ରାଫଟ୍‌ ମାଧ୍ୟମରେ ବିଶ୍ୱବିଦ୍ୟାଳୟ ତହବିଲରେ ଜମା ହେବାକୁ ଆସିଥିବା ୩ କୋଟି ୨୦ ଲକ୍ଷ ଟଙ୍କାର ରେକର୍ଡ ମିଳୁ ନାହିଁ। ଗତ ୭ ତାରିଖରେ ଅର୍ଥ ବିଭାଗ ନିର୍ଦେଶରେ ଅଡିଟ ପାଇଁ ଆସିଥିବା ଲୋକାଲ୍‌ ଫଣ୍ଡ ଅଡିଟ୍‌ର ୩ ଜଣିଆ ଟିମ୍‌ ପ୍ରାଥମିକ ତଦନ୍ତ କରିଥିଲେ। ଦୀର୍ଘ ୬ଘଣ୍ଟାର ତନଖି ସମୟରେ ବିଶ୍ୱବିଦ୍ୟାଳୟ ବିତ୍ତ ବିଭାଗ ବରିଷ୍ଠ କିରାଣି ନରେନ୍ଦ୍ର ବିଷୋୟୀଙ୍କ ଠାରୁ ବିଶ୍ୱବିଦ୍ୟାଳୟକୁ ଗତ ୨୦୧୪ ଏପ୍ରିଲରୁ ୨୦୧୮ ମାର୍ଚ୍ଚ ମଧ୍ୟରେ ବିଭିନ୍ନ ସୂତ୍ରରୁ ଚେକ୍‌, ଡ୍ରାଫଟ୍‌ ଆକାରରେ ଆସିଥିବା ୩କୋଟି ୨୦ଲକ୍ଷ ଟଙ୍କାର ରେକର୍ଡ ମାଗିଥିଲେ। ଶ୍ରୀ ବିଷୋୟୀ ଏହା ବ୍ୟାଙ୍କରେ ଜମା କରା ଯାଇଥିବା ଦର୍ଶାଇଥିଲେ ମଧ୍ୟ ଏ ବାବଦ କୌଣସି ରେଜିଷ୍ଟର୍‌ କିମ୍ବା କାଗଜପତ୍ର ଅଡିଟ୍‌ ଟିମ୍‌କୁ ଦେଖାଇ ପାରି ନଥିଲେ। ଏହାପରେ କୁଳସଚିବ ତଥା ଭାରପ୍ରାପ୍ତ କମ୍ପଟ୍ରୋଲର୍‌ ଅଫ୍‌ ଫାଇନାନ୍‌ସ ଶୈଳେନ୍ଦ୍ର ଦ୍ୱିବେଦୀ କିରାଣି ଶ୍ରୀ ବିଷୋୟୀଙ୍କୁ କୈଫିୟତ ତଲବ କରିବା ସହ ଆଜି(ସୋମବାର) ସୁଦ୍ଧା ରେକର୍ଡ ଦାଖଲ ପାଇଁ ନିର୍ଦେଶ ଦେଇଥିଲେ। କିନ୍ତୁ ଶ୍ରୀ ବିଷୋୟୀ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାନ୍ତି କି ରେକର୍ଡ ଦାଖଲ କରିପାରି ନାହାନ୍ତି। ତେଣୁ ତାଙ୍କ ବିରୋଧରେ ଶୃଙ୍ଖଳତାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର