ଯାଜପୁରର ଦାନଗଦୀ ବ୍ଲକ୍‌ରେ ବ୍ୟାପକ ଅନିୟମିତତା : ୧୬କୋଟି ଟଙ୍କା ହେରଫେର୍‌, ଗୁରୁତ୍ବପୂର୍ଣ୍ଣ ଫାଇଲ ଗାଏବ

ଯାଜପୁର : ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍‌ରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା ଅଡିଟ୍‌ ବେଳେ ଧରାପଡ଼ିଛି। ୨୦୧୭-୧୮ଆର୍ଥିକ ବର୍ଷରେ ୧୬କୋଟି ୫୨ଲକ୍ଷ ୪୬ହଜାର ୨୦୬ ଟଙ୍କା ଉପରେ ଅଡିଟ ଟିମ୍ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଅଡିଟ୍ ସମୟରେ ୩ଲକ୍ଷ ୪୪ହଜାର ୬୮୨ଟଙ୍କା ଠିକାଦାର ଓ କର୍ମଚାରୀଙ୍କ ଠାରୁ ଆଦାୟ କରାଯାଇଛି। ଏହାସହ ବ୍ଲକ୍‌ କାର୍ଯ୍ୟାଳୟର ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ଗାଏବ ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ରୟାଲଟି, ଭାଟ୍, ଲେବର୍ ସେସ୍ , ଆୟକର ଟିକସ ବାବଦରେ ୨୮ଲକ୍ଷ ୬୦ହଜାର ୧୧୭ଟଙ୍କା ମଧ୍ୟ ଜମା କରାଯାଇନଥିବା ଅଡିଟ୍‌ ବେଳେ ଧରାପଡ଼ିଛି। ଏହି ଅନିୟମିତତା ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି। କ୍ୟାସ ବୁକ୍‌ରେ ବିଡିଓଙ୍କ ଆଟେଷ୍ଟେଡ୍ କରାଯାଇ ନାହିଁ। ଚେକ୍ ବହି ମଧ୍ୟ ଠିକ୍ ଭାବେ ବ୍ୟବହାର କରାଯାଇନାହିଁ। ଅର୍ଥ ଦେଣନେଣ ରେଜିଷ୍ଟର୍ ସଠିକ ଭାବେ ପରିଚା‌ଳନା କରାଯାଇନି। ଗ୍ରାଣ୍ଟ ରେଜିଷ୍ଟର୍ ଓ ଆସବାବପତ୍ରର ମଧ୍ୟ ସଠିକ୍ ହିସାବ ନାହିଁ। ବର୍ଷ ବର୍ଷ ଧରି ବିଭିନ୍ନ ଯୋଜନାରେ କାମଗୁଡ଼ିକ ପୂର୍ଣ୍ଣାଙ୍ଗ କରାଯାଇନାହିଁ। ଏପରିକି ଅଡିଟ୍ ସମୟରେ କର୍ମଚାରୀ ସହଯୋଗ କରିନଥିବା ଅଭିଯୋଗ ହୋଇଛି। ଆକାଉଣ୍ଟ ଦାୟିତ୍ବରେ ଥିବା କର୍ମଚାରୀଙ୍କ ଦକ୍ଷତା ଓ ସ୍ବଚ୍ଛତା ଉପରେ ଅଡିଟ୍ ଟିମ୍ ପ୍ରଶ୍ନ ଉଠାଇଛନ୍ତି। ତାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ବହୁ ଗୁରୁତ୍ବପୂର୍ଣ୍ଣ ରେଜିଷ୍ଟରକୁ ସଂପୃକ୍ତ କର୍ମଚାରୀ ଅଡିଟ୍ ଟିମ୍‌କୁ ଦେଖାଇ ନଥିବା, ଏପରିକି ଖର୍ଚ୍ଚ ହୋଇନଥିବା ଅନୁଦାନ ବିଷୟ ଅତି ସମ୍ବେଦନଶୀଳ ବୋଲି ଅଡିଟ୍ ଟିମ୍ ଦର୍ଶାଇଛନ୍ତି। ପାସ୍ ବୁକ୍, ‌କ୍ୟାସ୍ ବୁକ୍, ଚେକ୍ ଇତ୍ୟାଦିରେ ବ୍ୟାପକ ତ୍ରୁଟି ରହିଛି। ଆଗାମୀ ଅଡିଟ୍ ସମୟରେ ଏସଡି‌ ଲେଜର୍, ଅନୁଦାନ ରେଜିଷ୍ଟର୍, ଆସବାବପତ୍ର ରେଜିଷ୍ଟର୍, ଅଗ୍ରୀମ ‌ଲେଜର, ଆୟବ୍ୟୟ ରେଜିଷ୍ଟର୍, ଋଣ ଲେଜର୍, ‌ଡେଡ୍ ଷ୍ଟକ୍ ରେଜିଷ୍ଟର୍ ପ୍ରଭୃତି ଦର୍ଶାଇବାକୁ ପରାମର୍ଶ ଦେଇଛନ୍ତି। ଏପରିକି ଯେଉଁମାନଙ୍କ ଉପରେ ଅଗ୍ରୀମ ଅଛି ସେମାନଙ୍କୁ ଆଉ ଅଗ୍ରୀମ ଅର୍ଥ ନଦେବାକୁ ତାଗିଦ କରାଯାଇଛି। ସୁକିନ୍ଦା ବ୍ଲକ୍ ଭଳି ଏଠାରେ ମଧ୍ୟ ବ୍ୟାପକ ଅନିୟମିତାକୁ ଲୁଚାଇବା ପାଇଁ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ଗାଏବ କରାଯିବାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର