ଯାଜପୁର : ଗ୍ରାମ୍ୟ ଉନ୍ନୟନ ବିଭାଗର ଜାରକା ଡିଭିଜନ୍ ଅନ୍ତର୍ଗତ ଚଣ୍ଡିଖୋଲ ଉପଖଣ୍ଡରେ ଶହ ଶହ ଗୁପ୍ତ ଟେଣ୍ଡର୍ ର ବହୁ ଗୁପ୍ତ ରହସ୍ୟ ଉନ୍ମୋଚିତ ହୋଇଛି। ନିର୍ଦ୍ଦିଷ୍ଟ ଗୋଟିଏ ଗୋଟିଏ ରାସ୍ତା ଉପରେ ଶହ ଶହ ଗୁପ୍ତ ଟେଣ୍ଡର୍ (ଏଫ-୨ ଓ ପି-୧)କରାଯାଇଛି। ଗତ ୫ ବର୍ଷ ମଧ୍ୟରେ ୩୨୭୪ଟି ଗୁପ୍ତ ଟେଣ୍ଡର କରାଯାଇଛି। ଏପରିକି ଟେଣ୍ଡର୍ରେ କାମ ହୋଇଥିବା ରାସ୍ତା ନାମରେ ମଧ୍ୟ ପୁଣି ନାମକୁ ମାତ୍ର କାମ କରିବା ଆଳରେ ଗୁପ୍ତ ଟେଣ୍ଡର୍ କରାଯାଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି।
ଅନୁସଂଧାନରୁ ଜଣାପଡ଼ିଛି ବରଦା- ବାଉଜଙ୍ଗ ରାସ୍ତାର ଉନ୍ନତି କରଣ ପାଇଁ ୨୦ ଲକ୍ଷ ଟଙ୍କାର ଖୋଲା ଟେଣ୍ଡର୍ କରାଯାଇ ଗତ ସପ୍ତାହରେ କାମ ଶେଷ ହୋଇଛି। ଏହି ରାସ୍ତା ଉପରେ ପୁଣି ୨ଟି ଗୁପ୍ତ ଟେଣ୍ଡର୍ ୧୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ଟେଣ୍ଡର୍ କାମ ଶେଷ ହେଉ ହେଉ କାହିଁକି ଗୁପ୍ତ ଟେଣ୍ଡର୍ କରାଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଚଳିତ ମାର୍ଚ୍ଚ ମାସରେ ଅଧିକାଂଶ ରାସ୍ତାରେ ଠିକାଦାରଙ୍କ ଜରିଆରେ ଉପଖଣ୍ଡରେ କରାଯାଇଥିବା ଗୁପ୍ତ ଟେଣ୍ଡର୍ ମୂଲ୍ୟର ୧୦ ପର୍ସେଣ୍ଟ ହିସାବରେ ଲକ୍ଷ ଲକ୍ଷ ଟଙ୍କା କମିସିନ୍ ଆଦାୟ ଚାଲିଛି। ଜାତୀୟ ରାଜପଥ ନମ୍ବର ୫ -ଧାନମଣ୍ଡଳ ରାସ୍ତା ନାମରେ ୨୦୧୨ ରୁ ୨୦୧୬ ମଧ୍ୟରେ ୧୩୧ଟି ଗୁପ୍ତ ଟେଣ୍ଡର୍ କରାଯାଇଛି। ଏହି ବାବଦରେ ୍ରପ୍ରାୟ ୭୫ଲକ୍ଷ ଟଙ୍କା ଘୋଟାଲା କରାଯାଇଛି। ଏହି ରାସ୍ତାର କାମ ପାଇଁ ମଧ୍ୟ ୨୦୧୪-୧୫ରେ ୧୬ଲକ୍ଷ ୮୩ହଜାର ୬ଟଙ୍କାର ଖୋଲା ଟେଣ୍ଡର୍ କରାଯାଇଛି। ଟେଣ୍ଡର୍ କରାଯାଇଥିବା ରାସ୍ତା ଉପରେ ଶତାଧିକ ଗୁପ୍ତ ଟେଣ୍ଡର୍ କରାଯାଇ, କି କାମ କରାଯାଇଛି! ତାହାର ଭିଜିଲାନ୍ସ ତଦନ୍ତ ଦାବି କରାଯାଇଛି। ରାଇଝର- ଶାଳପଡ଼ା ରାସ୍ତାରେ ୨୦୧୨ ରୁ ଚଳିତ ବର୍ଷ ମଧ୍ୟରେ ମୋଟ ୧୧୧ଟି ଗୁପ୍ତ ଟେଣ୍ଡର୍ କରାଯାଇଛି। ଏହି ରାସ୍ତାରେ ଗୁପ୍ତ ଟେଣ୍ଡର୍ ବାବଦରେ ପ୍ରାୟ ୧ କୋଟି ଟଙ୍କା ହରିଲୁଟ୍ କରାଯାଇଛି। ରାସ୍ତା ସହିତ ପୋଲ ଆପ୍ରୋଚ ରୋଡ୍ ରେ ମଧ୍ୟ ଗୁପ୍ତ ଟେଣ୍ଡର୍ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଛି।
ସୂଚନା ଯୋଗ୍ୟ କେଲୁଅ ନାଳ ପୋଲ ଓ ଆପ୍ରୋଚ ରୋଡ୍ ପାଇଁ ୧କୋଟି ୫୮ଲକ୍ଷ ୭୭ହଜାର ୮୬୫ଟଙ୍କା ଖୋଲା ଟେଣ୍ଡର୍ ହୋଇଥିବା ସତେ୍ଵ ତାଳୁଆ-ମୁଷାଟିକିରି ଆପ୍ରୋଚ୍ ରୋଡ୍ ପାଇଁ ୨୦୧୫-୧୬ ଓ ୨୦୧୬-୧୭ ଆର୍ଥିକ ବର୍ଷରେ ୩୭ଟି ଗୁପ୍ତ ଟେଣ୍ଡର୍ କରାଯାଇଛି। ଏହି ବାବଦରେ ୨୭ଲକ୍ଷ ଟଙ୍କା ଟଙ୍କା ଘୋଟାଲା କରାଯାଇଛି। ଏହି ଉପଖଣ୍ଡରେ ଗୁପ୍ତ ଟେଣ୍ଡର୍ ବାବଦରେ କୋଟି କୋଟି ଟଙ୍କା ପ୍ରତି ବର୍ଷ ଘୋଟାଲା ଚାଲିଛି। ଏ ସଂପର୍କରେ ଉପଖଣ୍ଡ ଦାୟିତ୍ଵରେ ଥିବା ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ବିଟ୍ଙ୍କୁ ଆଜି ସମ୍ବାଦ ପ୍ରତିନିଧି ମତାମତ ନେବାକୁ ବାରମ୍ବାର ଫୋନ୍ କରିବା ସତେ୍ଵ ସେ ଫୋନ୍ ଉଠାଇ ନଥିଲେ। ତେବେ କାହା ପ୍ରଚ୍ଛଦ ନିର୍ଦେଶରେ ଏହି ଉପଖଣ୍ଡରେ କୋଟି କୋଟି ଟଙ୍କା ଦୁର୍ନୀତି ଚାଲିଛି! ଉଚ୍ଚ ପଦାଧିକାରୀ କିପରି ଏହି ଗୁପ୍ତ ଟେଣ୍ଡର୍କୁ ବର୍ଷ ବର୍ଷ ଧରି ଅନୁମୋଦନ କରିଆସିଛନ୍ତି, ତାହା ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/rr.jpg)