କରୋନା ପରିଚାଳନାରେ ବ୍ୟାପକ ଅନିୟମିତତା : ୨୮ରେ ଜିଲ୍ଲା ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିବ କଂଗ୍ରେସ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ କୋଭିଡ୍‌ ପରିଚାଳନାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସଙ୍ଗରୋଧ କେନ୍ଦ୍ରରେ ପିଇବା ପାଣି ମିଳୁନି, ଡାଲି ବଦଳରେ ଖାଦ୍ୟରେ ହଳଦିଆ ପାଣି ଦେଖିବାକୁ ମିଳୁଛି। ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯାଉନି ଅଥଚ ସେମାନେ କାମ କରିବାକୁ ମନାକଲେ ବୋଲି ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିମାନେ ରିପୋର୍ଟ ଲେଖୁଛନ୍ତି। ଏଭଳି ସ୍ଥିତି ହୋଇଛି ସାଧାରଣ ଲୋକଟିଏ ଏବେ ଜୀବନ ବଞ୍ଚାଇବା କଷ୍ଟକର ହେଲାଣି। ଏହାର ପ୍ରତିବାଦରେ ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ସବୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେବାକୁ ସ୍ଥିର କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଶ୍ରୀ ମିଶ୍ର ଅଭିଯୋଗ କରି କହିଛନ୍ତି,ଏବେ କୋଭିଡ୍‌ ଯେଭଳି ଭାବରେ କାୟା ବିସ୍ତାର କରିଚାଲିଛି ତାକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କୁ ବିରୋଧୀ ଦଳ ଭାବରେ ମଧ୍ୟ ସବୁ ପ୍ରକାର ସହଯୋଗ ଦିଆଯାଇଛି। ଗ୍ରାମାଞ୍ଚଳରେ ଡାକ୍ତରଙ୍କ ଅଭାବ ରହିଛି। ବିଶେଷକରି କେବିକେ ଜିଲ୍ଲାରେ ଥିବା ଅଳ୍ପ ଡାକ୍ତରଙ୍କୁ ହଟସ୍ପଟ୍‌ ଜିଲ୍ଲାରେ ମୁତୟନ କରାଯାଇଛି। କିନ୍ତୁ କେବିକେ ଜିଲ୍ଲାରେ କିଭଳି ସ୍ବାସ୍ଥ୍ୟ ସେବା ମିଳିବ ସେଥିପାଇଁ ସରକାରଙ୍କ ନିଘା ନାହିଁ। ଗତ ମାର୍ଚ୍ଚ ମାସ ୩୦ ତାରିଖରେ ଅନୁଷ୍ଠିତ ହୋଇଥିବା ବିଧାନସଭାରେ କରୋନା ପରିସ୍ଥିତିର ସଫଳ ମୁକାବିଲା ପାଇଁ ସର୍ବଦଳୀୟ ବୈଠକ ଡାକିବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ତାହା ଏପର୍ଯ୍ୟନ୍ତ ସରକାର କଲେନାହିଁ। ବିପର୍ଯ୍ୟୟ ବେଳେ ସମସ୍ତଙ୍କ ମତ ନେଇ ଏକାଠି ମୁକାବିଲା କରିବାର ପରମ୍ପରା ସବୁଠି ଦେଖିବାକୁ ମିଳେ। କିନ୍ତୁ ଆମ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏହାକୁ ଉଚିତ୍‌ ମଣୁନାହାନ୍ତି। ସରପଞ୍ଚମାନଙ୍କୁ ଦାୟିତ୍ବ ଦେଇ ଭାବିଥିଲେ କରୋନାକୁ ମୁକିବିଲା କରିବାରେ ସଫଳ ହୋଇଯିବେ। କିନ୍ତୁ ଅଧିକାଂଶ ପଞ୍ଚାୟତରେ ସରପଞ୍ଚମାନେ ଦୁର୍ନୀତିରେ ଲିପ୍ତ ଥିବା ଖବର ଦେଖିବାକୁ ମିଳୁଛି। ଜନ ପ୍ରତିନିଧି ଭାବେ ବିଧାୟକମାନଙ୍କୁ କୌଣସି ଦାୟିତ୍ବ ଦିଆଗଲାନି। ଲକ୍‌ଡାଉନ୍‌ ହେଉ କି ସଟ୍‌ଡାଉନ୍‌ କେବଳ ପ୍ରଶାସନିକ ନିୟମ କରି ଲୋକମାନଙ୍କୁ ବାରଣ କରାଯାଉଛି। ଲୋକମାନେ ବାଛିଥିବା ଜନପ୍ରତିନିଧିମାନଙ୍କୁ ଏଥିରେ ସାମିଲ କରାଯାଇଥିଲେ ଆହୁରି ଅଧିକ ସୁଫଳ ସରକାର ପାଇଥାନ୍ତେ। ଏହି ବିଚାର ସରକାରଙ୍କୁ ବାରମ୍ବାର ଜଣାଇଲେ ସରକାର ନ ଶୁଣିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର