ଭୁବନେଶ୍ୱର : ଭୁବନେଶ୍ବର ରାଜଧାନୀ ପୂଜା ସମିତି, ପୁରୀ ଶ୍ରୀଜଗନ୍ନାଥ ବଲ୍ଲଭ ମଠ, ଝଙ୍କଡ଼ ମା’ ସାରଳା ମନ୍ଦିର ଓ ବାବା ଗୋରଖନାଥ ମନ୍ଦିର ଦୁର୍ନୀତି ଧରାପଡ଼ିବା ପରେ ରାଜ୍ୟର ପ୍ରସିଦ୍ଧ ମା’ କଟକ ଚଣ୍ଡୀ ମନ୍ଦିରରେ ହୋଇଥିବା ବ୍ୟାପକ ଅନିୟମିତତା ପଦାକୁ ଆସିଛି। ୯୪ ଲକ୍ଷ ଟଙ୍କା ବ୍ୟୟରେ ତିଆରି କୋଠା ଉପଯୁକ୍ତ ବ୍ୟବହାର ହେଉନଥିବାରୁ ଏହି ଖର୍ଚ୍ଚ ବରବାଦ ହୋଇଛି। ମା’ ଚଣ୍ଡୀଙ୍କର ୫୨ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ଉଭାନ୍ ହୋଇଯାଇଛି। ୩୧ଲକ୍ଷ ୩୯ ହଜାର ଟଙ୍କାର ସୁନା ଗହଣା ପାଇଁ ସେବକ ଓ ୨୧ ଲକ୍ଷ ୧୭ ହଜାର ଟଙ୍କାର ଗହଣା ପାଇଁ ନିର୍ବାହୀ ଅଧିକାରୀ(ଇଓ)ଙ୍କୁ ଦାୟୀ କରାଯାଇଛି। ମନିଟରିଂ ଅଭାବରୁ ଏହି ପରିସ୍ଥିତି ଉପୁଜିଥିବାରୁ ଦେବତ୍ତୋର ବିଭାଗକୁ ଦାୟୀ କରାଯାଇଛି। ସରକାରଙ୍କ ସୁପାରିସ କ୍ରମେ ଚଣ୍ଡୀ ମନ୍ଦିରର ଅଡିଟ୍ କଲାବେଳେ ଏଜି ଏଭଳି ଅନିୟମିତତା ଧରିଛନ୍ତି। ଗହଣା ସେବକ ଓ ଇଓଙ୍କ ପାଖରେ ରହିବା ଓଏଚ୍ଆର୍ଇ(ଓଡ଼ିଶା ହିନ୍ଦୁ ଧର୍ମ ଦେବୋତ୍ତର ଆଇନ)ର ଉଲ୍ଲଂଘନ ବୋଲି ଏଜି ଦର୍ଶାଇ ଅନିୟମିତତା ପାଇଁ ଉଭୟଙ୍କୁ ଦାୟୀ କରିଛନ୍ତି। ଏ ନେଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ସହ ମନ୍ଦିରର ସୁନା ଗହଣାର ଆଉଥରେ ଯାଞ୍ଚ ତାଲିକା ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି।
ଏହାଛଡ଼ା ସାଗ-ମାଛ ଦରରେ ଘର ଭଡ଼ା ଲାଗିଥିବାରୁ ୧୯ ମାସରେ ମନ୍ଦିରର ୭ ଲକ୍ଷ ୭୪ ହଜାର ୫୮୨ ଟଙ୍କା କ୍ଷତି ହୋଇଥିବା ଏଜି ଦର୍ଶାଇଛନ୍ତି।
କାଗଜପତ୍ର ଯାଞ୍ଚ କରି ଏଜି ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ, ମନ୍ଦିରକୁ ଆସୁଥିବା ଦାନ ସେବକ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ଭିତରେ ଭାଗବଣ୍ଟାକୁ ନେଇ ଏକ ବ୍ୟବସ୍ଥା ରହିଛି। ସୁନା ରୁପା ୨୫ ପ୍ରତିଶତ ଓ ନଗଦ ଟଙ୍କା ସହ ଅନ୍ୟାନ୍ୟ ୪୦ ପ୍ରତିଶତ ସେବକ ନେବାକୁ ଧାର୍ଯ୍ୟ ହୋଇଛି। ଗାଡ଼ି ପୂଜା, ବାହାଘର ପ୍ରଭୃତି ବ୍ୟବସ୍ଥାରେ ଭାଗ ଅଧା-ଅଧା ରହିଛି। କିନ୍ତୁ ସୁନା ଅଳଙ୍କାର ସିଧାସଳଖ ସେବକ ଦାନ ଭାବରେ ଗ୍ରହଣ କରିଥିବା ଦେଖାଯାଇଛି। ଯେଉଁ ଭାଗବଣ୍ଟା ବ୍ୟବସ୍ଥା ହୋଇଛି ତାହା ତ୍ରୁଟିପୂର୍ଣ୍ଣ। ଏଭଳି କାହିଁକି ହୋଇଛି ତାହାର ଯଥାର୍ଥ କାରଣ ଦର୍ଶାଇବା ସହ ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ଏଜି ପରାମର୍ଶ ଦେଇଛନ୍ତି।
ଅଫିସ୍ କୋଠାର ପ୍ରଥମ ମହଲା(୫୩୦୦ ବର୍ଗଫୁଟ୍)ରେ ଏସ୍କେ ସାଇନ୍ସ ସେଣ୍ଟରକୁ ଭଡ଼ା ଦିଆଯାଇଛି। କୋଚିଂ ସେଣ୍ଟର ସହ ୪ଟି କ୍ଲାସ୍ ରୁମ୍, ୭ଟି ରହିବା ପାଇଁ ଘର ରହିଛି। ୩୦ ଜଣ ଛାତ୍ରୀଙ୍କୁ ନେଇ ଏକ ଛାତ୍ରୀନିବାସ ଚାଲିଛି। କାଠପଟାରେ ହଲ୍କୁ ଭାଗ ଭାଗ କରାଯାଇ ରୁମ୍ ତିଆରି ହୋଇଛି। ଏଥିରେ ୬ଟି ଏସି ଲାଗିଛି। କୋଠାଟିକୁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ମିଳିନଥିବାରୁ ବିପଜ୍ଜନକ ଅବସ୍ଥାରେ ସେଠାରେ ଛାତ୍ରୀମାନେ ରହୁଛନ୍ତି। ଅନ୍ୟପଟେ ଭଡ଼ା ବାବଦକୁ ୨୦୧୩ ମସିହାରୁ ଆଜି ପର୍ଯ୍ୟନ୍ତ ୨ ଲକ୍ଷ ୧୧ ହଜାର ଟଙ୍କା ବାକି ପଡ଼ିଛି।
ଏହି କୋଠାକୁ ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନ(ଓପିଏଚ୍ସି) ନିର୍ମାଣ କରିଛି। ଟ୍ରଷ୍ଟ ବୋର୍ଡ ୯୪ ଲକ୍ଷ ଟଙ୍କା ଦେଇଥିବା ବେଳେ ଓପିଏଚ୍ସି ଏଥିରେ ୮୫ ଲକ୍ଷ ୮୧ ହଜାର ୧୩୬ ଟଙ୍କା ଖର୍ଚ୍ଚ କରିଛି। ବାକି ୮ ଲକ୍ଷ ୧୯ ହଜାର ଟଙ୍କା ଫେରିବା ନେଇ ଟ୍ରଷ୍ଟ ବୋର୍ଡ ପାଖରେ କୌଣସି ପ୍ରମାଣ ନାହିଁ। ଏଣୁ ଏହି ଟଙ୍କା ବାଟମାରଣା ହୋଇଥିବା ଆଶଙ୍କା କରାଯାଉଛି। ଏହି କୋଠାରେ ଥିବା ହଲ୍ ବର୍ଷକୁ ଥରେ ବ୍ୟବହାର ହେଉଛି। କେତେକ ଜାଗାରେ ମଦବୋତଲ ମଧ୍ୟ ଗଡ଼ୁଛି। ଏଣୁ କୋଠାଟିରେ ଖର୍ଚ୍ଚ ହୋଇଥିବା ଟଙ୍କା ବରବାଦ ହୋଇଛି ବୋଲି ଏଜି ଦର୍ଶାଇଛନ୍ତି। ୧୮ ଦୋକାନ ଘର ୧୫ ଜଣଙ୍କୁ ଭଡ଼ା ଦିଆଯାଇଛି। ୧୪ ଜଣଙ୍କର ୨୦୧୪ରୁ ଚୁକ୍ତି ଅବଧି ଶେଷ ହେଲାଣି। ମ୍ୟାନେଜିଂ ଟ୍ରଷ୍ଟି କନିକା ରାଜାଙ୍କ ନାମରେ ଗୋଟିଏ ଦୋକାନ ରହିଛି। ଦୋକାନ ଘର ମରାମତି ହୋଇନଥିବାରୁ ଭଡ଼ାଟିଆ ଭଡ଼ା ଦେଉ ନାହାନ୍ତି। ଦୁଇଟି ଚା’ ଦୋକାନ ଜବରଦଖଲରେ ହୋଇଛି। ଗୋଟିଏ ଏଟିଏମ୍ କାଉଣ୍ଟର ଛଡ଼ା ଭଡ଼ା ବାବଦରେ ଏହି ଦୋକାନଗୁଡ଼ିକରୁ ମନ୍ଦିର ଟଙ୍କାଟିଏ ପାଉନାହିଁ। ସମସ୍ତଙ୍କ ଚୁକ୍ତି ବାତିଲ କରି ଜିଏ ବିଭଗର ଧାର୍ଯ୍ୟ ଭଡ଼ା(ବର୍ଗଫୁଟ ପ୍ରତି ୨୫ ଟଙ୍କା) ଦରରେ ସାନି ଚୁକ୍ତିନାମା କରିବା ପାଇଁ ଏଜି ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/temple-from-outside.jpg)