ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କେଳେଙ୍କାରୀ: ସରକାରୀ ମେଡିକାଲରେ ଘରୋଇ ଏଜେଣ୍ଟ

ଜାଲ୍‌ ଦସ୍ତଖତ କରି କରାଯାଉଛି ରେଫର୍‌

କଟକ : ସରକାରୀ ମେଡିକାଲ କଲେଜରେ ଏବେ ଘରୋଇ ଏଜେଣ୍ଟଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷକରି, ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରୁ ଫାଇଦା ନେବାପାଇଁ ଏମାନେ ସକ୍ରିୟ ହୋଇ ଉଠିଛନ୍ତି। ଜାଲ୍‌ ଦସ୍ତଖତ କରି ଘରୋଇ ମେଡିକାଲକୁ ରୋଗୀଙ୍କୁ ରେଫର୍‌ କରିଦେଉଛନ୍ତି।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ସରକାର ନିଶ୍ଚିତ କରିଛନ୍ତି। ତେବେ, ରାଜ୍ୟ ସରକାରଙ୍କ ଏହି ଯୋଜନାର ଫାଇଦା ନେବାପାଇଁ ଦଲାଲମାନେ ଏବେ ସକ୍ରିୟ ହୋଇପଡ଼ିଛନ୍ତି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରେ ଚିକିତ୍ସା ସୁବିଧା ଯୋଗାଇ ଦେବାପାଇଁ ଅନୁବନ୍ଧିତ ଘ‌ରୋଇ ଡାକ୍ତରଖାନାଗୁଡ଼ିକ ଏବେ ଲାଭଖୋର ମନୋବୃତ୍ତି ରଖି ପ୍ରତି ସରକାରୀ ମେଡିକ‌ାଲରେ ନିଜର ଏଜେଣ୍ଟ୍ ରଖୁଛନ୍ତି। ଡାକ୍ତରଙ୍କୁ ପ୍ରଭାବିତ କରି ରେଫର କରାଇବା ଯୋଜନା କରୁଛନ୍ତି। ଏପରିକି ଏଥିପାଇଁ ଆବଶ୍ୟକ ଥିବା ସିଡିଏମ୍‌ଓ ବା ମେଡିକାଲ ଏଡିଏମ୍‌ଓଙ୍କ ଦସ୍ତଖତକୁ ଜାଲ୍‌ କରି ରୋଗୀଙ୍କୁ ରେଫର୍‌ କରି ନେଉଥିବା ଅଭିଯୋଗ ହେଉଛି। ଯେଉଁଥିପାଇଁ ସାଧାରଣ ଅର୍ଶ, ପିସ୍ତୁଲା, ସନ୍ତାନ ପ୍ରସବ ପାଇଁ ବି ଏବେ ଘରୋଇ ମେଡିକାଲକୁ ରେଫର ସଂଖ୍ୟା ମାତ୍ରାଧିକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ରୋଗୀର ଆଡ୍‌ମିସନ କରାଇ ସାମାନ୍ୟ ରୋଗର ଚିକିତ୍ସା ପାଇଁ ବି ଲକ୍ଷାଧିକ ଟଙ୍କାର ଦାବି ( କ୍ଲେମ୍)କରି ଘରୋଇ ମେଡିକାଲ ମାଲାମାଲ ହେଉଛନ୍ତି। ସେପଟେ ସବୁ ସୁବିଧା ଥ‌ାଇ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ ଗୁଡ଼ିକରେ ରୋଗୀ ନାହାନ୍ତି।

ଏମିତି ଜଣେ ରୋଗୀ ହେଉଛନ୍ତି ବାବୁଲା ଷେଣ୍ଢ(୪୭)। ବାବୁଲାଙ୍କୁ ଢେଙ୍କାନାଳ ମେଡିକାଲର ଶଲ୍ୟ ବିଭାଗରୁ‌ ରେଫର କରାଯାଇଥିଲା। ମାତ୍ର, ତାଙ୍କ ସ୍ଲିପ୍‌ରେ କୌଣସି ଓପିଡି (ରେଜି‌ଷ୍ଟ୍ରେସନ୍ ନମ୍ବର) ପକାଯାଇ ନାହିଁ। ଢେଙ୍କାନାଳ ମେଡିକାଲରୁ ଏଭଳି ଏକାଧିକ ରେଫରାଲ ଆସିଥିବା ବେଳେ ରାଜ୍ୟର ଅନ୍ୟ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରୁ ଏଭଳି ରେଫର ଆସୁଥିବାର ଗୁରୁତର ଅଭି‌ଯୋଗ ସାମ୍ନାକୁ ଆସୁଛି। କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏଭଳି କିଛି ରେଫରାଲ୍‌ ପ୍ରମାଣପତ୍ରକୁ ନେଇ ଆପତ୍ତି ଏବେ ଉଠିଛି। ସିଡିଏମ୍‌ଓ ଅଫିସ୍‌ ପକ୍ଷରୁ କିଛି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦସ୍ତଖତ ଜାଲ୍‌ କରାଯାଇ ରେଫର୍‌ କରାଯିବା, ଓପିଡି ଟିକେଟ ନମ୍ବର ପକାଇ ରେଫର କରାଯାଇଥିବା ଭଳି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଗତ ୨୦ ତାରିଖରେ ଏ ନେଇ କଟକ ସିଡିଏମ୍‌ଓଙ୍କ ଅଫିସ ପକ୍ଷରୁ ଚିଠି ନଂ ୧୭୮୭୨ରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଏକ ଚିଠି କରାଯାଇଛି। ରେଫରାଲ୍‌ ସ୍ଲିପ୍‌ରେ ଜାଲିଆତିର ତର୍ଜମା କରିବାକୁ ଚିଠିରେ ପରାମର୍ଶ ଦିଆଯାଇଛି। ରେଫରାଲ୍‌ ସ୍ଲିପରେ କୌଣସି ଓପିଡି ନମ୍ବର ନପଡିବା, ସେହିଭଳି ସିଲ୍ ଓ ଦସ୍ତଖତରେ ମଧ୍ୟ ଜାଲିଆତି ହୋଇଥିବା ଦର୍ଶାଯାଇଛି। କଟକ ଜିଲ୍ଲାରେ ବିଏସ୍‌କେୱାଇ ‌ଯୋଜନାରେ ଚିକିତ୍ସା ଯୋଗାଇ ଦେବାପାଇଁ କଟକ ସହରର ୩୯ଟି ମେଡିକାଲକୁ ଅନୁବନ୍ଧିତ କରାଯାଇଛି। ବହୁ ବଡ଼ ଘରୋଇ ମେଡିକାଲ ବି ଏହି ତାଲିକାରେ ରହିଛନ୍ତି। ମାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହାର ଠିକ୍ ଯାଞ୍ଚ କରାନଯିବା ଫଳରେ ଏହିଭଳି ଅନିୟମିତତା ଦେଖିବାକୁ ମିଳିଛି।

ଗୋଟିଏପଟେ ସରକାର ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକର ବିକାଶ କରିବା ସହିତ ବିଶେଷଜ୍ଞ ଡାକ୍ତର, ଓଟି ସୁବିଧା ଓ ଅତ୍ୟାଧୁନିକ ମେସିନ୍, ନିଦାନ ବ୍ୟବସ୍ଥା କରିଛନ୍ତି। ମାତ୍ର, ଏଥିରେ ଘରୋଇ ମେଡିକାଲଗୁଡ଼ିକ ଲାଭବାନ ହେବାସହିତ ଦଲାଲଙ୍କ ସଂଖ୍ୟା ବି ବୃଦ୍ଧି ପାଇବା ଭଳି ଘଟଣା ଏବେ ଦେଖିବାକୁ ମିଳୁଛି। ସେହିଭଳି, ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକର ଆଧୁନିକୀକରଣରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଭଳି ସାଧାରଣ ରୋଗ ପାଇଁ ଘରୋଇ ହସ୍ପିଟାଲକୁ କାହିଁକି ରେଫର୍ କରାଯାଉଛି, ତାହାକୁ ନେଇ ପ୍ରଶ୍ନ ଉଠୁଛି।

ସମ୍ବନ୍ଧିତ ଖବର